ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ କାରଖାନାରେ ୪ ଦିନ ହେଲା କର୍ମଚାରୀମାନେ ୨ ଟି ଫାଟକରେ ତାଲା ପକାଇ ଆନ୍ଦୋଳନ ଚଳାଇଛନ୍ତି। ଫଳରେ କାରଖାନା ଭିତରେ ଓ ବାହାରେ ବହୁ କୋଇଲା ବୋଝେଇ ଟ୍ରକ ଖାଲି ନ ହୋଇ ଅଟକି ରହିଛି। କଳିଙ୍ଗନଗର ପୁଲିସ କାରଖାନା ଫାଟକ ନିକଟରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ବି ହେଲେ କର୍ମଚାରୀମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

Advertisment

ସେମାନଙ୍କ କହିବା କଥା ହେଲା ଗତ ମେ ମାସ ୨୫ ତାରିଖ ଦିନ କଳିଙ୍ଗନଗର ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ କାରଖାନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ମେସ୍କୋ କର୍ମଚାରୀ ସଂଘ ମଧ୍ୟରେ ଏକ ବୈଠକ ବସିଥିଲା। ଆସନ୍ତା ୬ ମାସ ପର୍ଯ୍ୟନ୍ତ କାରଖାନା ବନ୍ଦ ରହିବ ବୋଲି ସେଠାରେ କୁହାଯାଇଥିଲା। ଜୁନ୍, ଜୁଲାଇ ୨ ମାସର ଦରମା ବାବଦକୁ ୪ ହଜାର ଟଙ୍କା କରି ୩୦୦ କର୍ମଚାରୀଙ୍କୁ ପ୍ରଦାନ  କରାଯିବାକୁ ସେଥିରେ ନିଷ୍ପତ୍ତି ହୋଇଥିଲା। ଅଗଷ୍ଟ ମାସରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଜୁନ, ଜୁଲାଇ ୨ ମାସର ଦରମା ଠିକ୍ ଭାବେ ପ୍ରଦାନ କରାଯାଇଥିଲା। ଅଗଷ୍ଟ ୪ ତାରିଖରେ ଏଡିଏମ୍‌ଙ୍କ କର୍ଯ୍ୟାଳୟ ପରିସରରେ କାରଖାନା କର୍ତ୍ତୃପକ୍ଷଙ୍କ ସହ ପୁନର୍ବାର ଏକ ବୈଠକ ହୋଇଥିଲା। ଏଥିରେ ସଂଘ ପକ୍ଷରୁ ଅଧିକ ୨ ହଜାର ଟଙ୍କା ଦରମା ଦେବାକୁ ପ୍ରସ୍ତାବ ରଖା ଯାଇଥିଲା। କାରଖାନା କର୍ତ୍ତୃପକ୍ଷ ଏଥିରେ ରାଜି ହୋଇନଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

କର୍ମଚାରୀମାନଙ୍କ କହିବା କଥା, ଆଉ ୩ ମାସ ପରେ କାରଖାନା ବନ୍ଦ ହେବାକୁ ୩୬ ମାସ ପୂରିବ। ପିଏଫ୍ ଓ ବେସିକ ଡିଏର ସମୟ ସୀମା ଶେଷ ହେଉଥିବାରୁ ପିଏଫ କଟାଯିବା ସହ ନିୟମିତ ଦରମା ବେସିକ ଡିଏ ହିସାବରେ ପ୍ରଦାନ କରିବାକୁ ଦାବି କରିଥିଲେ। ମାତ୍ର ଦାବି ପୂରଣ ହୋଇନଥିଲା। ଏହି ଦାବି ନେଇ କର୍ମଚାରୀମାନେ ଗତ ସୋମବାର କାରଖାନାର ୨ ଟି ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ତାଲଚେରରୁ ଆସିଥିବା ଶତାଧିକ କୋଇଲା ବୋଝେଇ ଟ୍ରକ ଫାଟକ ଭିତରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ରାତି ପର୍ଯ୍ୟନ୍ତ ଫାଟକ ବନ୍ଦ ରହିଛି। ପୁଲିସ ପ୍ରଶାସନ ପକ୍ଷରୁ ଗାଡ଼ିଗୁଡ଼ିକୁ ଅନଲୋଡିଂ କରିବା ପାଇଁ ଉଦ୍ୟମ ଜାରି ରହିଛି।