ବିଶ୍ୱ ଏଡ୍‌ସ ଦିବସ ଆଜି : ରାଜ୍ୟରେ ୫୦ ହଜାର ଏଚ୍‌ଆଇଭି ଆକ୍ରାନ୍ତ

୫ ବର୍ଷରେ ଚିହ୍ନଟ ହେଲେଣି ୧୬ ହଜାରରୁ ଅଧିକ

ଭୁବନେଶ୍ବର : ରାଜ୍ୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦ ହଜାର ଟପିଲାଣି। ଉଦ୍‌ବେଗର ବିଷୟ, ଗତ ୫ବର୍ଷରେ ରାଜ୍ୟରେ ୧୬ ହଜାରରୁ ଅଧିକ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପ୍ରତିବର୍ଷ ଏହି ସଂଖ୍ୟାରେ ବୃଦ୍ଧି ଘଟୁଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ଆଗରେ ରହିଛି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୫ହଜାର ୭୩୮ଜଣ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରବିବାର ପାଳିତ ହେବ ବିଶ୍ବ ଏଡ୍‌ସ ଦିବସ। ଏଚ୍‌ଆଇଭି/ଏଡ୍‌ସର ଭୟବହତା ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଚଳିତବର୍ଷ ବିଶ୍ବ ଏଡ୍‌ସ ଦିବସର ବିଷୟବସ୍ତୁ ରହିଛି ‘ଗୋଷ୍ଠୀ ପରିବର୍ତନ ଆଣିପାରେ’। ୨୦୧୮ ସୁଦ୍ଧା ବିଶ୍ବରେ ୩ କୋଟି ୭୯ଲକ୍ଷ ଲୋକ ଏଚ୍‌ଆଇଭି ଆକ୍ରାନ୍ତ ଥିବା ବେଳେ ଏହି ବର୍ଷ ୧ଲକ୍ଷ ୭୦ ହଜାର ନୂତନ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଓଡ଼ିଶାରେ ମଧ୍ୟ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି।

ପରିସଂଖ୍ୟାନ ଅନୁସାରେ, ୨୦୧୪/୧୫ ବର୍ଷରେ ୪ଲକ୍ଷ ୮୩ହଜାର ୫୧୯ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା ହୋଇଥିବା ବେଳେ ତହିଁରେ ୩୩୫୭ ଆକ୍ରାନ୍ତ, ୨୦୧୫/୧୬ରେ ୬ଲକ୍ଷ ୨୫ହଜାର ୪୨୦ ଲୋକଙ୍କ ମଧ୍ୟରୁ ୩୦୩୫ ଆକ୍ରାନ୍ତ, ୨୦୧୬/୧୭ରେ ପ୍ରାୟ ୧୦ଲକ୍ଷ ଲୋକଙ୍କ ପରୀକ୍ଷା ହୋଇଥିବା ବେଳେ ତହିଁରୁ ୩୩୦୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୭/୧୮ରେ ୧୧ଲକ୍ଷ ୮୪ହଜାର ୧୨୦ ଲୋକଙ୍କ ମଧ୍ୟରୁ ୩୨୯୯ ଆକ୍ରାନ୍ତ ଓ ୨୦୧୮/୧୯ରେ ୧୨ଲକ୍ଷ ୧୮ହଜାର ୨୨୨ ଲୋକଙ୍କ ମଧ୍ୟରୁ ୩୨୦୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ସୂଚନା ମିଳିଛି।

ସେହିପରି ଜିଲ୍ଲାସ୍ତରରେ କଟକ ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି। ଏଠାରେ ୬୭୩୯ ଆକ୍ରାନ୍ତ ରହିଛନ୍ତି। ସମ୍ବଲପୁରରେ ୩୦୩୪, ଖୋର୍ଧାରେ ୨୮୩୬, କୋରାପୁଟରେ ୨୫୧୨, ଅନୁଗୁଳରେ ୧୭୯୭, ବାଲେଶ୍ବରରେ ୧୫୮୫, ବଲାଙ୍ଗୀରରେ ୧୫୦୪, ମୟୂରଭଞ୍ଜରେ ୧୦୮୨, ନୟାଗଡ଼ରେ ୧୦୪୦ ଆକ୍ରାନ୍ତ ଅଛନ୍ତି। ବୌଦ୍ଧ ଜିଲ୍ଲାରେ ସବୁଠାରୁ କମ୍ ୬୮ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ପଛକୁ ଦେବଗଡ଼ ଜିଲ୍ଲାରେ ୧୨୫ଜଣ ଓ କନ୍ଧମାଳ ଜିଲ୍ଲାରେ ୧୯୪ଜଣ ଆକ୍ରାନ୍ତ ରହିଛନ୍ତି। ଅପରପକ୍ଷରେ ଏଚ୍‌ଆଇଭିରେ ଆକ୍ରାନ୍ତ ବ୍ୟକ୍ତି ଯକ୍ଷ୍ମାରେ ପୀଡ଼ିତ ହେବାର ଅଧିକ ଆଶଙ୍କା ଥିବାରୁ ଏହି ଦୁଇ ସଂକ୍ରମଣ ବ୍ୟକ୍ତିଙ୍କ ମଧ୍ୟ ରାଜ୍ୟରେ ଚିହ୍ନଟ କରାଯାଇଛି। ୨୦୧୫ ମସିହାରୁ ଚଳିତ ବର୍ଷ ଭିତରେ ୧୯ହଜାର ୭୨୨ ଯକ୍ଷ୍ମା ଓ ୩୧୧୭ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଯେତିକି ସଂଖ୍ୟକ ଏଚ୍‌ଆଇଭି ସଂକ୍ରମିତ ରହିଛନ୍ତି, ତହିଁରେ ଗର୍ଭାବସ୍ଥାରେ ଚିହ୍ନଟ ହୋଇଥିବା ବା ଏଏନ୍‌ସି ମହିଳାଙ୍କ ସଂଖ୍ୟା ହେଉଛି ୨୭୨୯। ଆକ୍ରାନ୍ତଙ୍କ ମଧ୍ୟରେ ୨୫-୪୯ ବର୍ଷ ଭିତରେ ସର୍ବାଧିକ ୭୭% ବ୍ୟକ୍ତି ଅଛନ୍ତି। ୧୪ବର୍ଷରୁ କମ୍ ୭% ଓ ୧୫-୨୪ବର୍ଷ ଭିତରେ ମଧ୍ୟ ୭ % ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ସେହିପରି ୮୮% ବ୍ୟକ୍ତି ଅସୁରକ୍ଷିତ ଯୌନ ସଂପର୍କ ଯୋଗୁଁ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ବେଳେ ମାତାପିତାଙ୍କଠାରୁ ଶିଶୁଙ୍କୁ ସଂକ୍ରମିତ ହାର ରହିଛି ୬%। ଏହାସହ ଦୂଷିତ ରକ୍ତ ୧ %, ସଂକ୍ରମିତ ସିରିଞ୍ଜ ଯୋଗୁଁ ୨ ପ୍ରତିଶତ ଓ ୩ % ବ୍ୟକ୍ତି କେଉଁ କାରଣରୁ ସଂକ୍ରମିତ ହୋଇଛନ୍ତି, ତାହା ସ୍ପଷ୍ଟ ହୋଇପାରି ନ ଥିବା ପରିସଂଖ୍ୟାନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର