୩୦୮ ଟଙ୍କା ମଜୁରି ବଦଳରେ ଶ୍ରମିକଙ୍କୁ ମିଳୁଛି ୨୧୫ ଟଙ୍କା: ସାଲୁଜା

ଦାଦନ ପ୍ରବଣ ବ୍ଲକରେ ମନରେଗା ଯୋଜନାର ବିଚିତ୍ର ସ୍ଥିତି
କମ୍‌ ଟଙ୍କାରେ କାମ କରିବାକୁ ଶ୍ରମିକ ରାଜି ହେଉନାହାନ୍ତି

ଭୁବନେଶ୍ବର : ମନରେଗା ଯୋଜନାରେ ଏବେ ଶ୍ରମିକଙ୍କୁ ମଜୁରି ମିଳୁଛି ୨୧୫ ଟଙ୍କା। ଗତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ଯୋଜନା‌ରେ ପ୍ରତ୍ୟେକ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ୩୦୮ ଟଙ୍କା ଯାଉଥିଲା। ଏପ୍ରିଲ୍‌ ୧ ତାରିଖରୁ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ପଡ଼ୁଛି ୨୧୫ ଟଙ୍କା। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା।

ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି, ଓଡ଼ିଶା ସରକାର ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍‌ରେ ରାଜ୍ୟରେ ଥିବା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୨୦ଟି ଦାଦନ ପ୍ରବଣ ବ୍ଲକ୍‌ରେ ମନରେଗା ଯୋଜନା ଅନ୍ତର୍ଗତ ରାଜ୍ୟ ସରକାରଙ୍କ ଅଂଶ ବାବଦରେ ଶ୍ରମିକଙ୍କ ମଜୁରି ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ତାହେଲେ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଶ୍ରମିକଙ୍କ ଖାତାକୁ ମଜୁରି ବାବଦରେ ୯୩ ଟଙ୍କା କମ୍‌ କିପରି ମିଳୁଛି। ଯାହାକି ଗତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମିଳୁଥିଲା। ଏହି ଅର୍ଥ ଯାଉଛି କୁଆଡ଼େ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ବଲାଙ୍ଗୀର ଜିଲ୍ଲାର ଉଦାହରଣ ଦେଇ ସେ ଦର୍ଶାଇଛନ୍ତି, ବଙ୍ଗମୁଣ୍ଡା, ବେଲପଡ଼ା, ଖପ୍ରାଖୋଲ, ମୁରିବାହାଲ, ଟିଟିଲାଗଡ଼ ଓ ତୁରେକେଲା ବ୍ଲକ୍‌ରେ ମୋଟ ୩ ଲକ୍ଷ ୬୦ ହଜାର ୭୯୧ଟି ପରିବାରଙ୍କୁ ଜବ୍‌ କାର୍ଡ଼ ଦିଆଯାଇଛି। ସେଥିରୁ ଗତ ଏପ୍ରିଲ୍‌ ପହିଲାରୁ ଏବେସୁଦ୍ଧା ମାତ୍ର ୮୫ ହଜାର ୩୩୧ ଜଣଙ୍କୁ ମନରେଗା ଯୋଜନାରେ କାମ ମିଳିଛି। ଆଉ ପ୍ରତ୍ୟେକ ଶ୍ରମିକଙ୍କ ମଜୁରି ବାବଦରେ ସେମାନଙ୍କ ଖାତାକୁ ୨୧୫ ଟଙ୍କା ଲେଖାଏଁ ଯାଇଛି। ସେହିପରି ଖରିଆର ନିର୍ବାଚନ ମଣ୍ଜଳିର ଖରିଆର ବ୍ଲକରେ ୫ ହଜାର ୪୦୮ ଓ ସିନାପାଲି ବ୍ଲକରେ ୯ ହଜାର ୯୭୭ ଜଣଙ୍କୁ କାମ ଯୋଗାଇ ଦିଆଯାଇଛି। ସେହିପରି ବୋଡ଼େନ୍‌ ବ୍ଲକରେ ମେ ମାସ ୧୫ ତାରିଖ ସୁଦ୍ଧା ୫ ହଜାର ୩୦୮ ଜଣଙ୍କୁ କାମ ଯୋଗାଇ ଦିଆଯାଇଛି। କିନ୍ତୁ ସମସ୍ତଙ୍କ ବ୍ୟାଙ୍କ ଖାତାକୁ ମଜୁରି ବାବଦରେ ମିଳିଛି ୨୧୫ ଟଙ୍କା। ଯାହାକୁ ନେଇ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏବେ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ଆରମ୍ଭ କଲେଣି। ବିଶେଷକରି ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନା ଓ ତାମିଲନାଡ଼ୁ ରାଜ୍ୟର ଇଟିଭାଟିରେ କାମ କରୁଥିବା ଦାଦନ ଶ୍ରମିକମାନେ ରାଜ୍ୟକୁ ଫେରିବା ଆରମ୍ଭ କଲେଣି। କରୋନା ମହାମାରୀ ପାଇଁ ମନରେଗା ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ସରକାର ଗତବର୍ଷଠାରୁ ଘୋଷଣା କରିଛନ୍ତି। ଚଳିତବର୍ଷ ବି କରୋନା ମହାମାରୀ ଜାରି ଅଛି। ଏବେ ଯେଉଁ ଶ୍ରମିକମାନେ ରାଜ୍ୟକୁ ଫେରିଲେଣି ମନରେଗା ଯୋଜନାରେ ଏତେ କମ୍‌ ଟଙ୍କାରେ କାମ କରିବାକୁ ରାଜି ହେଉନାହାନ୍ତି ବୋଲି ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର