ଶ୍ରମିକଙ୍କ ଚାରାରୋପଣ ଟଙ୍କା ଚଳୁ! ବର୍ଷକ ପରେ ବି ମିଳୁନି ୧୨୦ରୁ ଅଧିକ ଶ୍ରମିକଙ୍କ ପାଉଣା

ରାଉରକେଲା/ନୂଆଗାଁ : ସୋରଡାର ସାଲ ମହାଲି, ଖାଇରାନ ଖାତୁନ ଓ ଅଞ୍ଜଲା ବିବି। ଗତବର୍ଷ ଜୁନ୍‌ ଓ ଜୁଲାଇ ମାସରେ ରାଉରକେଲା ବନଖଣ୍ଡ ବିଶ୍ରା ରେଞ୍ଜ ଅଧୀନରେ ସୋରଡା ବିଭିନ୍ନ ସ୍ଥାନରେ ଚାରାରୋପଣ କରିଥିଲେ। ପାରିଶ୍ରମିକ ବାବଦକୁ ଦିନକୁ ୩୦୩ ଟଙ୍କା ମଜୁରି ମିଳୁଥିଲା। ଏମିତି ମାସକୁ ପାଖାପାଖି ୧୦ ହଜାର ଟଙ୍କା ପାଇଥା‌ନ୍ତେ। କିନ୍ତୁ ମିଳିଛି ମାତ୍ର ୩ ହଜାର ୫୦୦ ଟଙ୍କା। ଖାଇରାନ ଖାତୁନ ୩୦ ଦିନ କାମ କଲେ ମିଳିଲା ମାତ୍ର ୩ ହଜାର ଟଙ୍କା। ଅଞ୍ଜଲା ବିବି ମାସେ କାମ କଲେ ଟଙ୍କାଟିଏ ମିଳିଲାନି। ସେମିତି ସାଜରା ଖାତୁନ୍‌ ୪୦ ଦିନ କାମ କଲେ। ମିଳିବା କଥା ୧୨ ହଜାର ଟଙ୍କା, କିନ୍ତୁ ତାଙ୍କୁ ମିଳିଳା ମାତ୍ର ୫୯୦୦ ଟଙ୍କା।

ସାଗରା, ହାଟିଜା , ଖତିଜା, ସାଜରା ଏମିତି ଅନେକ ମହିଳା ଶ୍ରମିକ ୩୦ରୁ ଅଧିକ ଦିନ କାମ କରିଥିଲେ ହେଁ ଟଙ୍କାଏ ମିଳିଲା ନାହିଁ। ୧୦ କି ୨୦ ଜଣ ନୁହେଁ ଏମିତି ପାଖାପାଖି ୧୨୦ରୁ ଅଧିକ ପୁରୁଷ ମହିଳା ଶ୍ରମିକ ଝାଳବୁହା ପରିଶ୍ରମ କରି ବନ ବିଭାଗ ଅଧିକାରୀଙ୍କ କହିବା ମୁତାବକ ସୋରଡା, ଚିତାପେଡିର ଗଞ୍ଜୁର, ଉର୍ମେଇ କୁଲାଗଜ୍‌ ଏମିତି ଅନେକ ଜାଗାରେ ହଜାର ହଜାର ଚାରା‌ରୋପଣ କଲେ। ଦାୟିତ୍ବରେ ଥିବା ଅଧିକାରୀ କିଛି ଶ୍ରମିକଙ୍କୁ ୩ ରୁ ୫ ହଜାର ଟଙ୍କା ପାରିଶ୍ରମିକ ଦେଲେ। ଅବଶିଷ୍ଟ ଶ୍ରମିକଙ୍କ କଥା ସମ୍ପୂର୍ଣ୍ଣ ଭୁଲି ଗଲେ। ଏବେ ସୁଦ୍ଧା ପ୍ରାୟ ୧୨୦ରୁ ଅଧିକ ଶ୍ରମିକଙ୍କ ମାସିକ ପାଉଣା ବାବଦରେ ମିଳିବାକୁ ଥିବା ଲକ୍ଷ ଲକ୍ଷ ଟଙ୍କାକୁ ଭାଗବାଣ୍ଟ କରି ଚଳୁ କରିଦେଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ପାଉଣା ମିଳୁ ନଥିବାରୁ ଶ୍ରମିକମାନେ ନୂଆଗାଁ ଫରେଷ୍ଟ ଗାର୍ଡ , ବିଡିଓ ଅଫିସ୍‌ ତ ଅନ୍ୟ କେତେବେଳେ ବିଶ୍ରା ରେଞ୍ଜ ଅଫିସକୁ ଦୌଡୁଛନ୍ତି। ବିଭାଗୀୟ ଅଧିକାରୀ ପାଣ୍ଠି ଆସିଲେ ମିଳିବ ବୋଲି କହି ମାସ ମାସ ଗଡାଇ ଚାଲିଛନ୍ତି।

ତେବେ ଚାରାରୋପଣ ବାବଦରେ ଆସିଥିବା ଟଙ୍କା ଦେବାକୁ ବିଭାଗୀୟ ଅଧିକାରୀ କାହିଁକି ପଛଘୁଞ୍ଚା ଦେଉଛନ୍ତି ? ମିଳିଥିବା ଅର୍ଥକୁ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀମାନେ ମିଳିମିଶି ଚଳୁ କରି ଦେଇ ନାହାନ୍ତି ତ ? ଚାରାରୋପଣ ବାବଦ ଅର୍ଥ ଯଦି ଶ୍ରମିକଙ୍କୁ ନ ମିଳିଲା, ସେ ଟଙ୍କା କୁଆଡେ ଗଲା ? ଏମିତି ଅନେକ ପ୍ରଶ୍ନକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ବନ ବିଭାଗର ଉଚ୍ଚ ଅଧିକାରୀ ଏଥିପ୍ରତି ଧ୍ୟାନ ନଦେଲେ, ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର