କନ୍ଧମାଳରେ ମିଳୁନି କାମଧନ୍ଦା : ଲକ୍‌ଡାଉନରେ ଫେରିଥିଲେ, ଏବେ ପୁଣି ବାହାର ରାଜ୍ୟମୁହାଁ 

 

ଫୁଲବାଣୀ :  ଲକ୍‌ଡାଉନ ସମୟରେ ଗତବର୍ଷ କନ୍ଧମାଳ ଜିଲ୍ଲାକୁ ଫେରି ଆସିଥିବା ଶ୍ରମିକମାନେ କାମଧନ୍ଦା ନ ପାଇ ପୁଣି ଫେରିଗଲେଣି।
ସୂଚନାଯୋଗ୍ୟ, କରୋନା ଲକ୍‌ଡାଉନ ସମୟରେ ଜିଲ୍ଲା ବାହାରେ ଇଟାଭାଟି, କାରଖାନାରେ କାମ କରୁଥିବା ଶ୍ରମିକମାନେ କନ୍ଧମାଳ ଜିଲ୍ଲାକୁ ଫେରି ଆସିଥିଲେ। କରୋନା ଲକ୍‌ଡାଉନ ଯୋଗୁଁ କାମଧନ୍ଦା ହରାଇ ଗତବର୍ଷ ଜିଲ୍ଲାକୁ ମୋଟ ୧୦,୯୩୪ ଜଣ ଶ୍ରମିକ ଫେରିଥିଲେ। ସେମାନେ କିଛିଦିନ ଜିଲ୍ଲାରେ ରହିଥିଲେ। ମାତ୍ର ଏଠାରେ ସେମାନଙ୍କୁ ଉପଯୁକ୍ତ କାମଧନ୍ଦା ନ ମିଳିବାରୁ ସେମାନେ ପୁଣି ନିଜର ପୂର୍ବସ୍ଥାନକୁ ଦାଦନ ଖଟିବାକୁ ପଳାଇ ଯାଉଛନ୍ତି।
ଗତବର୍ଷ ଲକ୍‌ଡାଉନ ସମୟରେ ବାଲିଗୁଡ଼ା ବ୍ଲକ୍‌କୁ ୬୪୪ ଜଣ ଶ୍ରମିକ ଫେରିଥିବାବେଳେ ଚକାପାଦ ବ୍ଲକ୍‌କୁ ୭୪୧ ଜଣ, ଦାରିଙ୍ଗବାଡ଼ିକୁ ୧୮୨୧ ଜଣ, ଘୁ. ଉଦୟଗିରି ବ୍ଲକ୍‌କୁ ୧୧୨୧ ଜଣ, କ.ନୂଆଗାଁ ବ୍ଲକ୍‌କୁ ୮୯୩, ଖଜୁରୀପଡ଼ା ବ୍ଲକ୍‌କୁ ୫୮୫ ଜଣ, କୋଟଗଡ଼ ବ୍ଲକ୍‌କୁ ୮୫୦ ଜଣ, ଫିରିଙ୍ଗିଆ ବ୍ଲକ୍‌କୁ ୧୦୦୨ ଜଣ, ଫୁଲବାଣୀ ବ୍ଲକ୍‌କୁ ୫୪୦ ଜଣ, ରାଇକିଆ ବ୍ଲକ୍‌କୁ ୧୧୧୨ ଜଣ, ଟିକାବାଲି ବ୍ଲକ୍‌କୁ ୯୫୧ ଜଣ ଓ  ତୁମୁଡ଼ିବନ୍ଧ ବ୍ଲକ୍‌କୁ ୬୭୪ ଜଣ ଶ୍ରମିକ ଫେରିଥିବା ନେଇ ଜିଲ୍ଲା ପ୍ରଶାସନ ପାଖରେ ସୂଚନା ଥିଲା। ଏହିସବୁ ଶ୍ରମିକମାନେ ନିଜ ଅଞ୍ଚଳକୁ ଫେରିବା ପରେ ସେମାନେ ଆଶା କରିଥିଲେ ସେମାନଙ୍କୁ ଉପଯୁକ୍ତ କାମଧନ୍ଦା ମିଳିବ। ମାତ୍ର ମାସମାସ ଧରି ଘରେ ବସି ରହିବା ସତ୍ତ୍ବେ କାମଧନ୍ଦା ନ ମିଳିବାରୁ ସେମାନେ ପୁଣି ଦାଦନ ପାଇଁ ବାହାର ରାଜ୍ୟମୁହାଁ ହୋଇଛନ୍ତି। ଏହି ଶ୍ରମିକମାନେ ବସ୍‌ ଯୋଗେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି। ଏମ୍‌ଏନ୍‌ଆରଇଜିଏ ଯୋଜନାରେ ସରକାର ଶ୍ରମିକମାନଙ୍କୁ କାମ ଯୋଗେଇ ଦେଉଛନ୍ତି ବୋଲି କହୁଥିବାବେଳେ ମଜୁରି ମିଳିବାରେ ବିଳମ୍ବ ଓ ଅନ୍ୟାନ୍ୟ କାରଣରୁ ଶ୍ରମିକ ଅଧିକ ରୋଜଗାର ଆଶାରେ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି।
ସମ୍ବନ୍ଧିତ ଖବର