ରାଉରକେଲା : ନିର୍ଦ୍ଦିଷ୍ଟ ପତ୍ରପତ୍ରିକା ଦ୍ୱାରା ତଥାକଥିତ ‘ଅଗ୍ରଣୀ ଓଡ଼ିଶା’ର ଶ୍ରେଷ୍ଠ ଶାସକ ଭାବେ ବିବେଚିତ ହେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ କିନ୍ତୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଢେର ପଛୁଆ। ଜାତୀୟ ସ୍ତରରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ହାର ୨୪.୫% ଥିବା ବେଳେ ଓଡ଼ିଶାରେ ତାହା ୧୯.୪%। ବହୁ ବର୍ଷ ଧରି ପ୍ରଚଳିତ ପାରମ୍ପରିକ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ କ୍ୱଚିତ ନିଯୁକ୍ତି ପ୍ରତିଶ୍ରୁତି ଥିବାରୁ ମେଧାବୀ ଛାତ୍ରଛାତ୍ରୀମାନେ ଏଥିପ୍ରତି ଆକୃଷ୍ଟ ନ ହେବା ମଧ୍ୟ ସ୍ୱାଭାବିକ। ତେବେ ବ୍ୟାପକ ସଂସ୍କାର ଜରିଆରେ ଉଚ୍ଚ ଶିକ୍ଷାରେ ଉତ୍କର୍ଷତା ହାସଲ ପାଇଁ ରାଜ୍ୟ ସରକାର ଇତିମଧ୍ୟରେ ଯେଉଁ ‘ଓଡ଼ିଶା ହାୟର୍ ଏଜୁକେଶନ୍ ପ୍ରୋଜେକ୍ଟ ଫର୍ ଏକ୍ସିଲାନ୍ସି ଆଣ୍ଡ ଇକ୍ୟୁଇଟି (ଓଏଚ୍ଇପିଇଇ) ଆରମ୍ଭ କରିଛନ୍ତି, ଆଗାମୀ ଦିନରେ ତାହା କଲେଜ ଓ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ଅଧିକ ମହଙ୍ଗା କରିବ ଓ ବିଦ୍ୟାର୍ଥୀଙ୍କ ମୁଣ୍ଡରେ ଋଣବୋଝ ଲଦି ଦେବ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ମାନେ ଆଶଙ୍କା ବ୍ୟକ୍ତ କଲେଣି।
ଉଚ୍ଚଶିକ୍ଷାର ବିକାଶ ଆଳରେ ଦେଶର ଅନ୍ୟ କୌଣସି ରାଜ୍ୟ ବିଶ୍ୱବ୍ୟାଙ୍କ ଋଣ କରୁନଥିବା ବେଳେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସେହି ଋଣଯନ୍ତା ଆଡ଼କୁ ଅଗ୍ରସର ହୋଇଛି। କାରଣ ଭବିଷ୍ୟତରେ ଏହାର ସୁଧ ଓ ମୂଳ ପରିଶୋଧ ପାଇଁ ବିଦ୍ୟାର୍ଥୀଙ୍କ ମୁଣ୍ଡରେ ହିଁ ବୋଝ ପଡ଼ିବ। ଉଚ୍ଚ ଶିକ୍ଷା ବିଭାଗର ପ୍ରଶାସନିକ ମୁଖ୍ୟ ତଥା ଅତିରିକ୍ତ ମୁଖ୍ୟ ସଚିବ ଜିଭିଭି ଶର୍ମାଙ୍କ ଅଧ୍ୟକ୍ଷତାରେ ଗତ ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ଓଏଚ୍ଇପିଇଇ ଷ୍ଟିୟରିଂ କମିଟି ବୈଠକରେ ଗୃହୀତ ନିଷ୍ପତ୍ତିରୁ ଉପରୋକ୍ତ ଆଶଙ୍କା ଘନୀଭୂତ ହୋଇଛି।
ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଭିତ୍ତିଭୂମି, ଅଧ୍ୟାପକ ନିଯୁକ୍ତି, ତାଲିମ, ଗୁଣାତ୍ମକ ଶିକ୍ଷା ଓ ବିକାଶ ନିମନ୍ତେ ରାଜ୍ୟର ୧୪୦ କଲେଜକୁ ବିଶ୍ୱବ୍ୟାଙ୍କ ଋଣରୁ ଦିଆଯିବ ୮୧୦ କୋଟି ଟଙ୍କା। ୧୧ଟି ବିଶ୍ୱବିଦ୍ୟାଳୟକୁ ମିଳିବ ୨୩୦ କୋଟି ଟଙ୍କା। ବିଶ୍ୱ ବ୍ୟାଙ୍କ ଋଣ ରାଶି ବିନିଯୋଗ ପାଇଁ ରାଜ୍ୟର ୧୪ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରି କଲେଜ ମଧ୍ୟରୁ ହିତାଧିକାରୀ ଅନୁଷ୍ଠାନ ଚୟନ କରାଯିବ। ଏହି ଅଞ୍ଚଳରୁ ଉପଯୁକ୍ତ କଲେଜ ଚୟନ କରାଯାଇ ସେଗୁଡ଼ିକୁ ‘କ’ ଶ୍ରେଣୀରେ ରଖାଯିବ। ଅଣ-ଆଦିବାସୀ ଜିଲ୍ଲାରେ ଥିବା କଲେଜଗୁଡ଼ିକରୁ ଯୋଗ୍ୟ ଅନୁଷ୍ଠାନ ଚୟନ କରାଯାଇ ସେଗୁଡ଼ିକୁ ‘ଖ’ ଶ୍ରେଣୀରେ ରଖାଯିବ। ‘କ’ ଶ୍ରେଣୀଭୁକ୍ତ କଲେଜଗୁଡ଼ିକ ପାଇଁ ନିର୍ଦ୍ଧାରିତ ବ୍ୟୟ ଅଟକଳର ୨୫% ଲେଖାଏଁ ବାର୍ଷିକ ସହାୟତା ଆକାରରେ ୪ ବର୍ଷ ପର୍ଯ୍ୟନ୍ତ ଅର୍ଥ ଯୋଗାଇ ଦିଆଯିବ। ‘ଖ’ ଶ୍ରେଣୀଭୁକ୍ତ କଲେଜଗୁଡ଼ିକ ପାଇଁ ଅଟକଳ ରାଶିରୁ ବାର୍ଷିକ ୩୩% ହିସାବରେ ୩ ବର୍ଷ ପାଇଁ ସହାୟତା ଦିଆଯିବ।
ଷ୍ଟିୟରିଂ କମିଟି ବୈଠକରେ ଗୃହୀତ ପ୍ରସ୍ତାବ ନଂ-୧୦ ଓ ୧୧ ଏଠାରେ ପ୍ରଣିଧାନସାପେକ୍ଷ। ସେଥିରେ କୁହାଯାଇଛି ଯେ ଅଧ୍ୟାପକ ନିଯୁକ୍ତି ହିତାଧିକାରୀ ଅନୁଷ୍ଠାନଗୁଡ଼ିକୁ ବିଶ୍ୱ ବ୍ୟାଙ୍କ ଋଣ ଅର୍ଥରୁ ସର୍ତ୍ତଭିତ୍ତିକ ସହାୟତା ମିଳିବ। ଯେଉଁ କଲେଜଗୁଡ଼ିକ ୩ ବର୍ଷ ବା ୪ ବର୍ଷ ପରେ ସମ୍ପୃକ୍ତ ଅଧ୍ୟାପକମାନଙ୍କ ଦରମା ବ୍ୟୟ ବହନ କରିବାକୁ ରାଜି ହେବେ, କେବଳ ସେହି କଲେଜଗୁଡ଼ିକ ଏ ବାବଦରେ ସହାୟତା ପାଇବେ। ସୁତରାଂ ୩ ବା ୪ ବର୍ଷ ପରେ ନବନିଯୁକ୍ତ ଅଧ୍ୟାପକମାନଙ୍କ ଦରମା ବୋଝ ସେସବୁ କଲେଜ ଉପରେ ପଡ଼ିବ। ଏହାକୁ ଭରଣା କରିବା ଲାଗି ପ୍ରସ୍ତାବ-୧୧ରେ ସ୍ପଷ୍ଟ ସୂଚନା ଦିଆଯାଇଛି। ସେଥିରେ କୁହାଯାଇଛି ଯେ ଉପରୋକ୍ତ ବ୍ୟୟ ଭରଣା ଲାଗି ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଫି ବୃଦ୍ଧି କ୍ଷମତା ମିଳିବ। ସୁତରାଂ ଏହି କଲେଜମାନେ ଛାତ୍ରଛାତ୍ରୀଙ୍କ ଫି’ ବଢ଼ାଇ ସେଥିରୁ ଅଧ୍ୟାପକମାନଙ୍କ ଦରମା ବ୍ୟୟ ଭରଣା କରିବା ଏକପ୍ରକାର ନିଶ୍ଚିତ।
ସୂଚନାଯୋଗ୍ୟ, ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ପଦର ପ୍ରାୟ ୫୦% ଖାଲି ପଡ଼ିଛି। ବିଶ୍ୱ ବ୍ୟାଙ୍କ ଋଣ ସହାୟତାରେ ଯଦି ଅଧ୍ୟାପକ ପଦ ପୂରଣ ହୁଏ, ତେବେ ୩ରୁ ୪ ବର୍ଷ ମଧ୍ୟରେ ଅର୍ଦ୍ଧାଧିକ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ଦରମା ବୋଝ ସିଧାସଳଖ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବ।