ଖଣି ନିଲାମରୁ ଓଡ଼ିଶା ବର୍ଷକୁ ପାଇବ ୨୦ ହଜାର କୋଟି

ଇସ୍ପାତ ଶିଳ୍ପରେ ଓଡ଼ିଶା ହେବ ଏକ ନମ୍ବର: ଧର୍ମେନ୍ଦ୍ର

ଭୁବନେଶ୍ବର : ନୂଆ ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ପାଇଁ ଓଡ଼ିଶା ବିଶେଷ ଭାବେ ଲାଭବାନ ହେବେ। ଖଣିଗୁଡ଼ିକର ଇ-ନିଲାମ କରାଯାଉଥିବାରୁ ପ୍ରତିବର୍ଷ ଓଡ଼ିଶା ୨୦ ହଜାର କୋଟି ଟଙ୍କାର ଅଧିକ ରାଜସ୍ବ ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ, ଜାପାନର ଅର୍ଥନୀତି, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଓ ସିଆଇଆଇର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା କର୍ମଶାଳାରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି।

ସେ କହିଲେ, ବର୍ତ୍ତମାନ ରାଜ୍ୟର ଇସ୍ପାତ ଉତ୍ପାଦନ କ୍ଷମତା ୨୭ ନିୟୁତ ଟନ୍ ରହିଛି। ୨୦୩୦ ସୁଦ୍ଧା ଦେଶର ଇସ୍ପାତ ଉତ୍ପାଦନ କ୍ଷମତାକୁ ୩୦୦ ନିୟୁତ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେହି ସମୟରେ ଓଡ଼ିଶାର ଇସ୍ପାତ ଉତ୍ପାଦନ କ୍ଷମତା ୧୦୦ ନିୟୁତ ଟନ୍‌ରେ ପହଞ୍ଚିବ। ଦେଶର ଇସ୍ପାତ ଶିଳ୍ପରେ ଓଡ଼ିଶାଏକ ନମ୍ବର ରାଜ୍ୟ ହେବ ବୋଲି ସେ କହିଛନ୍ତି। ଭବିଷ୍ୟତରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ପୂର୍ବ ଆନ୍ଧ୍ର ପ୍ରଦେଶ ଅଞ୍ଚଳରେ ଦେଶର ୭୫% ପ୍ରାଥମିକ ଇସ୍ପାତ ଉତ୍ପାଦନ ହେବ। ଏହି ଅଞ୍ଚଳ ପାଇଁ ଯାଜପୁରର କଳିଙ୍ଗନଗର ଇସ୍ପାତ ହବ୍ ଭାବେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ରାଜ୍ୟର ମୁଣ୍ଡପିଛା ଇସ୍ପାତ ବ୍ୟବହାରକୁ ‌୧୫୦ କେଜିରେ ପହଞ୍ଚାଇବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରସିକା ଚୌବେ ଦେଶର ମୁଣ୍ଡପିଛା ଇସ୍ପାତ ବ୍ୟବହାରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ବିଶ୍ବ ସ୍ତରରେ ମୁଣ୍ଡପିଛା ଇସ୍ପାତ ବ୍ୟବହାର ୨୨୫ କେଜି ରହିଥିବା ବେଳେ ଭାରତରେ ତାହା ମାତ୍ର ୭୪ କେଜି ରହିଛି ଏବଂ ଜାପାନରେ ଯଥେଷ୍ଟ ଅଧିକ ୫୫୦ କେଜି ରହିଛି। ଓଡ଼ିଶାର ମୁଣ୍ଡପିଛା ଇସ୍ପାତ ବ୍ୟବହାର ୧୪୬ କେଜି ରହିଛି ଏବଂ ସାରା ଦେଶରେ ଓଡ଼ିଶା ଏକ୍ଷେତ୍ରରେ ଆଠ ନମ୍ବର ସ୍ଥାନରେ ରହିଛି ବୋଲି ସେ କହିଛନ୍ତି।

ରାଜ୍ୟ ଶିଳ୍ପ ଓ ଏମ୍‌ଏସଏମ୍‌ଇ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ୨୦୦୦ ମସିହା ପରେ ଇସ୍ପାତ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ଅଭିବୃଦ୍ଧି ଧାରା ଆରମ୍ଭ ହୋଇଥିଲା। ଏବେ ଦ୍ବିତୀୟ ପର୍ଯ୍ୟାୟ ଅଭିବୃଦ୍ଧିର ସମୟ ଆସିଛି। ପ୍ରାଥମିକ ଇସ୍ପାତ ଉତ୍ପାଦନ ଠାରୁ ଆଗକୁ ବଢ଼ି କ୍ଲଷ୍ଟର ବିକଶିତ କରିବା ଏବଂ ଇସ୍ପାତର ମୂଲ୍ୟଯୋଗ କରିବା ଉପରେ ଗୁରୁତ୍ବ ‌ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି ଅବସରରେ ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟିଭି ନରେନ୍ଦ୍ରନ କହିଛନ୍ତି ଯେ, ଦେଶରେ ଇସ୍ପାତ ବ୍ୟବହାର ପରିମାଣର କମ୍ ରହିଥିବାରୁ ବିଦେଶୀ ଇସ୍ପାତ କଂପାନିଗୁଡ଼ିକ ଲାଗି ଭାରତ ଆସିବା ଏବଂ କାରଖାନା ସ୍ଥାପନ କରିବା ଲାଗି ଏହା ହେଉଛି ଶ୍ରେଷ୍ଠ ସମୟ। ରାଜ୍ୟ ଖଣି ମନ୍ତ୍ରୀ ସେଲ୍‌ର ଅଧ୍ୟକ୍ଷ ଅନିଲ କୁମାର ଚୌଧୁରୀ, ଜାପାନ ଦୂତାବାସର ରାଷ୍ଟ୍ରଦୂତ ସତୋଶି ସୁଜୁକି, ଆର୍ସେଲର ମିତ୍ତଲର ଭାରତ ଓ ଚୀନ୍‌ ପାଇଁ ସିଇଓ ସଞ୍ଜୟ ଶର୍ମା, ସିଆଇଆଇ ପୂର୍ବାଞ୍ଚଳ ଖଣି ଓ ଖଣିଜ ସବ୍‌ କମିଟିର ଅଧ୍ୟକ୍ଷ ଶଶି ଶେଖର ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର