ଭୁବନେଶ୍ବର : ଇଣ୍ଡୋ-ଜର୍ମାନ୍ ଫୋକାଲ୍ ପଏଣ୍ଟ୍ (ଆଇଜିଏଫ୍ପି) ପକ୍ଷରୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଏମ୍ଏସ୍ଏମ୍ଇ ବିଭାଗ ସହଯୋଗରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉପରେ କୋଭିଡ୍-୧୯ର ପ୍ରଭାବ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ପାଇଁ ମାନସ ମନ୍ଥନ କରାଯାଇଥିଲା। କର୍ମଶାଳାରେ ମତ ପ୍ରକାଶ ପାଇଥିଲା ଯେ କୋଭିଡ୍ ପରବର୍ତ୍ତୀ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଏମ୍ଏସ୍ଏମ୍ଇ କ୍ଷେତ୍ରର ବିକାଶ ହେବା ଜରୁରି। ବୃହତ ଶିଳ୍ପଗୁଡ଼ିକ କ୍ଷୁଦ୍ର ଶିଳ୍ପକୁ ସହାୟତା ଦେବାକୁ ଆଗେଇ ଆସିବା ଉଚିତ। ଏ ଦିଗରେ ସରକାର ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ସରକାର ବିଭିନ୍ନ େଯାଜନା ପ୍ରଣୟନ କଲା ବେଳେ ଶିଳ୍ପ ସଂଘଗୁଡ଼ିକ ସହ ବ୍ୟାପକ ଆଲୋଚନା କରନ୍ତୁ। ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଭାରତ ସରକାର ଅନେକ ବିକାଶମୂଳକ ପଦକ୍ଷେପ ଘୋଷଣା କରିଛନ୍ତି। କିନ୍ତୁ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ସହଯୋଗ ଯୋଗାଇଦେବା ଉଚିତ। ସେହିପରି ଓଡ଼ିଶା ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରର ପୁନରୁଦ୍ଧାର ପାଇଁ ବହୁ ପଦକ୍ଷେପ ନେଇଛନ୍ତି। କଳାହାଣ୍ଡିରେ ଏମ୍ଏସ୍ଏମ୍ଇ ପାର୍କ, ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ, ଉତ୍ପାଦନ ହବ୍ର ବିକାଶ, ମହିଳା ଉଦ୍ୟୋଗୀ ଓ ଷ୍ଟାର୍ଟ-ଅପ୍କୁ ପ୍ରୋତ୍ସାହନ ଆଦି ପଦକ୍ଷେପ ନିଆଯାଇଛି। ଓଡ଼ିଶା ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନର ସୁଯୋଗ ନେବା ଉଚିତ ବୋଲି ବକ୍ତାମାନେ ପରାମର୍ଶ ଦେଇଥିଲେ।
ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ସାଂସଦ ସୁବାସ ସିଂହ, ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ପୂର୍ବତନ ସାଂସଦ ତଥା ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ଓ ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ ଯୋଗ ଦେଇଥିଲେ। ଆଇଜିଏଫ୍ପିର ମୁଖ୍ୟ ବି କେ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। କେ କେ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ବୈଷୟିକ ଅଧିବେଶନରେ ବିଶେଷଜ୍ଞମାନେ ଯୋଗ ଦେଇ ନିଜ ମତ ରଖିଥିଲେ। ଏହି ଅବସରରେ ଆଇଜିଏଫ୍ପି କ୍ୟାଲେଣ୍ଡର୍ ୨୦୨୧ ଉନ୍ମୋଚିତ ହୋଇଥିଲା।