ମୁରିବାହାଲ : ନଅ ମାସ ତଳେ ମନରେଗାରେ କାମ ହୋଇଥିଲା। ଦୁଇପଇସା ରୋଜଗାର ଆଶାରେ କଠିନ ମାଟିବୁହା କାମ କରିଥିଲେ ଶ୍ରମିକମାନେ। ହେଲେ ଆଜିଯାଏ ସେହି କାମର ପାଉଣା ମିଳି ନାହିଁ। ଏଭଳି ଅଭିଯୋଗ କରି ମୁରିବାହାଲ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ଏହି ବ୍ଲକ୍‌ ଅନ୍ତର୍ଗତ ବିଟାବନ୍ଧ ପଞ୍ଚାୟତ ସଦର ଗାଁର ଶ୍ରମିକମାନେ।

Advertisment

ଶ୍ରମିକମାନଙ୍କ ଅଭିଯୋଗ ଅନୁସାରେ, ସେମାନେ ଗ୍ରାମର ଉପରମୁଣ୍ଡରେ ମନରେଗା ଫେଜ୍‌-୩ରେ ମାଟିକାମ କରିଥିଲେ। ଇତିମଧ୍ୟରେ ୯ମାସ ବିତିଯାଇଥିଲେ ମଧ୍ୟ ମଜୁରି ତ ଦୂରର କଥା ଦାୟିତ୍ୱରେ ଥିବା ଜେଇଙ୍କଠାରୁ ଏଷ୍ଟିମେଟ ଏପର୍ଯ୍ୟନ୍ତ ବ୍ଲକ୍‌କୁ ଆସି ନାହିଁ। ଏ ସମ୍ପର୍କରେ ଶ୍ରମିକମାନେ ବାରମ୍ବାର ଜିଆର୍‌ଏସ୍‌ ହୃଷୀକେଶ ବେହେରାଙ୍କୁ ପଚାରିବାରୁ ବ୍ଲକ୍‌ କର୍ମଚାରୀଙ୍କୁ କହିସାରିଛନ୍ତି ବୋଲି କହିଥିଲେ। ଏପିଓ ସୁଶାନ୍ତ ଦାସଙ୍କୁ ପଚାରିବାରୁ ତାଙ୍କ ପାଖକୁ ଆସି ନାହିଁ ବୋଲି କହିଥିଲେ। ସେହିପରି ଜେଇ ଦେବାନନ୍ଦ ମେହେରଙ୍କୁ ଫୋନ୍‌ରେ ପଚାରିବାରୁ ଦେଖିକି ପଠାଉଛି ବୋଲି କହିଥିବା ସେମାନେ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ମନରେଗା ଶ୍ରମିକ ଦୁର୍ଯ୍ୟୋଧନ ଘିବେଲା, ହେମନ୍ତ ଘିବେଲା, ସନାତନ ରଣା, ସୁଶୀଳା ଘିବେଲା, ସନ୍ତୋଷିନୀ ରଣା, ଜମ୍ବୁବତୀ ରଣା, କସ୍ତୁରୀ ଘିବେଲା, ହୈମବନ୍ତୀ ଘିବେଲା, ପଞ୍ଚବତୀ ରଣାଙ୍କ ସହ ବହୁ ଶ୍ରମିକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏପିଓ ସୁଶାନ୍ତ ଦାସ ଏଫ୍‌ଟିଓ ହୋଇଯାଇଛି ଶୀଘ୍ର ଶ୍ରମିକଙ୍କ ପାସ୍‌ବହିରେ ମଜୁରି ଅର୍ଥ ଜମା ହୋଇଯିବ ବୋଲି ସେ କହିଥିଲେ। ସେହିପରି ବିଡିଓ ପ୍ରିୟରଞ୍ଜନ କୁମାର ମନରେଗା ଶ୍ରମିକଙ୍କ ମଜୁରି ବାବଦ ବକେୟା ଶୀଘ୍ର ସମାଧାନ କରିବାକୁ ଶ୍ରମିକଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।