ଭୁବନେଶ୍ୱର : ରାଜ୍ୟସ୍ତରୀୟ ନ୍ୟାୟ ଓ ପ୍ରଗତି ମନ୍ତ୍ରାଳୟ ସହାୟତାରେ ଆସୋସିଏସନ ଫର୍ ଭଲ୍ୟୁଣ୍ଟାରି ଆକ୍ସନ୍(ଆଭା) ଆନୁକୂଲ୍ୟରେ ନରଣପୁରସ୍ଥିତ କେଏମ୍ବିବି ମହାବିଦ୍ୟାଳୟରେ ‘ନିଶାମୁକ୍ତ ଭାରତ ଅଭିଯାନର’ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୁନି ସୁତାର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ନିଷ୍ଠାର ସହ କାମ କଲେ ଛାତ୍ରଛାତ୍ରୀମାନେ ନିଶ୍ଚୟ ସଫଳତା ପାଇପାରିବେ ବୋଲି କହିଥିଲେ।
ମୁଖ୍ୟବକ୍ତା ଆଭାର ସଭାପତି ତଥା ମାଷ୍ଟର୍ ଟ୍ରେନର୍ ସୁଧୀର କୁମାର ଦାସ ଯୋଗଦେଇ ଯୁବସମାଜ କେଉଁ କେଉଁ ପରିସ୍ଥିତିରେ ନିଶା ପ୍ରତି ଆକୃଷ୍ଟ ହେଉଛନ୍ତି, ସେ ସବୁର କାରଣ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ଯୁବ ରେଡକ୍ରସ୍ର କାଉନସିଲର ତଥା ସମାଜସେବୀ ସୁରେଶ ମହାନ୍ତି ଯୋଗଦେଇ ନିଶା ନିବାରଣ କ୍ଷେତ୍ରରେ ଯୁବ ସମାଜ ତଥା ଛାତ୍ରଛାତ୍ରୀ କିଭଳି ରୋଲ-ମଡେଲ୍ ଭାବେ କାର୍ଯ୍ୟ କରିପାରିବେ, ସେ ସମ୍ୱନ୍ଧରେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଆଭାର ସଂଯୋଜକ ତଥା ମନୋବିଜ୍ଞାନ ଚିକିତ୍ସକ ଡାକ୍ତର ନିବେଦିତା ମହାନ୍ତି ଯୋଗଦେଇ ନିଶା କିଭଳି ଭାବରେ ବ୍ୟକ୍ତି, ପରିବାର, ସମାଜ ଆଦିକୁ ବିଶୃଙ୍ଖଳିତ କରିବା ସହିତ ବିପଥଗାମୀ କରାଉଛି ବୋଲି କହିଥିଲେ। ଇଂରାଜୀ ଅଧ୍ୟାପିକା ମୋନାଲିସା ନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲା ବେଳେ ଉପାଧ୍ୟକ୍ଷ ସିତାଂଶୁ ଶେଖର ରାଉତ ଧନ୍ୟବାଦ ଦେଇଥିଲେ। ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।