ଜୟପୁର: ଆଜି ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି। ସରକାରୀ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ ଓରେଡ ରିବନ କ୍ଲବ ପକ୍ଷରୁ କଲେଜ ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରେଡରିବନ୍ କ୍ଲବର ସ୍ବେଚ୍ଛାସେବୀଙ୍କ ଦ୍ବାରା ସଚେତନତାମୂଳକ ନାଟକ ‘‘ଭିନ୍ନ ଏକ ବାହାଘର’’ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ସଚେତନତା ବୈଠକରେ ଭାରାପ୍ରାପ୍ତ ଅଧ୍ୟକ୍ଷ ଡ.ବିବେକାନନ୍ଦ ସୁନା ସଭାପତିତ୍ବ କରିଥିଲେ। ଏଥିରେ ଏନଏସଏସ୍ ଅଧିକାରୀ ଡ.ମନୋରଂଜନ ପ୍ରଧାନ, ଡ.ଡମ୍ବୁରୁଧର ଦାଶ, ଆନ୍ଦ୍ରୀୟ ଶବର, ସୁନିତା ପ୍ରଧାନ ପ୍ରମୁଖ ଯୋଗଦେଇ ଏଡସ୍ ମୁକ୍ତ ରାଷ୍ଟ୍ର ଗଠନ ଦିଗରେ ଛାତ୍ରୀ ମାନେ ପ୍ରମୁଖ ଭୁମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସେଭଳି ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଯୁବରେଡକ୍ରସର କାଉନସିଲର ଡ. କନକଲତା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପରିଚାଳାନା ହୋଇଥିଲା। ବିକାଶ ନାଗ ଓ ସଂଗୀତା ନାଗ ସହଯୋଗ କରିଥିଲେ। ଏଥିରେ କଲେଜର ରେଡରିବନ, ଯୁବରେଡକ୍ରସର ସ୍ବେଚ୍ଛାସେବୀ, ଛାତ୍ରୀ, କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଆଦି ଭାଗ ନେଇଥିଲେ। ହାତୀଶାଳସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଉଚ୍ଚ ବିଦ୍ୟାଳୟରେ ଏନସିସି କ୍ୟାଡେଟ୍ ଓ ଲାଲଗୁଡା ସହରାଂଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପକ୍ଷରୁ ଏହି ଦିବସ ସ୍କୁଲ ପରିସରରେ ପାଳନ କରାଯାଇଥିଲା। ଡାକ୍ତରଖାନର କର୍ମଚାରୀ ରାମ ବେହେରା ପରିଚାଳନା କରିଥିଲେ। ଡାକ୍ତର ଦାସ ଯୋଗ ଦେଇ ଏଡସ୍ ଠାରୁ କିଭଳି ସୁରକ୍ଷିତ ରହିବେ ଏ ନେଇ ସୂଚନା ଦେଇଥିଲେ। ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମିଶ୍ର ରୋଗର କାରଣ ଓ ନିରାକରଣ, ଓ କିଭଳି ସୁରକ୍ଷିତ ରହିବେ ସେ ନେଇ ପରାମର୍ଶ ଦେବା ସହ ଧନ୍ୟବାଦ ଦେଇଥିଲେ।
ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଜୁନିୟର ରେଡକ୍ରସ୍ ଶାଖା ପକ୍ଷର ସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ଵରେ ସଚେତନନତା ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାବଣାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ ଡ.ମନୋଜ କୁମାର ବିଶ୍ବାଳ ,ବରିଷ୍ଠ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ଯଜ୍ଞେଶ୍ୱର ପଣ୍ଡା ଯୋଗଦେଇ ଏଡସ୍ ରୋଗର କାରଣ,ଲକ୍ଷଣ,ସଂକ୍ରମଣ ଓ ନିରାକରଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ପରେପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଜନସାଧାରଣଙ୍କୁ ସଚେତନତା କରିବା ନିମନ୍ତେ ଛାତ୍ରଛାତ୍ରୀମାନେ ପ୍ରଚାରପତ୍ର ବଣ୍ଟନ କରି ଏବଂ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ପ୍ରଭାତ କୁମାର ରଥ, ବିଶ୍ବରଂଜନ ଗୌଡ଼ , ନରେଶ କୁମାର ଷଡଙ୍ଗୀ,ଭଗବାନ ସାବତ, ଏନ୍.ପଦ୍ମାବତୀ,ପପିତା ପ୍ରଧାନ, କେ.ପ୍ରମିଳା, ସୋମନାଥ ସାକିଆ, ସାଗରିକା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ରେଡକ୍ରସ ପରାମର୍ଶଦାତ୍ରୀ ଶୁଭସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।