ମସ୍ତିଷ୍କ ବିଜ୍ଞାନ ସ୍ନାୟୁଗତ ଦୁର୍ବଳତା ଦୂର କରିପାରିବ

କେଏମ୍‌ବିବି କଲେଜରେ ମସ୍ତିଷ୍କ ବିଜ୍ଞାନ ଓ କୌଶଳ କର୍ମଶାଳା

ବାରଙ୍ଗ : କେଏମ୍‌ବିବି କଲେଜ ଓ ଦିଲ୍ଲୀ ଆଇଆଇଟିର ମିଳିତ ଉଦ୍ୟମରେ ବାରଙ୍ଗର ନରଣପୁର ସ୍ଥିତ କେଏମ୍‌ବିବି ଇଂଜିନିୟରିଂ ଆଣ୍ଡ ଟେକନଲୋଜି କଲେଜର ଦ୍ୱିତୀୟ କ୍ୟାମ୍ପସ୍‌ ପରିସରରେ ମସ୍ତିଷ୍କ ବିଜ୍ଞାନ ଓ କୌଶଳ(ବ୍ରେନ୍‌ ସାଇନସ୍‌ ଆଣ୍ଡ ଟେକ୍‌ନଲୋଜି) ଶୀର୍ଷକ ୫ ଦିନିଆ କର୍ମଶାଳା ଆଜି ଉଦ୍‌ଘାଟିତ ହୋଇଛି। ସମ୍ବାଦ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ସୌମ୍ୟରଞନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ରେଭେନ୍‌ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ ପାତ୍ର କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଫେସର ପାତ୍ର କହିଲେ, ସମସ୍ତ ଅଙ୍ଗ, ପ୍ରତ୍ୟଙ୍ଗ ତଥା ସମଗ୍ର ଶରୀର ମସ୍ତିଷ୍କ ଦ୍ୱାରା ପରିଚାଳିତ ହୁଏ। ମଣିଷର ମସ୍ତିଷ୍କ ଅନ୍ୟ ସମସ୍ତ ଜୀବମାନଙ୍କଠାରୁ ଉନ୍ନତ। ସେଥିଲାଗି ମଣିଷ ଅନ୍ୟ ଜୀବ ମାନଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ। ମଣିଷ ଭିତରେ ଚେତନା ଶକ୍ତି ଅଛି। ମସ୍ତିଷ୍କ ସବୁବେଳ ଗବେଷଣାର ବିଷୟ ହୋଇ ରହିଥିଲା ଓ ରହିବ ମଧ୍ୟ। ସେଥିଲାଗି ସ୍ନାୟୁ ବିଜ୍ଞାନ ଆମ ପାଇଁ ଚାଲେଞ୍ଜ ହୋଇଛି। ଆମ ପାଖରେ ଥିବା ଯୁବଶକ୍ତି ଶକ୍ତିଶାଳୀ। ତା ଭିତରେ ଥିବା ସ୍ନାୟୁଗତ ଦୁର୍ବଳତା ପାଇଁ ସେ ନକାରାତ୍ମକତାର ଶିକାର ହେଉଛି। ମସ୍ତିଷ୍କ ବିଜ୍ଞାନ ଏହି ସ୍ନାୟୁଗତ ଦୁର୍ବଳତା ଦୂର କରିପାରିବ। ତେଣୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି କର୍ମଶାଳାର ଯଥେଷ୍ଟ ମହତ୍ୱ ରହିଛି।

ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଆଇଏସ୍‌ଆଇ କଲିକତାର ପ୍ରଫେସର ଗର୍ଗ ଚାଟାର୍ଜୀ କହିଲେ ଯେ ସବୁ କଥାକୁ ଭଲ ଭାବେ ବୁଝି ସମାଧାନର ବାଟ ବାହାର କରିବା ହେଉଛି ମାନସିକ ବିକାଶ। ମାନସିକ ବିକାଶ ହେଲେ ଆମକୁ ବିଜ୍ଞାନ ଓ କୌଶଳ ପାଇଁ ଅନ୍ୟ ରାଜ୍ୟ ବା ଦେଶକୁ ଯିବାକୁ ପଡ଼ିବ ନାହିଁ। ବିଜ୍ଞାନ ଆମ ପାଖରେ ମିଳିବ।

ଦିଲ୍ଲୀ ଆଇଆଇଟିର ସଂଯୋଜକ ତପନ ଗାନ୍ଧୀ ପ୍ରାରମ୍ଭିକ ସୂଚନା ଦେଇ କହିଲେ ଯେ ମଣିଷ ଭିତରେ ଦେଖା ଯାଉଥିବା ମାନସିକ ଦୁର୍ବଳତା ଦୂର କରିବା ଲାଗି ଏ ହେଉଛି ଏକ ଆଗୁଆ ପଦକ୍ଷେପ। ମସ୍ତିଷ୍କ ହେଉଛି ମଣିଷ ପ୍ରମୁଖ ଅଂଶ। ଯାହା ଉପରେ ଅଧ୍ୟୟନ କଲେ ପାଠ ସହିତ ମସ୍ତିଷ୍କର ବିକାଶ କରି ଆଗକୁ ବଢ଼ି ପାରିବା। ଓଡ଼ିଶା ମାଟିରେ ପ୍ରଥମ କରି ଏଭଳି ପଦକ୍ଷେପ ନିଆଯାଇଛି।

ଶ୍ରୀ ପଟ୍ଟନାୟକ କହିଲେ କେଏମ୍‌ବିବି ସହିତ ଦିଲ୍ଲୀ ଆଇଆଇଟି ଭଳି ଅନୁଷ୍ଠାନ ମିଶି ବ୍ରେନ୍‌ ସାଇନସ୍‌ ଆଣ୍ଡ ଟେକ୍‌ନଲୋଜି ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିବାରୁ ଏହା ଆମ ଅନୁଷ୍ଠାନ ପାଇଁ ଗର୍ବ ଓ ଗୌରବର କଥା। ଆମକୁ ଏହା ଉତ୍ସାହ ଓ ପ୍ରେରଣା ଯୋଗାଇବ। ଆମ ପିଲାମାନେ ଏଠାରୁ ଅନେକ କିଛି ଶିକ୍ଷା ଲାଭ କରିବେ ବୋଲି ଉଲ୍ଲେଖ କରି ଏଥିପାଇଁ ଦିଲ୍ଲୀ ଆଇଆଇଟିକୁ କୃତଜ୍ଞତା ଜଣାଇଥିଲେ।

କର୍ମଶାଳାରେ ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀ, ବହୁ ଡାକ୍ତର, କର୍ମଜୀବୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସମ୍ବାଦ ଶିକ୍ଷା ସମୂହର ପ୍ରଶାସନିକ ନିର୍ଦେଶକ ପ୍ରଫେସର ସରୋଜ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ବିଜୁନି ସୂତାର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର