ଆଜି ବିଶ୍ୱ ଏଡ୍‌ସ ଦିବସ: ନିରବ ମୁଦ୍ରାରେ ମୁଣ୍ଡ ନେଉଛି ଏଡ୍‌ସ

ଦେଶରେ ୨୦୧୯ ମସିହାରେ ସଂକ୍ରମିତ ହୋଇଥିଲେ ସର୍ବାଧିକ ୨୩.୪୯ ଲକ୍ଷ
୨୦୦୫-୨୦୧୯ରେ ଓଡ଼ିଶାରେ ଏଚ୍‌ଆଇଭି ମାମଲା ୪୯,୬୬୧

ଭୁବନେଶ୍ୱର : କୁହାଯାଏ, ମହାମାରୀ ବ୍ୟାପିଲେ ଯୁଗେ। ଅର୍ଥାତ୍‌ ଥରେ ମହାମାରୀ ବ୍ୟାପିଲେ ଗୋଟେ ଯୁଗ ନହେଲେ ଛାଡ଼େନାହିଁ। ଦିନଥିଲା ବିଶ୍ବରେ ମହାମାରୀ ଏଚ୍ଆଇଭି ଏଡ୍ସ ଭୟଙ୍କର ରୂପ ଧାରଣ କରିଥିଲା। ବର୍ତ୍ତମାନ କରୋନା ମହାମାରୀର ପ୍ରକୋପ ଚାଲିଛି। ଯଦିଓ ଏଚ୍ଆଇଭିର ମାତ୍ରା ଟିକେ କମ୍ ଅଛି ତଥାପି ଏଡ୍‌ସ ଭୟ ସମ୍ପୂର୍ଣ୍ଣ ରୂପେ ଯାଇନାହିଁ। ଆଜି ବି ନିରବ ମୁଦ୍ରାରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି ଏଡ୍‌ସ। କହିବାକୁ ଗଲେ ଏ ମହାମାରୀର ଅନ୍ତ ଏ ଯାଏ ଘଟିନି।

ସମଗ୍ର ବିଶ୍ବରେ ଏଡ୍ସ ଭୟାବହତା ରହିଛି। ପରିସଂଖ୍ୟାନ ଅନୁଯାୟୀ, ୨୦୧୭ ମସିହାରେ ପୂରା ବିଶ୍ବରେ ପ୍ରାୟ ୧.୮ ନିୟୁତ ଲୋକ ଏଚ୍ଆଇଭିରେ ପୀଡ଼ିତ ଥିଲେ। ଏହି କାରଣରୁ ପ୍ରାୟ ୯୪୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଦେଶଗୁଡ଼ିକ ମଧ୍ୟରେ ଆଫ୍ରିକ‌ା ମହାଦେଶ ସର୍ବାଗ୍ରେ ଥିବାବେଳେ ଫ୍ଲୋରିଡା, ଟେକ୍ସାସ୍, କାର୍ଲିଫର୍ଣ୍ଣିଆ ଓ ନ୍ୟୁୟର୍କ ସଂକ୍ରମଣ ହାରରେ ଆଗରେ ଥିଲେ। ବର୍ତ୍ତମାନ ଏଚ୍ଆଇଭିର ମାତ୍ରା କମ୍ ରହିଛି। ବିଶ୍ବସ୍ତରରେ ୨୦୧୦ରୁ ୨୦୧୯ ଭିତରେ ନୂତନ ଏଚ୍ଆଇଭି ସଂକ୍ରମଣ ୨୩% କମିଛି ବୋଲି ଏକ ରିପୋର୍ଟ କହୁଛି। ଫଳରେ ବିଶ୍ବରୁ ଏଚ୍ଆଇଭି ଏଡ୍ସ ସଂକ୍ରମଣ ଧୀରେଧୀରେ କମ୍‌ ହେବ ବୋଲି ଆଶା ସଂଚାର ହୋଇଛି। ଏଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ବି ପ୍ରୟାସ ଜାରି ରଖିଛି।

Oneindia Hindi

ଦେଶରେ ୨୦୧୯ ମସିହାରେ ସର୍ବାଧିକ ୨୩.୪୯ ଲକ୍ଷ ଲୋକ ଏଚ୍ଆଇଭି ଏଡ୍ସରେ ସଂକ୍ରମିତ ଥିଲେ। ଯାହାକି, ୨୦୧୦ ରୁ ୨୦୧୯ ମସିହା ଭିତରେ ୩୭% କମ୍ ହୋଇଛି। ଭାରତରେ ୨୦୧୬ ମସିହାରେ ଆକ୍ରାନ୍ତଙ୍କ ସଂଖ୍ୟା ୦.୩୦% ଥିଲା। ସେତେବେଳେ ଏହା ବିଶ୍ବର ୮୦ତମ ଦେଶ ଭାବେ ସ୍ଥାନ ପାଇଥିଲା। ସଂକ୍ରମଣରେ ମହାରାଷ୍ଟ୍ର ଦେଶର ଆଗୁଆ ରାଜ୍ୟ ଥିଲା। ମହାରାଷ୍ଟ୍ରରେ ପ୍ରାୟ ୮.୫୪ ହଜାର ଲୋକ ସଂକ୍ରମିତ ହୋଇଥିଲେ। ଏହାପଛକୁ ବିହାର ୮.୦୪ ହଜାର, ଉତ୍ତରପ୍ରଦେଶ ୬.୨ ହଜାର, ପଶ୍ଚିମବଙ୍ଗ ୩.୯୭ ହଜାର, ଗୁଜୁରାଟ ୩.୩୭ ହଜାର ଓ ଦିଲ୍ଲୀ ୨.୯୯ ହଜାର ରହିଥିଲା।

ଆମ ରାଜ୍ୟ ଓଡ଼ିଶାକୁ ହିସାବକୁ ନେଲେ ୨୦୦୫ ମସିହାରୁ ୨୦୧୯ ମସିହା ଭିତରେ ୪୯,୬୬୧ଟି ଏଚ୍ଆଇଭି ମାମଲା ଦେଖିବାକୁ ମିଳିଥିଲା। ଏହି ସଂକ୍ରମିତ ବ୍ୟକ୍ତି ଆଣ୍ଟି-ରେଟ୍ରୋଭାଇରାଲ ଥେରାପି (ଏଆର୍ଟି) ଆପଣାଇଥିଲେ। ଏଡ୍ସରେ ପ୍ରାୟ ୪,୨୪୯ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୦୧୯ ସୁଦ୍ଧା ୩,୧୯୮ ମାମଲା ସକ୍ରିୟ ଥିବ‌ା ଜଣାପଡ଼ିଛି। ଏଚ୍ଆଇଭି ସଂକ୍ରମଣ ହାରରେ ଗଂଜାମ ଜିଲ୍ଲା ସବୁଠୁ ଆଗରେ ଥିଲା। ଗଂଜାମରେ ମୋଟ ୧୫,୭୩୮ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଜାତୀୟ ହାରରେ ଦେଖିବାକୁ ଗଲେ ୨୦.୫୨ ହଜାର ଗର୍ଭବତୀ ମହିଳା ଏଚ୍ଆଇଭିରେ ସଂକ୍ରମିତ ହୋଇଥିବା ଜଣାଯାଏ। ମହାରାଷ୍ଟ୍ରରେ (୧୪.୬୬%) ସର୍ବାଧିକ ସଂକ୍ରମିତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ (୩.୩୧%) ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ଜାତୀୟ ହାରରେ ୫୮.୯୬ ହଜାର ଲୋକଙ୍କର ଏଚ୍ଆଇଭିରେ ମୃତ୍ୟୁ ହୋଇଥିଲା। ଏଥିରେ ଆନ୍ଧ୍ରପ୍ରଦେଶ ସବୁଠାରୁ ଆଗରେ ଥିଲା। ୨୦୧୯ ମସିହାରେ ଆନ୍ଧ୍ରପ୍ରଦେଶରେ ୧୧.୪୩ ହଜାର ଲୋକ ମୃତ୍ୟୁ ବରଣ କରିଥିଲେ। ମହାରାଷ୍ଟ୍ରରେ ୯.୬୯ ହଜାର, କର୍ଣ୍ଣାଟକରେ ୬.୩୯ ହଜାର, ତେଲେଙ୍ଗାନାରେ ୪.୦୮ ହଜାର, ଉତ୍ତରପ୍ରଦେଶରେ ୩.୮୭ ଓ ତାମିଲନାଡୁରେ ୩.୦୧ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା ପରିସଂଖ୍ୟାନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର