ଖୋର୍ଦ୍ଧା: ଶନିବାର ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶବ୍ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଉଦ୍ୟାନ କୃଷି ପ୍ରଶିକ୍ଷଣ ବିଦ୍ୟାଳୟର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ ଯୋଗ ଦେଇଥିଲେ। ଦେଶରେ ପଶୁ ସମ୍ପଦର ସୁରକ୍ଷା ଓ ସେମାନଙ୍କ ସେବା କ୍ଷେତ୍ରରେ ପଶୁ ଚିକିତ୍ସକ ଅବଦାନ ଓ କରୋନା ସମୟରେ ସେମାନେ କିଭଳି ଅନ୍ୟ ଚିକିତ୍ସକଙ୍କ ଭଳି କୌଣସି ବିପଦକୁ ଭ୍ରୁକ୍ଷେପ ନକରି ପଶୁମାନଙ୍କ ସେବା କରିଥିଲେ ସେନେଇ ଆଲୋଚନା କରିବା ସହ ସେମାନଙ୍କୁ ମଧ୍ୟ କରୋନା ଯୋଦ୍ଧାର ସମ୍ମାନ ମଳିବା ଆବଶ୍ୟକ ବୋଲି ମତ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରସ୍ଥ ଆଇସିଏଆର୍-ସିଏଆର୍ଆଇ ବୈଜ୍ଞାନିକ ଡ ସୂର୍ଯ୍ୟକାନ୍ତ ମିଶ୍ର ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା ଦେବିଦତ୍ତ ମାଝି ସ୍ୱାଗତ ଭାଷଣ ଦେଇଥିବା ବେଳେ ବାଲୁଗାଁର ସହକାରୀ ପ୍ରାଣୀ ଚିକିତ୍ସକ ଡ ସମାପିକା ମହାପାତ୍ର ଅତିଥି ପରଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପଶୁ ପାଳନ କ୍ଷେତ୍ରରେ କାର୍ଯ୍ୟ କରି ସମାଜ ପାଇଁ ଏକ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପ୍ରାଣୀପାଳକଙ୍କୁ ପୁରସ୍କୃତ କରାଯାଇଥିଲା ।

Advertisment

publive-image

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୭୦ ଜଣ ପ୍ରାଣୀ ପାଳକଙ୍କ ସହ ଖୋର୍ଦ୍ଧା ଉପନିର୍ଦ୍ଦେଶକ ଡ ମାନସ କୁମାର ଚାନ୍ଦ, ଡା ପ୍ରଜ୍ଞାପାରମିତା ହରିଚନ୍ଦନ, ଅତିରିକ୍ତ ପ୍ରାଣୀଚିକିତ୍ସାଧିକାରୀ ଡା ଦେବେନ୍ଦ୍ର ସୋଲାଙ୍ଗୀ, ଡା ସଂଜୀବନୀ ପଟେଲ୍, ଡା ସୁଶ୍ରୀ ମୋନାଲିସା ଖଟୁଆ, ଡା ସମାପିକା ମହାପାତ୍ର, ଡା ରଶ୍ମିକାନ୍ତ ପାଲଟାସିଂହ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାଣୀଧନ ନିରୀକ୍ଷକ ଓ ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି ଅବସରରେ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ଠାରେ ଗାଈଗୋରୁ ଆଦି ଗୃହପାଳିତ ପଶୁଙ୍କୁ ଜଳାନ୍ତକ ରୋଗ ନିରୋଧ ଟୀକା ପ୍ରଦାନ କରାଯାଇଥିଲା । ସଭା ପୂର୍ବରୁ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ପ୍ରାଣୀ ପାଳକ, ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ, ଡାକ୍ତର, ପ୍ରାଣୀ ଧନ ନିରୀକ୍ଷକ ପଶୁପାଳନ ଓ ସୁରକ୍ଷା ନେଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।