ନିଯୁକ୍ତି ଦାବିରେ ଜଜାଙ୍ଗ ଖଣିରେ ଶ୍ରମିକ ଆନ୍ଦୋଳନ

ଯୋଡ଼ା: ଯୋଡ଼ା ଖଣିମଣ୍ଡଳ ଅଧୀନ ଜଜାଙ୍ଗ ଖଣିରେ ନିଯୁକ୍ତି ଦାବି କରି ଶ୍ରମିକ ସଂଘ କେନ୍ଦୁଝର ମାଇନ୍ସ ଆଣ୍ଡ ଫିଲ୍ଡ ୱାର୍କର୍ସ ୟୁନିଅନର ଶତାଧିକ ପୁରୁଷମହିଳା ଏକତ୍ରିତ ହୋଇ ଆଜି ଧାରଣାରେ ବସିଥିଲେ।  ଶ୍ରମିକ ସଂଘର ସାଧାରଣ ସମ୍ପାଦକ ହରେକୃଷ୍ଣ ବେହେରା ସୂଚନା ଦେଇ କହିଛନ୍ତି ଯେ, ପୂର୍ବରୁ ଏହି ଖଣି ଲିଜ ପାଇଥିବା ଖଣି କମ୍ପାନିରେ ସ୍ଥାନୀୟ ବାସିନ୍ଦା ନିଯୁକ୍ତି ପାଇଥିଲେ।  ପରବର୍ତ୍ତୀ ସମୟରେ ଖଣି ନିଲାମ ପରେ ଅନ୍ୟ ଏକ ଖଣି କମ୍ପାନି ହାତେଇବା ପରେ ଉକ୍ତ ଶ୍ରମିକଙ୍କୁ ନିଯୁକ୍ତି ଦେଇ ନାହିଁ। କାଁଭାଁ କିଛି ଶ୍ରମିକଙ୍କୁ ନିଯୁକ୍ତି ଦେଇ ଅବଶିଷ୍ଟ ଶ୍ରମିକଙ୍କୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି ଦେଇ ନାହିଁ। ଏ ନେଇ ଗତ ଜୁନ ୨୯ ତାରିଖରେ ସଂଘ ପକ୍ଷରୁ ଲିଖିତ ଭାବେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଦେଇଥିଲା।

କମ୍ପାନି ପକ୍ଷରୁ ମଧ୍ୟ ନୂତନ ଭାବେ କାର୍ଯ୍ୟ ପାଇଥିବା ଠିକା ସଂସ୍ଥାରେ ପୂର୍ବ ଶ୍ରମିକଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଁଥିଲା। ଦାବିପତ୍ରରେ ପୂର୍ବ ଶ୍ରମିକଙ୍କୁ ଯୋଗ୍ୟତା ଭିତ୍ତିରେ ପର୍ଯ୍ୟାୟ କ୍ରମେ ନିଯୁକ୍ତି ଦେବା ପାଇଁ ଉଲ୍ଲେଖ କରାଯାଇଥିଲା। ହେଲେ ଦୀର୍ଘ ୧୦ ଦିନ ବିତିଯାଇଥିଲେ ହେଁ କମ୍ପାନି ପକ୍ଷରୁ ଏହାର କୌଣସି ସମାଧାନ କରା ନ ଯିବାରୁ ଶନିବାର ପୂର୍ବାହ୍ନରେ ଶ୍ରମିକ ସଂଘର ଶତାଧିକ ମହିଳା ପୁରୁଷ କମ୍ପାନି ନିକଟକୁ ଯାଇ ନିଯୁକ୍ତି ସମ୍ବନ୍ଧରେ ପଚାରିଥିଲେ।

କମ୍ପାନି ପକ୍ଷରୁ ୬ ଜଣଙ୍କୁ ପ୍ରଥମେ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ସଂଘ ପକ୍ଷରୁ ଜଜାଙ୍ଗ, ଜମିର୍ତ୍ତା, ଗୁରୁତୁଆଁ, କମଳପୁର, ଲହୁଣୀପଶି, ବନ୍ଧୁଆବେଡ଼ା, ଗୁରୁବେଡ଼ା ପ୍ରଭୃତି ୬ଟି ଗ୍ରାମର ଲୋକଙ୍କୁ ନିଯୁକ୍ତି ପାଇଁ ପଠାଇବାରୁ ପରବର୍ତ୍ତୀ ସମୟରେ କମ୍ପାନି ପକ୍ଷରୁ ଏହାକୁ ମନା କରିଦିଆଯାଇଥିବା ସଂଘର ସଂପାଦକ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରକ୍ଷା କରି ପାରି ନ ଥିବା କମ୍ପାନି ବିରୋଧରେ ଅସନ୍ତୋଷ ହୋଇ ଖଣି ର ୨ନଂ ଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ। ଯେପର୍ଯ୍ୟନ୍ତ ଶ୍ରମିକଙ୍କ ନାଯ୍ୟ ଦାବି ପୂରଣ ନ ହୋଇଛି ସେଯାଏ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର