ଭୁବନେଶ୍ୱର: କ୍ୟାପିଟାଲ ହସ୍‌ପିଟାଲ ପରିସରରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ପରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ନିଜର ପ୍ରତିକ୍ରିୟା ରଖିଛନ୍ତି। ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ସାଧାରଣ ଲୋକଙ୍କୁ କଲ ସେଣ୍ଟର ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ସଂପର୍କିତ ମତାମତ ନିଆଯିବ। ସାଧାରଣ ଲୋକଙ୍କର ମତାମତ ଅନୁକୂଳ ହେଲେ କର୍ମଚାରୀଙ୍କୁ ଉଭୟ ପୁରସ୍କାର ଓ ପଦୋନ୍ନତି ମିଳିବ। ଅନ୍ୟପକ୍ଷରେ ମତାମତ ଯଦି ପ୍ରତିକୂଳ ହୁଏ, ତା’ହେଲେ ସଂପୃକ୍ତ କର୍ମଚାରୀଙ୍କ ଉପରେ ତଦନ୍ତ ହେବ। ଯଦି ଅଭିଯୋଗ ପ୍ରମାଣିତ ହୁଏ, ତା’ହେଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Advertisment

ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମତାମତ ନିଆଯିବ। ପରେ ସମସ୍ତ ହସ୍‌ପିଟାଲକୁ ସାମିଲ କରାଯିବ।

ସୂଚନାଯୋଗ୍ୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଆଜି ୯ ଜଣ ଲୋକଙ୍କ ସହ କଥା ହୋଇଛି ଏବଂ ସମସ୍ତେ ଅତି ସନ୍ତୋଷଜନକ ଭାବେ ଉତ୍ତର ଦେଇଛନ୍ତି। ମେଡିକାଲକୁ ଆସୁଥିବା ପ୍ରତି ରୋଗୀଙ୍କ ନମ୍ବର ପଞ୍ଜୀକରଣ ହେବ। ‘ମୋ ସରକାର’ ପୋର୍ଟାଲରୁ ଏହି ନମ୍ବରକୁ ଏସ୍‌ଏମ୍‌ଏସ୍‌ ଆସିବ। ଟୋଲ୍‌ ଫ୍ରି ନମ୍ବର (୧୪୫୪୫)କୁ କଲ୍‌ କରି ବି ପଞ୍ଜୀକରଣ କରିହେବ।