ସହାୟତା ଅର୍ଥ ଲୁଟୁଛନ୍ତି ଶ୍ରମିକ ସଙ୍ଗଠନ! ସହାୟତା ରାଶିର ନେଉଛନ୍ତି ୧୦ରୁ ୧୫% କମିସନ

ନେତାଙ୍କ ହାତରେ ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କ ଖାତା ଓ ଏଟିଏମ୍‌ କାର୍ଡ

ରାଉରକେଲା : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗଠନ ହୋଇଛି ଶ୍ରମିକ କଲ୍ୟାଣବୋର୍ଡ। ଏହା ଜରିଆରେ ପ୍ରତିବର୍ଷ ପ୍ରତ୍ୟେକ ଜିଲ୍ଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ପଞ୍ଜିକୃତ ହେବାର ବର୍ଷକ ପରେ ନିର୍ମାଣ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ସହାୟତା ମାଧ୍ୟମ‌ରେ ସରକାରଙ୍କ ପକ୍ଷରୁ ଏସବୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ସାଇକଲ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସହାୟତା ମିଳୁଛି। ଅନ୍‌ ଲାଇନ୍‌ରେ ନିର୍ମାଣ ଶ୍ରମିକଙ୍କ ଖାତାକୁ ଆର୍ଥିକ ସହାୟତା ଆସୁଛି। ସହରର କିଛି ପଞ୍ଜିକୃତ ଶ୍ରମିକ ସଙ୍ଗଠନର ନେତା ଏହାର ଫାଇଦା ଉଠାଉଛନ୍ତି ବୋଲି ଅଭିଯୋଗ ହେଉଛି। ଏମାନେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ କର୍ମଚାରୀଙ୍କୁ ନିଯୁକ୍ତି କରି ଶ୍ରମିକଙ୍କ ନାଁ ପଞ୍ଜିକୃତ କରୁଛନ୍ତି। କେବଳ ବ୍ଲକ ନୁହେଁ, ସହରରେ ମଧ୍ୟ ନିଜସ୍ବ ଅଫିସ ଖୋଲି ଏଭଳି କାମ କରୁଛନ୍ତି। ଶ୍ରମିକଙ୍କ ନାଁ ପଞ୍ଜିକୃତ ହେବା ପରେ ସହାୟତା ଅର୍ଥ ଆସିବାକୁ ସେମାନଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଛନ୍ତି। ବିଭିନ୍ନ ଆଳ ଦେଖାଇ ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କ ଖାତା ଓ ଏଟିଏମ୍‌ କାର୍ଡ ସେମାନଙ୍କୁ ନ ଦେଇ ନିଜ ପାଖରେ ରଖୁଛନ୍ତି। କିଛି ନିର୍ଦ୍ଦିଷ୍ଟ ଶ୍ରମିକ ସଙ୍ଗଠନର ନେତାଙ୍କ ପାଖରେ ୩୦୦ରୁ ୪୦୦ ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କ ଖାତା ଓ ଏଟିଏମ୍‌ କାର୍ଡ ରହିଥିବା ପଞ୍ଜିକୃତ ନିର୍ମାଣ ଶ୍ରମିକ ଅଭିଯୋଗ କରିଛନ୍ତି।

କେଉଁ ନିର୍ମାଣ ଶ୍ରମିକଙ୍କ ଖାତାକୁ କେଉଁ ବାବଦରେ କେତେ ଟଙ୍କା ଆସୁଛି, ପ୍ରଥମେ ଏହି କରିତ୍‌କର୍ମା ଶ୍ରମିକ ନେତାମାନେ ଜାଣୁଛନ୍ତି। ତା’ ପରେ ଆରମ୍ଭ ହୋଇଯାଉଛି କମିସନ କାରବାର। ଯେଉଁମାନଙ୍କ ଖାତାକୁ ଟଙ୍କା ଆସିଛି, ସେମାନଙ୍କୁ ନିଜ ଅଫିସ୍‌କୁ ଡାକୁଛନ୍ତି। ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଉଠାଣ ଫର୍ମରେ ଦସ୍ତଖତ ମାରିବାକୁ କହୁଛନ୍ତି। ନିରୀହ ଗରିବ ଶ୍ରମିକମାନେ ଉଠାଣ ଫର୍ମରେ ଦସ୍ତଖତ ମାରିବା ପରେ ନେତାମାନେ ନିଜର କର୍ମଚାରୀଙ୍କୁ ପଠାଇ ବ୍ୟାଙ୍କରୁ ଟଙ୍କା ଉଠାଉଛନ୍ତି। ଯେତିକି ଟଙ୍କା ଉଠାଉଛନ୍ତି, ତା’ର ୧୦ରୁ ୧୫% କମିସନ କାଟି ଅବଶିଷ୍ଟ ଟଙ୍କା ନିର୍ମାଣ ଶ୍ରମିକମାନଙ୍କୁ ଦେଉଛନ୍ତି। ବର୍ଷ ବର୍ଷ ଧରି ନିର୍ମାଣ ଶ୍ରମିକଙ୍କ ଆର୍ଥିକ ସହାୟତା ଲୁଟି ଚାଲିଥିବା କିଛି ନିର୍ଦ୍ଦିଷ୍ଟ ଶ୍ରମିକ ସଙ୍ଗଠନ ନେତାଙ୍କ ବିରୋଧରେ ବାରମ୍ବାର ଏମିତି ସାଂଘାତିକ ଅଭିଯୋଗ ଆସୁଛି। କିନ୍ତୁ କାହିଁକି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ ଜିଲ୍ଳାରେ ଆଜି ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୨୫ ହଜାର ଶ୍ରମିକ ପଞ୍ଜିକୃ୍ତ ହୋଇଛନ୍ତି। ଜିଲ୍ଲାରେ ପ୍ରତିବର୍ଷ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଶ୍ରମିକ କଲ୍ୟାଣ ପାଣ୍ଠିରୁ ୧୦ରୁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସହାୟତା ବାବଦରେ ଖର୍ଚ୍ଚ କରାଯାଏ। ଗତବର୍ଷ ସୁନ୍ଦରଗଡ ଜିଲ୍ଲାରେ ୧୦ କୋଟିର ସହାୟତା ପ୍ରଦାନ କରାଯାଇଥିଲା। ପିଲାଙ୍କ ଶିକ୍ଷା ପାଇଁ ଜଣେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୩ ହଜାର ଟଙ୍କାରୁ ଆରମ୍ଭ କରି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ଏମ୍‌ବିଏ ଓ ଏମ୍‌ସିଏ ଶିକ୍ଷା ପାଇଁ ବର୍ଷକୁ ୪୦ ହଜାର, ବିବାହ ପାଇଁ ୫୦ ହଜାର, ପ୍ରସୂତିକାଳୀନ ସହାୟତା ୧୦ ହଜାର ଟଙ୍କା ମିଳିଥାଏ। ଚଳିତ ବର୍ଷ ଶିକ୍ଷା ସହାୟତା ପାଇଁ ୭୦୦, ବିବାହ ସହାୟତା ପାଇଁ ୧୫୦ରୁ ଅଧିକ, ପ୍ରସୂତିକାଳୀନ ସହାୟତା ପାଇଁ ୫୦ରୁ ଅଧିକ ନିର୍ମାଣ ଶ୍ରମିକ ଆବେଦନ କରିଛନ୍ତି। ଏ ବାବଦରେ ପାଖାପାଖି ୮ କୋଟି ଟଙ୍କା ମିଳିବାର ଅଛି। ରାଉରକେଲା ଶ୍ରମ କାର୍ଯ୍ୟାଳୟରେ ୪୩ରୁ ଅଧିକ ନିର୍ମାଣଶ୍ରମିକ ସଙ୍ଗଠନ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ସଙ୍ଗଠନର ନେତା ବର୍ଷ ବର୍ଷ ଧରି ଏଭଳି ବେଆଇନ କାର୍ଯ୍ୟ କରି ଆସୁଛନ୍ତି। ସେମାନଙ୍କ ପାଖରେ ଅନେକ ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କ ଖାତା ଓ ଏଟିଏମ୍‌ କାର୍ଡ ରହିଛି। ତା’ବଳରେ ସେମାନେ କମିସନ ଲୁଟି ମାଲେମାଲ୍‌ ହେଉଛନ୍ତି। ଏଭଳି ସଙ୍ଗଠନଗୁଡ଼ିକ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାଲାଗି ଦାବି ହେଉଛି।

ସମ୍ବନ୍ଧିତ ଖବର