ଭୁବନେଶ୍ବର : ଦୁଇ ଦଶନ୍ଧିରେ ରାଜ୍ୟରେ କ୍ଷୀର, ଅଣ୍ଡା ଉତ୍ପାଦନ ୩ ଗୁଣ ଲେଖାଏ ଏବଂ ମାଂସ ଉତ୍ପାଦନ ୬ ଗୁଣ ବୃଦ୍ଧି ପାଇଛି। କ୍ଷୀର ଉତ୍ପାଦନ ୨୦୦୦ ମସିହାର ୮.୭୫ ଲକ୍ଷ ମେଟ୍ରିକ ଟନରୁ ୨୦୨୧ରେ ୨୩.୭୩ ଲକ୍ଷ ମେଟ୍ରିକ ଟନ୍ରେ ପର୍ଯ୍ୟନ୍ତ ପହଞ୍ଚିଛି। ଏହି ସମୟ ମଧ୍ୟରେ ମାଂସ ୩୮.୩୮ ହଜାର ମେଟ୍ରିକ ଟନରୁ ୨୧୩.୦୯ ହଜାର ମେଟ୍ରିକ ଟନ, ଅଣ୍ଡା ୭୩୦୧.୦୪ ଲକ୍ଷରୁ ୨୪୨୪୨.୬୭ ଲକ୍ଷରେ ପହଞ୍ଚିଛି। ବିଶ୍ବ ପ୍ରାଣୀ ଦିବସ ଅବସରରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।
ଏଥିରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୫୪୧ ପ୍ରାଣୀ ଚିକିତ୍ସାଳୟ, ୩୨୩୯ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ମାଧ୍ୟମରେ କୃଷକ, ଉଦ୍ୟୋଗୀ ଏବଂ ପ୍ରାଣୀ ପାଳକମାନଙ୍କୁ ପ୍ରାଣୀ ସ୍ବାସ୍ଥ୍ୟସେବା, ପ୍ରଜନନ ଏବଂ ପରାମର୍ଶ ସେବା ଯୋଗାଇ ଦିଆଯାଉଛି। ରାଜ୍ୟରେ ୩୧୪ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ ମାଧ୍ୟମରେ ଚାଷୀଙ୍କ ଦ୍ବାରଦେଶରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ରକ୍ତ, ମୂତ୍ର ଆଦି ନମୁନା ପରୀକ୍ଷଣ ମାଧ୍ୟମରେ ରୋଗ ନିୟନ୍ତ୍ରଣ ପାଇଁ ରାଜ୍ୟ, ଆଞ୍ଚଳିକ ଏବଂ ଜିଲ୍ଲାସ୍ତରରେ ରୋଗ ନିରୂପଣ ପରୀକ୍ଷାଗାର କାର୍ଯ୍ୟ କରୁଛି।
ଏହି ଅବସରରେ ରାଜ୍ୟସ୍ତରରେ ଭୁବନେଶ୍ବରର ଷ୍ଟିୱାର୍ଟ ସ୍କୁଲ ଛକରୁ ଭେଟେରିନାରି କଲେଜ ଫାଟକ ପର୍ଯ୍ୟନ୍ତ ରାଲି ହୋଇଥିଲା। ଏଥିରେ ପ୍ରାଣୀ ଚିକିତ୍ସା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଏନସିସି ତରଫରୁ ଘୋଡ଼ା ସବାରମାନେ ଶୋଭାଯାତ୍ରା ଆଗରେ ଚାଲିଥିଲେ। ଏହାପରେ ଭେଟେରିନାରି କଲେଜ ପଡ଼ିଆରେ ଗୃହପାଳିତ ପ୍ରାଣୀ ସୋ’ ଆୟୋଜିତ ହୋଇଥିଲା। ଏଥିରେ ବିଏମ୍ସି ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ଜେନା, ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ ବଶିଷ୍ଠ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦେଶକ ଡ. ୟେଦୁଲା ବିଜୟ, ଓୟୁଏଟି କୁଳପତି ପ୍ରଭାତ ରାଉଳ, ଭେଟେରିନାରି କଲେଜ ଡିନ୍, ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ, ମାମା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/milk.jpeg)