ବ୍ରହ୍ମପୁର : ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ (ଆଇସିଜେଏମ୍‌ପି) ଜରିଆରେ ଗଞ୍ଜାମ ଜିଲ୍ଲା ରାମେୟାପାଟଣା ଉପକୂଳରେ ସମୁଦ୍ରକୁ ରୋକିବା ଲାଗି ୧୨ଶହ ମିଟର ସମୁଦ୍ର ପ୍ରାଚୀର କରାଯିବାକୁ ନିଷ୍ପତ୍ତି ହୋଇଛି। କୂଳଠାରୁ ୨୫ ମିଟର ସମୁଦ୍ର ଜଳରାଶିରେ ଏହି ପ୍ରାଚୀର ନିର୍ମାଣ ସରିବା ପରେ ସମ୍ମୁଖ ଭାଗରେ ବଡ଼ ବଡ଼ ପଥର ପକାଯିବ। ପ୍ରାଚୀର ପଛ ପାର୍ଶ୍ବରେ ବାଲି ଏବଂ ମାଟି ମିଶାଇ ପକାଯିବ। ଏଥିସହ ବାହୁଦା ମୁହାଣକୁ ଖନନ କରାଯିବ। ଏଥିଲାଗି ନକ୍ସା ଚୂଡ଼ାନ୍ତ ହୋଇ ୨୨କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ଏହା ଅନୁମୋଦନ ଆପେକ୍ଷାରେ ଅଛି। ଆଜି ବିଶ୍ବବ୍ୟାଙ୍କର ୪ ଜଣିଆ ପ୍ରତିନିଧିଦଳ ରାମେୟାପାଟଣା ଗସ୍ତ କରି ଅବକ୍ଷୟ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି। ଡ.କୁଲକର୍ଣ୍ଣିଙ୍କ ନେତୃତ୍ବରେ ବିଶ୍ବବ୍ୟାଙ୍କ ପ୍ରତିନିଧିଦଳ ଆସିଥିବା ବେଳେ ଆସିଜେଏମ୍‌ପିର ଡ. ପି.କେ.ପାଣିଗ୍ରାହୀ, ବ୍ରହ୍ମପୁର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିଜୟ ପାଳ ପ୍ରମୁଖ ସମିଲ ଥିଲେ।

Advertisment

ଗଞ୍ଜାମ ଉପକୂଳବର୍ତ୍ତୀ ଚିକିଟି ବ୍ଲକ୍‌ ରାମେୟାପାଟଣାରେ ବାରମ୍ବାର ଜୁଆର ମାଡ଼ରେ ବେଳାଭୂମି ଓ ଜନବସତି ଅବକ୍ଷୟ ହେବାରେ ଲାଗିଛି। ସମୁଦ୍ର ଆଁରେ ୩୦ରୁ ଅଧିକ ବାସଗୃହ ପଶି ସାରିଲାଣି। ଏବେ ଏହାକୁ ଗମ୍ଭୀରତା ସହ ନେଇଛି ପ୍ରଶାସନ। ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ଜରିଆରେ ରାମେୟାପାଟଣାଠାରେ ସମୁଦ୍ରକୁ ରୋକିବା ଲାଗି ପ୍ରଥମେ ଗାର୍ଡୱାଲ କରାଯିବାକୁ ସ୍ଥିର ହୋଇଥିଲା। କୂଳଠାରୁ ୨୫ ମିଟର ସମୁଦ୍ର ଜଳରାଶିରେ ଗାଁ ସୀମାଠାରୁ ୧କିମି ଲମ୍ବ ଓ ୩ ମିଟର ଉଚ୍ଚାର ଏକ ଗାର୍ଡ଼ୱାଲ ନିର୍ମାଣ ପାଇଁ ଯୋଜନା ରହିଥିଲା। ଏଥିଲାଗି ଜଳସମ୍ପଦ ବିଭାଗ ୬କୋଟି ୪୭ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଥିଲା। ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ମିଳିଥିଲା। କିନ୍ତୁ ଉକ୍ତ ସ୍ଥାନରେ ଲହଡ଼ିର ବେଗ ଅଧିକ ରହୁଥିବା ବେଳେ ବାରମ୍ବାର ସମୁଦ୍ର ଅବକ୍ଷୟ ହେଉଥିବାରୁ ଏହି ଗାର୍ଡ଼ୱାଲ ଦୀର୍ଘସ୍ଥାୟୀ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ।