ଶୈଳବାଳା ସ୍ବୟଂଶାସିତ ମହିଳା କଲେଜ ପରିସରକୁ ଲାଗି ରହିଛି ମଧୁସୂଦନ ସ˚ଗ୍ରହାଳୟ। ମଧୁସୂଦନଙ୍କ ଘରର ଏକ ପାର୍ଶ୍ବକୁ ସ˚ଗ୍ରହାଳୟରେ ପରିଣତ କରାଯାଇଛି। ଏହାକୁ ୨୦୦୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସର୍ବସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିଲା। ଇତିମଧୢରେ ୧୫ ବର୍ଷ ବିତି ଯାଇଥିଲେ ବି ଏହାର ବିକାଶ ପାଇଁ ସେପରି କିଛି କରାଯାଇ ନାହିଁ। ସଂଗ୍ରହାଳୟର ପ୍ରଚାର ଓ ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ହୋଇନାହିଁ। ଫଳରେ ସହରର ୬୦ ପ୍ରତିଶତ ଲୋକ ଏହା ବିଷୟରେ ଜାଣି ନାହାନ୍ତି।
ଏଠାରେ ମଧୁ ବାବୁ ବ୍ୟବହାର କରୁଥିବା, ଲୁଗା, ଚମଡ଼ା ଜୋତା ଓ ବ୍ୟାଗ, ଟୋପି, ପିତ୍ତଳ ଓ ମାର୍ବଲର ବାସନ କୁସନ, କପ୍, ପ୍ଲେଟ୍, ଖଟ, ଟେବୁଲ, ଚୌକି, କଲମ ଓ ଦୁଆତ, ପୁରୁଣା ଗ୍ରନ୍ଥ ଓ ପୁସ୍ତକ, ହୋମିଓପାଥି ଔଷଧ ସାରଞ୍ଜାମ ରହିଛି। ଏହାସହ ତାଙ୍କ ଜୀବନର ବିଭିନ୍ନ ଅବସ୍ଥାର ଫଟୋ ଓ ପରିବାର ସଦସ୍ୟଙ୍କ ଫଟୋ ମଧୢ ଏଠାରେ ପ୍ରଦର୍ଶିତ କରାଯାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଠାରେ କିନ୍ତୁ ସେପରି କିଛି କରାଯାଇ ନାହିଁ। ଏପରିକି ପର୍ଯ୍ୟଟକଙ୍କ ପାଇଁ ପିଇବା ପାଣି ଓ ଶୌଚାଳୟ ପରି ମୌଳିକ ସୁବିଧା ସଂଗ୍ରହାଳୟରେ ନାହିଁ। ସଂଗ୍ରହାଳୟର ପ୍ରଚାର ଓ ପ୍ରସାର ଦିଗରେ ଉଦ୍ୟମ କରାଯାଇ ନଥିବାରୁ ୧୫ ବର୍ଷ ମଧ୍ୟରେ ୧୨ ହଜାରରୁ କମ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥିବାର ରେକର୍ଡ କହୁଛି। ସ˚ଗ୍ରହାଳୟରେ ଏବେ ମାତ୍ର ଜଣେ ତତ୍ତ୍ବାବଧାରକ ଥିବା ବେଳେ ଝାଡୁ ମାରିବାକୁ ବି କର୍ମଚାରୀ ନାହାନ୍ତି।
ଟଙ୍କା ନ ନେଇ ଗରିବ ଚାଷୀ ପାଇଁ ଲଢିଲେ; ମହନ୍ତ ହାରିଗଲେ
ଉତ୍କଳଗୌରବ ମଧୁସୂଦନ ଦାସ ଆଇନ ବୃତ୍ତିକୁ ବ୍ୟବସାୟ ଭାବେ ନ ଦେଖି ଦେଶସେବା ଓ ଅନ୍ୟକୁ ସାହାଯ୍ୟ କରିବାର ଏକ ଶ୍ରେଷ୍ଠ ମାଧ୍ୟମ ଭାବେ ଗ୍ରହଣ କରିଥିଲେ। ମଧୁବାବୁ ତାଙ୍କ ଜୀବନକାଳରେ ସଫଳ ଆଇନଜୀବୀ ଭାବେ ଯେଉଁ ଅଜସ୍ର ଅର୍ଥ ଉପାର୍ଜନ କରିଥିଲେ, ଜାତୀୟ ଯଜ୍ଞରେ ତାହାକୁ ବ୍ୟୟ କରି ଓଡ଼ିଆ ଜାତି, ଓଡ଼ିଶା ପ୍ରଦେଶ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ସର୍ବୋପରି ଓଡ଼ିଆ ସ୍ବାଭିମାନର ସୁରକ୍ଷା କରି ମୁତ୍ୟୁବେଳକୁ କପର୍ଦ୍ଦକ ଶୂନ୍ୟ ହୋଇ ଯାଇଥିଲେ। ନିଜର ପାଳିତ କନ୍ୟା ସୁଧାଂଶୁବାଳାଙ୍କୁ ଭାରତର ପ୍ରଥମ ମହିଳା ଓକିଲ ଭାବେ ଆଇନବୃତ୍ତିରେ ପ୍ରବେଶ କରାଇବା ପାଇଁ ସେ ଯେଉଁ ଆଇନଗତ ଲଢ଼େଇ କରିଥିଲେ, ତାହାର ଫଳସ୍ବରୂପ ଦେଶର ମହିଳା ଓକିଲମାନେ ଆଇନବୃତ୍ତିରେ ପାଦ ଥାପିବାର ସୁଯୋଗ ପାଇଥିଲେ।
ମଧୁବାବୁ୍ଙ୍କ ଓକିଲାତି ନିର୍ଦ୍ଦିଷ୍ଟ ଆଦର୍ଶ ଉପରେ ଆଧାରିତ ଥିଲା। ଏହି କାରଣରୁ ମଧୁବାବୁଙ୍କୁ କେହି ଫି’ ଦେଇ ଓକିଲ ଭାବେ ନିଯୁକ୍ତ କରି ପ୍ରତିପକ୍ଷଙ୍କ କ୍ଷତି କରିପାରୁ ନଥିଲେ। କଟକ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଏକ ଫୌଜଦାରୀ ମୋକଦ୍ଦମା ଜଣେ ମହନ୍ତଙ୍କ ବିରୋଧରେ ବିଚାରାଧିନ ଥିଲା। ମହନ୍ତଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ ଜଣେ ଦୁର୍ବଳ ଚାଷୀଙ୍କ ଉପରେ ଆକ୍ରମଣ କରି ତାଙ୍କ ସମ୍ପତ୍ତି ଜବରଦଖଲ କରିଥିଲେ। ମହନ୍ତ ନିଜ ଅର୍ଥ ବଳରେ କଟକର ସମସ୍ତ ଓକିଲଙ୍କ ସ୍ବାକ୍ଷର ନିଜ ଓକିଲାତି ନାମାରେ ନେଇ ଯାଇଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ସବୁ ଓକିଲଙ୍କ ସ୍ବାକ୍ଷର ନିଜ ଓକିଲାତି ନାମାରେ ନେଇଗଲେ, ପ୍ରତିପକ୍ଷ ଆଉ ଓକିଲ ପାଇ ପାରିବେ ନାହିଁ। ବାଧ୍ୟ ହୋଇ ସେ ମହନ୍ତଙ୍କ ସହିତ ବୁଝାମଣା କରିବେ।
ମହନ୍ତ ସବୁ ଓକିଲଙ୍କ ଦସ୍ତଖତ ନେଇ ସାରିବା ପରେ ତାଙ୍କର ମନେ ପଡ଼ିଲା ମଧୁବାବୁଙ୍କ କଥା। ମୋହରିଅର ଶଙ୍କରଙ୍କୁ ଧରି ସେ ମଧୁବାବୁଙ୍କ ପାଖରେ ପହଞ୍ଚିଲେ। ମଧୁବାବୁଙ୍କୁ ଶହେ ଟଙ୍କା ଫି’ ଦେଇ ଓକିଲାତି ନାମାରେ ଦସ୍ତଖତ କରିବା ପାଇଁ ମହନ୍ତ ଅନୁରୋଧ କଲେ। ମହନ୍ତଙ୍କଠାରୁ ସବୁକଥା ଶୁଣିବା ପରେ ତାଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରି ମହନ୍ତଙ୍କ ପ୍ରତିବାଦୀ ଗରିବ ଲୋକଟିର ମୋକଦ୍ଦମା ବିନା ଫି’ରେ ପରିଚାଳନା କରିବାକୁ ମଧୁବାବୁ ସ୍ଥିର କଲେ। ଶେଷରେ ଗରିବ ଚାଷୀଙ୍କର ବିଜୟ ହେଲା। ମଧୁବାବୁଙ୍କ ଜନ୍ମଦିବସକୁ ଆଇନଜୀବୀ ଦିବସ ଭାବେ ପାଳନ କରିବା ଅବସରରେ ସାଧାରଣ ଲୋକଙ୍କ ମୋକଦ୍ଦମା ପରିଚାଳନା କଲାବେଳେ ଆଇନଜୀବୀମାନେ ମଧୁବାବୁଙ୍କ ଆଦର୍ଶକୁ ଅନୁସରଣ କରିବା ଆବଶ୍ୟକ।
ଦେବସ୍ନାନ ଦାସ
ଆଇନଜୀବୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ଦୂରଭାଷ-୯୪୩୭୩୫୨୯୭୮