ଭୁବନେଶ୍ବର : ଚଳିତ ଶିକ୍ଷା ବର୍ଷଠାରୁ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ଶିକ୍ଷାନୀତି-୨୦୨୦’ ଲାଗୁ କରାଯାଇଛି। ଏପରି କରିବାରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପୂର୍ବ ଭାରତରେ ପ୍ରଥମ। ଏହି ଅବସରରେ ଗୁରୁବାର ବିଶ୍ବବିଦ୍ୟାଳୟ ପରିସରରେ ଶିକ୍ଷାନୀତିର ସଫଳ କାର୍ଯ୍ୟକାରିତା ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଶ୍ରୀ ପ୍ରଫେସର୍ ଆଦିତ୍ୟ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର କୁଳସଚିବ, ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଅଧ୍ୟାପକ/ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ଏହି ନୂତନ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏଥିରେ ଥିବା ମାର୍ଗଦର୍ଶନ ସମ୍ପର୍କରେ କର୍ମଶାଳାରେ ଆଲୋଚନା କରାଯାଇଥିଲା। ବିଶ୍ୱବିଦ୍ୟାଳୟରେ କିପରି ଏହାର ସଫଳ ପ୍ରୟୋଗ କରାଯିବ, ତାହା ଉପରେ କୁଳପତି ଗୁରୁତ୍ବ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଓ ପ୍ରୟୋଗାତ୍ମକ ଶିକ୍ଷା ସହ ଗବେଷଣା ଓ ଦକ୍ଷତା ବିକାଶ ଲାଗି ବ୍ୟାପକ ସୁଯୋଗ ସୃଷ୍ଟି କରିବା ଉପରେ ଏହି ନୂତନ ଜାତୀୟ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି। ଏହାକୁ ସଠିକ୍ ଭାବେ ଲାଗୁ କରି ଆମର ଭବିଷ୍ୟତ ପିଢ଼ିକୁ ପ୍ରସ୍ତୁତ କରିବାକୁ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତିବଦ୍ଧ ବୋଲି କୁଳପତି ଶ୍ରୀ ଦାଶ କହିଥିଲେ। ଏହି କର୍ମଶାଳାରେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ‘ଜାତୀୟ ଶିକ୍ଷାନୀତି ୨୦୨୦’ ସୁଯୋଗ, ସମାନତା, ଗୁଣବତ୍ତା ଏବଂ ଉତ୍ତରଦାୟିତ୍ୱ ଆଦି ବିଭିନ୍ନ ଦିଗ ଉପରେ ଆଧାରିତ। ଏହା ସ୍ନାତକ ଶିକ୍ଷା କ୍ଷେତ୍ରରେ ଏକ ବ୍ୟାପକ, ବହୁ ବିଷୟଭିତ୍ତିକ ଏବଂ ସୁଗମ ପାଠ୍ୟକ୍ରମ ପରିଚାଳନା ଉପରେ ଗୁରୁତ୍ୱ ଦେଇଥାଏ। ତା’ ସହ ଏଥିରେ ଧନ୍ଦାମୂଳକ ଶିକ୍ଷା ଓ ତାଲିମ୍କୁ ଯୋଡ଼ା ଯାଇଛି।