ଭୁବନେଶ୍ବର : ବିଶ୍ବ ଅଟିଜିମ୍(ସ୍ବପରାୟଣତା) ସଚେତନତା ଦିବସ ଉପଲକ୍ଷେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଯେ ସ୍ନାୟବିକ ସମସ୍ୟା କାରଣରୁ ସ୍ବପରାୟଣତା କାରଣରୁ ସାମାଜିକ ଭାବବିନିମୟ ଓ ଯୋଗାଯୋଗ ଅସୁବିଧା ଭୋଗୁଥିବା ଲୋକମାନଙ୍କୁ ସମସ୍ତେ ବୁଝିବା ଦରକାର। ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସଚେତନତା ଓ ବିଭିନ୍ନ ପଦକ୍ଷେପର ରୂପାୟନ ଜରୁରୀ। ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ପ୍ରକାରର ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକ୍ରମରେ ସଂପୃକ୍ତ କରାଯାଇପାରିବ ବୋଲି ଶ୍ରୀ ପଣ୍ଡା କହିଥିଲେ।
ଏହି ଦିବସ ଉପଲକ୍ଷେ ଜନତା ମଇଦାନରେ ଚାଲିଥିବା ତୋଷାଳି ମେଳାରେ ମଧ୍ୟ ବାଲୁକାଶିଳ୍ପୀ ସୁବଳ ମହାରଣାଙ୍କ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା। ଅପରାହ୍ଣରେ ବିଭାଗ ପକ୍ଷରୁ ଏକ ୱେବିନାର ଆୟୋଜିତ ହୋଇଥିଲା। ‘କୋଭିଡ ମହାମାରୀ ପରବର୍ତୀ ବିଶ୍ବରେ କାର୍ଯ୍ୟକ୍ଷେତ୍ରରେ ଅନ୍ତର୍ଭୁକ୍ତ ନିମନ୍ତେ ବିଭିନ୍ନ ଆହ୍ବାନ ଓ ସୁଯୋଗ’ ପ୍ରସଙ୍ଗ ଉପରେ ବିଭାଗୀୟ ସଚିବ ଭାସ୍କରଜ୍ୟୋତି ଶର୍ମା, ନିର୍ଦେଶିକା ବ୍ରତତୀ ହରିଚନ୍ଦନ, ଯୁଗ୍ମ ସଚିବ ଅମ୍ବିକା ପ୍ରସାଦ ପଟ୍ଟନାୟକ, ବନ୍ଦନା ପଟ୍ଟନାୟକ, ରେଖା ମିଶ୍ର, କେ. ଆନନ୍ଦରାଓ ଓ ଶୋଭାଗିନୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ସକାଳେ ଅନୁଷ୍ଠିତ ଶୋଭାଯାତ୍ରାରେ ବିଭାଗର ଅଧିକାରୀଙ୍କ ସମେତ ସ୍ବାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାତ ଓ ବିଭିନ୍ନ ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନର ଶିକ୍ଷକ, ତାଲିମଦାତାମାନେ ମଧ୍ୟ ସାମିଲ ହୋଇଥିଲେ।