ଧଳପୁର-ଆଠମଲ୍ଲିକ ନିର୍ମାଣାଧୀନ ସେତୁ ଉପରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

ଶ୍ରମିକଙ୍କ ସୁରକ୍ଷା ପ୍ରତି ଠିକାସଂସ୍ଥାର ଅଣଦେଖା 

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁରରେ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଉପରୁ ତଳକୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଝାଡ଼ଖଣ୍ଡ ରାଜ୍ୟ ଲାତେହାର ଜିଲ୍ଲା କେନରୁ ଗ୍ରାମର କୁଜୁରୁ ଗଂଝୁଙ୍କ ପୁଅ ମନୁ ଗଂଝୁ (୩୦ ବର୍ଷ)। ସେତୁ ଉପରେ କାମ କରୁଥିବା ବେଳେ ହଠାତ୍‌ ନିୟନ୍ତ୍ରଣ ରକ୍ଷା କରିନପାରି ପ୍ରାୟ ୫୦ ଫୁଟ୍‌ ଉପରୁ ଖସି ତଳେ ଥିବା ଏକ ଲୁହା ଏଙ୍ଗେଲ୍‌ରେ ପିଟି ହୋଇ ଗୁରୁତର ଆହତ ହୋଇଥିଲେ। ନିକଟରେ ଥିବା ଶ୍ରମିକମାନେ ଦାୟିତ୍ୱରେ ଥିବା ଠିକା କମ୍ପାନିର ଏକ ଗାଡ଼ିରେ ତାଙ୍କୁ ସ୍ଥାନୀୟ ପୁରୁଣାକଟକ ସିଏଚ୍‌ସିକୁ ଆଣିଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନା ପାଇ ହରଭଙ୍ଗା ପୁଲିସ୍‌ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇବାକୁ ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ଅନ୍ୟପଟେ ଅଘଟଣର ଶିକାର ହୋଇଥିବା ମୃତ ଶ୍ରମିକ ଜଣକ ଦୁର୍ଘଟଣା ସମୟରେ ଦେହରେ ସେପ୍ଟି ବେଲ୍ଟ ଓ ମୁଣ୍ଡରେ ହେଲ୍‌ମେଟ୍‌ ଲଗାଇ ନଥିବା ଅଭିଯୋଗ ହୋଇଛି। କମ୍ପାନି କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଚୈତନ୍ୟ ଦେହୁରୀଙ୍କୁ ପଚାରିବାରୁ, ସେତୁର ରେଲିଂଗ୍‌ ଗାର୍ଡ ପୋଷ୍ଟ କାର୍ଯ୍ୟ କରୁଥିବା ଶ୍ରମିକ ଜଣକ ଖାଇବା ପାଇଁ ରଶି ସିଡ଼ି ସାହଯ୍ୟରେ ତଳକୁ ଓଲ୍ଲାଉଥିବା ବେଳେ ଗୋଡ଼ ଖସିଯିବାରୁ ପଡ଼ି ଯାଇଥିଲେ। ଏନେଇ କମ୍ପାନିର ଇନ୍‌ଚାର୍ଜଙ୍କ ଠାରୁ ଜାଣିଲୁ। ସେତୁ ଉପରେ କାମ କରୁଥିବା ସମସ୍ତ ଶ୍ରମିକ ରଶି ସିଡ଼ିରେ ଉପରକୁ ଯାତାୟାତ କରୁଛନ୍ତି କି ବୋଲି ପ୍ରଶ୍ନ କରିବାରୁ ସେ କିଛି କହିନଥିଲେ। ଆଶ୍ଚର୍ଯ୍ୟର କଥାହେଲା ଏହି ଘଟଣାଟି ଅପରାହ୍ଣ ୩ଟାରେ ଘଟିଯାଇଥିବା ବେଳେ ରାତି ୭ଟା ସମୟରେ ଏନେଇ ବୌଦ୍ଧ ପୂର୍ତ୍ତ ଡିଭିଜନ୍‌ର ନିର୍ବାହୀଯନ୍ତ୍ରୀ ଶାନ୍ତନୁ ନାଏକଙ୍କ ମତାମତ ପାଇଁ ଯୋଗାଯୋଗ କରିବାରୁ, ମୁଁ ଏସମ୍ପର୍କରେ କିଛି ସୂଚନା ପାଇନାହିଁ ବୋଲି କହିଥିଲେ। ତେବେ ଘଟଣାର ସମ୍ବେଦନଶୀଳତା ଓ ଆଗକୁ ସାବଧାନତା ଅବଲମ୍ବନ କରିବା ଦୃଷ୍ଟିରୁ ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର