ଗୁଣାତ୍ମକ ଓ ପ୍ରୟୋଗାତ୍ମକ ଶିକ୍ଷା ସହ ଗବେଷଣା ଓ ଦକ୍ଷତା ବିକାଶ ଲାଗି ବ୍ୟାପକ ସୁଯୋଗ ସୃଷ୍ଟି କରିବ ଜାତୀୟ ଶିକ୍ଷାନୀତି: ଆଦିତ୍ୟ ପ୍ରସାଦ ଦାଶ
‘ଜାତୀୟ ଶିକ୍ଷାନୀତି-୨୦୨୦’ର ସଫଳ କାର୍ଯ୍ୟକାରିତା ନେଇ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର କର୍ମଶାଳା
ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ପ୍ରଥମ ଓ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଚଳିତ ଶିକ୍ଷା ବର୍ଷଠାରୁ ଲାଗୁ କରାଯାଇଛି। ଏହି ଶିକ୍ଷାନୀତିର ସଫଳ କାର୍ଯ୍ୟକାରିତାକୁ ନେଇ ବିଶ୍ୱବିଦ୍ୟାଳୟରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଜାତୀୟ ଶିକ୍ଷା ନୀତିକୁ ଲାଗୁ କରିବାରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ହେଉଛି ପୂର୍ବ ଭାରତରେ ପ୍ରଥମ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ପ୍ରଫେସର ଡକ୍ଟର ଆଦିତ୍ୟ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟର କୁଳସଚିବ, ବିଭିନ୍ନ ବିଭାଗର ମୁଖ୍ୟ ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ଏହି ନୂତନ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଦିଗ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏଥିରେ ଥିବା ମାର୍ଗଦର୍ଶନ ସମ୍ପର୍କରେ କର୍ମଶାଳାରେ ଆଲୋଚନା କରାଯାଇଥିଲା। ବିଶ୍ୱବିଦ୍ୟାଳୟରେ କିପରି ଏହାର ସଫଳ ପ୍ରୟୋଗ କରାଯିବ ସେ ବିଷୟରେ କୁଳପତି ଗୁରୁତ୍ୱ ଦେଇଥିଲେ।
“ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଓ ପ୍ରୟୋଗାତ୍ମକ ଶିକ୍ଷା ସହ ଗବେଷଣା ଓ ଦକ୍ଷତା ବିକାଶ ଲାଗି ବ୍ୟାପକ ସୁଯୋଗ ସୃଷ୍ଟି କରିବା ଉପରେ ଏହି ନୂତନ ଜାତୀୟ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି। ଏହାକୁ ସଠିକ୍ ଭାବେ ଲାଗୁ କରି ଆମର ଭବିଷ୍ୟତ ପିଢ଼ିକୁ ପ୍ରସ୍ତୁତ କରିବାକୁ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତିବଦ୍ଧ। ଏହି କର୍ମଶାଳାରେ ଆମେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛୁ’’, ସୂଚନା ଦେଇ କହିଛନ୍ତି କୁଳପତି ପ୍ରଫେସର ଡକ୍ଟର ଆଦିତ୍ୟ ପ୍ରସାଦ ଦାଶ।
ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ‘ଜାତୀୟ ଶିକ୍ଷାନୀତି ୨୦୨୦’ ସୁଯୋଗ, ସମାନତା, ଗୁଣବତ୍ତା ଏବଂ ଉତ୍ତରଦାୟିତ୍ୱ ଆଦି ବିଭିନ୍ନ ଦିଗ ଉପରେ ଆଧାରିତ। ଏହା ସ୍ନାତକ ଶିକ୍ଷା କ୍ଷେତ୍ରରେ ଏକ ବ୍ୟାପକ, ବହୁ ବିଷୟଭିତ୍ତିକ ଏବଂ ସୁଗମ ପାଠ୍ୟକ୍ରମ ପରିଚାଳନା ଉପରେ ଗୁରୁତ୍ୱ ଦେଇଥାଏ। ତା’ସହିତ ଏଥିରେ ଧନ୍ଦାମୂଳକ ଶିକ୍ଷା ଓ ତାଲିମକୁ ଯୋଡ଼ା ଯାଇଛି।
ନୂତନ ଜାତୀୟ ଶିକ୍ଷାନୀତିର ଆଉ ଏକ ପ୍ରମୁଖ ଦିଗ ହେଉଛି ଛାତ୍ରଛାତ୍ରୀମାନଙ୍କ ପାଇଁ ‘ମଲ୍ଟିପୁଲ ଏଣ୍ଟ୍ରି ଆଣ୍ଡ ଏଗଜିଟ୍’ ସୁବିଧା। ଅର୍ଥାତ୍ ଛାତ୍ରଛାତ୍ରୀମାନେ ସ୍ନାତକ ଶିକ୍ଷାରେ ଯୋଗଦେଇ ସ୍ନାତକୋତ୍ତର ପାଠ୍ୟକ୍ରମ ପର୍ଯ୍ୟନ୍ତ ପଢ଼ିପାରିବେ। ତେବେ କୌଣସି ଛାତ୍ରଛାତ୍ରୀ ଯଦି ସ୍ନାତକ ଶିକ୍ଷା ସମ୍ପୂର୍ଣ୍ଣକରି ସଂପୃକ୍ତ ଶିକ୍ଷାନୁଷ୍ଠାନ ଛାଡ଼ିବାକୁ ଚାହୁଁଥାନ୍ତି ତେବେ ସେ ସ୍ନାତକ ଡିଗ୍ରୀ ନେଇ ଯାଇପାରିବେ।
ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନୂତନ ଦୃଷ୍ଟିକୋଣ ସହ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ କ୍ୟାରିୟର ଗଠନରେ ନୂଆ ଦିଗ ଦେବାରେ ବିଶେଷ ସହାୟକ ହେବ ଜାତୀୟ ଶିକ୍ଷାନୀତି ୨୦୨୦। ଏହି ଛାତ୍ରକୈନ୍ଦ୍ରିକ ଶିକ୍ଷାନୀତି ଛାତ୍ରଛାତ୍ରୀମାନଙ୍କୁ ନିଜ ପସନ୍ଦର ବିଭିନ୍ନ ବିଷୟ ବାଛିବାରେ ସ୍ୱାଧୀନତା ପ୍ରଦାନ କରିବ।
ଏହି ଶିକ୍ଷାନୀତି ଧନ୍ଦାମୂଳକ ଶିକ୍ଷା ଏବଂ ଭାରତୀୟ ପାରମ୍ପରିକ ମୂଲ୍ୟବୋଧ ଉପରେ ଆଧାରିତ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି। ଏହି ଶିକ୍ଷାନୀତି ଇଣ୍ଟର୍ନସିପ୍, ଆପ୍ରେଣ୍ଟିସିପ୍ ଏବଂ ଶିଳ୍ପାଂଚଳ ପରିଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଶିଳ୍ପ ଓ ଉଦ୍ୟୋଗଜନିତ ଧାରଣା ମଜଭୁତ କରିବାରେ ସହାୟକ ହେବ।
ଅର୍ନ୍ତଜାତୀୟ ସ୍ତରର ଶିକ୍ଷା ଶୈଳୀ, ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ଏବଂ ଅତ୍ୟାଧୁନିକ ଲ୍ୟାବ୍ ସୁବିଧା ଉପରେ ଗୁରୁତ୍ୱ ଦେଇ ଆସୁଥିବା ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ନୂତନ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରି ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ଯାଉଛି।