ଭୁବନେଶ୍ବର: ଆଇଆଇଟିରେ ପଢ଼ିବା ଲାଗି ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର। ଜେଇଇ ମେନ୍ ଦେବା ପରେ ଜେଇଇ ଆଡଭାନ୍ସଡ୍ ଲାଗି କିଭଳି ପ୍ରସ୍ତୁତ ହେବେ, ଆଇଆଇଟିରେ ପଢ଼ିବା ଲାଗି କିଭଳି ଅଭ୍ୟାସ କରିବେ, ଦିନକୁ କେତେ ସମୟ ପଢ଼ିବେ, ଏନେଇ ସଫଳତାର ମନ୍ତ୍ର ଦେବ ଆଇଆଇଟି ଭୁବନେଶ୍ବର। ଏଥିପାଇଁ ଆସନ୍ତା ୧୮ ତାରିଖରେ ଜଟଣୀସ୍ଥିତ ଆଇଆଇଟି କ୍ୟାମ୍ପସରେ ଜେଇଇ ଆଡଭାନ୍ସଡ୍ ରୢାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହେବ। ଏଥିସହ ଜେଇଇ ଆଡଭାନ୍ସଡ୍ ଆଶାୟୀମାନଙ୍କୁ ମଧ୍ୟ ତାଲିମ୍ ଦିଆଯିବ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ଝାଡ଼ଖଣ୍ଡର ଆଶାୟୀ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଆଇଆଇଟିର ବିଭିନ୍ନ ବିଭାଗ, ସୁବିଧା ସୁଯୋଗ, ଅଧ୍ୟାପକମାନଙ୍କ ବିଷୟରେ ସୂଚନା ଦିଆଯିବ। ଏହି ଅବସରରେ ନାମଲେଖାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବକୁ ଅଧ୍ୟାପକମାନେ ଦୂର କରିବେ ବୋଲି ଭୁବନେଶ୍ବର ଆଇଆଇଟି ନିର୍ଦେଶ ଆର ଭି ରାଜକୁମାର କହିଛନ୍ତି। ଜୁନ୍ ୧୪ରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ଫଳ ପ୍ରକାଶ ପାଇବା ପରେ ଭୁବନେଶ୍ବର ସମେତ ଦେଶରେ ଥିବା ୨୨ଟି ଆଇଆଇଟିରେ ୧୧ ହଜାର ୨୭୯ ସିଟ୍ରେ ନାମଲେଖା ହେବ। ଚଳିତବର୍ଷ ୧ ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ଓଡ଼ିଶାରୁ ୩ ହଜାର ୨୬୧ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଛାତ୍ରଛାତ୍ରୀ ରୢାଙ୍କ ହାସଲ କରିବା ପରେ ଜଏଣ୍ଟ ସିଟ୍ ଆଲଟମେଣ୍ଟ ଅଥରିଟି(ଜୋସା) ପକ୍ଷରୁ ନାମଲେଖା ପରିଚାଳନା କରାଯିବ।
ଆଇଆଇଟି ଆଶାୟୀଙ୍କ ଲାଗି ୧୮ରେ କର୍ମଶାଳା
/sambad/media/post_attachments/wp-content/uploads/2019/05/iit-bbsr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)