୩ ମାସ ହେଲା ଦରମା ପାଇ ନାହାନ୍ତି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଅସ୍ଥାୟୀ କର୍ମଚାରୀ; ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ

ମେଡିକାଲ କଲେଜରେ ରୋଗୀସେବା ବାଧାପ୍ରାପ୍ତ, କରୋନା ମୁକାବିଲାରେ ବାଧା ହେବା ନେଇ ଆଶଙ୍କା

କୋରାପୁଟ : ମାସ ମାସ ହେଲା ଦରମା ମିଳୁନି। ଦାବି କଲେ ପ୍ରତିଶ୍ରୁତି ମିଳୁଛି ସିନା, ଦରମା ଦେଉ ନାହାନ୍ତି। ବିନ‌ା ଦରମାରେ ଆଉ କେତେ ଦିନ ଖଟିବୁ ବୋଲି ପ୍ରଶ୍ନ କରିବା ସହ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଅସ୍ଥାୟୀ କର୍ମଚାରୀ। କର୍ମଚାରୀଙ୍କ କାର୍ଯ୍ୟବନ୍ଦ କରିବାରୁ ମେଡିକାଲ କଲେଜରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। କରୋନା ସଂକ୍ରମଣର ମୁକାବିଲାରେ ଏହା ବାଧା ପହଞ୍ଚାଇବାର ଆଶଙ୍କା ଦେଖା ଦେଇଛି। ଅପରପକ୍ଷରେ ଏହି ଆନ୍ଦୋଳନ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ଯେମିତି ପଦକ୍ଷେପ ନେବା କଥା, ନିଆଯାଇନି।

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ସୁରକ୍ଷା କର୍ମୀ, ଝାଡୁଦାର ଏବଂ ସହାୟିକା ମାନେ ମାସ ମାସ ହେଲା ଦରମା ପାଇ ନାହାନ୍ତି। କିଛି କର୍ମଚାରୀଙ୍କୁ ୩ ମାସ ‌ହେଲା ଦରମା ମିଳିନି କେତେକ କର୍ମଚାରୀଙ୍କୁ ୬ ମାସ ଧରି ଦରମା ଦିଆଯାଇନି। ଏହାକୁ ନେଇ ସେମା‌ନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ପୂର୍ବରୁ ଏଥିନେଇ ଆନ୍ଦୋଳନ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବ ଦେଇ ନ ଥିଲେ। ବରଂ କେବଳ ପ୍ରତିଶ୍ରୁତି ଦେଇ କାମ ଚଳାଇ ନେଇଥିଲେ। ଗତ ଡିସେମ୍ବରରେ ହୋଇଥିବା ଆନ୍ଦୋଳନ ପରେ ମାତ୍ର ମାସକର ଦରମା ପ୍ରଦାନ କରାଯାଇଥିଲା। ତେଣୁ କର୍ମଚାରୀମାନେ ଆଜି ପୁଣି କାର୍ଯ୍ୟବନ୍ଦ କରି ମେଡିକାଲ କଲେଜ ସମ୍ମୁଖରେ ଧାରଣା ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ କରୋନା କଟକଣା ପାଇଁ ସେମାନଙ୍କୁ ଧାରଣା ଦେବାକୁ ଅନୁମତି ଦିଆଯାଇ ଥିଲା। ଫଳରେ ଏହି କର୍ମଚାରୀମାନେ କାମ ନ କରି ଏଣେତେଣେ ବୁଲିଥିଲେ।

ଶତାଧିକ ସୁରକ୍ଷା କର୍ମୀ, ଝାଡୁଦାର ଏବଂ ସହାୟିକା କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପରେ ଏହାର ପ୍ରଭାବ ରୋଗୀସେବା ଉପରେ ପଡିଛି। ସିଧାସଳଖ ରୋଗୀସେବା ବାଧାପ୍ରାପ୍ତ ହୋଇ ନ ଥିଲେ ମଧ୍ୟ ବିଭିନ୍ନ ୱାର୍ଡରେ ସହାୟିକା ନ ଥିବାରୁ ରୋଗୀସେବା ଉପରେ ପ୍ରଭାବ ପଡିଛି। ଝାଡୁଦାର କାର୍ଯ୍ୟବନ୍ଦ କରିଥିବାରୁ ବିଭିନ୍ନ ୱାର୍ଡରେ ସଫେଇ ବନ୍ଦ ରହିଛି। ଏପଟେ ସୁରକ୍ଷା କର୍ମୀ ନ ଥିବାରୁ ଭିଡ ନିୟନ୍ତ୍ରଣ ସମ୍ଭବ ହେଉନି। ଏଭଳି ସ୍ଥିତିରେ ମେଡିକାଲ କଲେଜରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭିନ୍ନ ୱାର୍ଡ ମଇଳାରେ ଭର୍ତ୍ତି ହୋଇ ଯାଇଛି। ଇନଡୋରରେ ଥିବା ପାଇଖାନା ଅପରିସ୍କାର ହୋଇଛି। ଠିକ ଭାବେ ସଫା‌ ସୁତୁରା ହେଉ ନ ଥିବାରୁ ସଂକ୍ରମଣର ଆଶଙ୍କା ଉପୁଜିଛି। ଏହା କରୋନା ମୁକାବିଲା ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ସବୁଠାରୁ ଉଦବେଗର ପ୍ରସଙ୍ଗ ହେଉଛି ଯେ, ଏହି କାର୍ଯ୍ୟବନ୍ଦ ସତ୍ତ୍ବେ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାସୁଝା କରି ନାହାନ୍ତି। ଆନ୍ଦୋଳନରୁ ହଟିବା ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଇ ନ ଥିବାରୁ ଏହା ସ୍ଥିତିକୁ ଅଧିକ ଜଟିଳ କରି ଦେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ, ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ କାର୍ଯ୍ୟରତ ସୁରକ୍ଷା କର୍ମୀ, ଝାଡୁଦାର ଓ ସହାୟିକା ମାସ ମାସର ଦରମା ପାଇ ନାହାନ୍ତି। ଭୁବନେଶ୍ୱରର ଏକ ଜବ୍ ପ୍ରୋଭାଇଡର୍ ଘରୋଇ ସଂସ୍ଥା କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମୀ, ଝାଡୁଦାର ଏବଂ ସହାୟିକା ପଦବୀ ନିୟୋଜିତ ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ସହ ଚୁକ୍ତିନାମା କରିଛି। ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋରାପୁଟରୁ ଜୟପୁର ସ୍ଥାନାନ୍ତର ହେବା ପରେ ଏହି ଘରୋଇ ସଂସ୍ଥା ଦ୍ୱାରା ନିୟୋଜିତ କର୍ମଚାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ କାମ କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ସମ୍ପୃକ୍ତ ସଂସ୍ଥା ନିକଟରେ ଟଙ୍କା ଦାଖଲ କରି ନଥିବାରୁ ଏହି ସଂସ୍ଥା ସେମାନଙ୍କୁ ଦରମା ଠିକ ଭାବେ ପ୍ରଦାନ କରୁନଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର