ରାଜ୍ୟ ଓ କେନ୍ଦ୍ରସରକାରଙ୍କ ସହ ୧୬ କୋଟି ୫୦ ଲକ୍ଷ ଆମେରିକୀୟ ଡଲାରର ଋଣ ଚୁକ୍ତି
୧୫ଟି ଜିଲ୍ଲାର ୧ ଲକ୍ଷ ୨୫ ହଜାର କ୍ଷୁଦ୍ର ଚାଷୀ ହେବେ ଲାଭାନ୍ୱିତ
୧ ଲକ୍ଷ ୨୮ ହଜାର ହେକ୍ଟର ଜମିରେ କାର୍ଯ୍ୟକାରୀ ହେବ ପ୍ରକଳ୍ପ
ନୂଆଦିଲ୍ଲୀ : କେନ୍ଦ୍ର ସରକାର, ଓଡ଼ିଶା ସରକାର ଓ ବିଶ୍ବବ୍ୟାଙ୍କ ମଧ୍ୟରେ ଆଜି ୧୬ କୋଟି ୫୦ ଲକ୍ଷ ଆମେରିକୀୟ ଡଲାରର ଏକ ଋଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଅଧିକ ମରୁଡ଼ିପ୍ରବଣ ତଥା ବର୍ଷାଜ ଉପରେ ନିର୍ଭରଶୀଳ ଗ୍ରାମାଂଚଳରେ ‘ଜଳବାୟୁ ଅନୁକୂଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ’ କାର୍ଯ୍ୟକାରୀ କରାଯିବ । ଏହାଦ୍ୱାରା ରାଜ୍ୟର ୧୫ଟି ଜିଲ୍ଲାର ପାଖାପାଖି ୧ ଲକ୍ଷ ୨୫ ହଜାର କ୍ଷୁଦ୍ର ଚାଷୀ ପରିବାର ଲାଭାନ୍ୱିତ ହୋଇପାରିବେ ଏବଂ ୧ ଲକ୍ଷ ୨୮ ହଜାର ହେକ୍ଟର ଜମିରେ କୃଷିକାର୍ଯ୍ୟ ହୋଇପାରିବ। ଏହି ପ୍ରକଳ୍ପ ଜରିଆରେ କ୍ଷୁଦ୍ରଚାଷୀଙ୍କୁ ପାଣିପାଗ କୁପ୍ରଭାବରୁ ସୁରକ୍ଷିତ ରହୁଥିବା କିସମର ବିହନ ଏବଂ ଉତ୍ପାଦନ ପ୍ରଯୁକ୍ତି ସମେତ ଉତ୍ତମଜଳ ପରିଚାଳନା ଏବଂ ଜଳସେଚନ ସେବା ଯୋଗାଇ ଦିଆଯିବ । ଉତ୍ପାଦନର ବିପଣନ ପାଇଁ ଅଧିକ ବିବିଧ ତଥା ଉନ୍ନତ ବ୍ୟବସ୍ଥା ପ୍ରତିଷ୍ଠାକରାଯିବ। ଫଳରେ, ସେମାନେ ନିଜ ଫସଲକୁ ସୁରକ୍ଷିତ ରଖିବା ସହିତ ନିଜର ଆୟ ବୃଦ୍ଧି କରିପାରିବେ ।
ଏହି ଅବସରରେ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ସମୀରକୁମାର ଖାରେ କହିଥିଲେ ଯେ, ଭାରତ ସରକାର ଜଳବାୟୁ ପରିବର୍ତନ ଉପରେ ଆଧାରିତ ଜାତୀୟ କାର୍ଯ୍ୟ ଯୋଜନା ଅନ୍ତର୍ଗତ ବିଭିନ୍ନ ଅଭିଯାନକୁ କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ଜଳବାୟୁ ଅନୁକୂଳ ଚାଷ ପ୍ରଣାଳୀ ଏବଂ ପ୍ରଯୁକ୍ତିକୁ ବ୍ୟାପକ ଭାବେ ଲାଗୁ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ୨୦୩୦ ସୁଦ୍ଧା କୃଷି ସଂକ୍ରାନ୍ତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଲାଗି ଆମେ ପ୍ରତିବଦ୍ଧ । ଏଥିପାଇଁ ଭାରତ ସରକାରଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଅନେକ ଯୋଜନା ମଧ୍ୟରୁ ଓଡ଼ିଶାର ଏହି ଯୋଜନା ଅନ୍ୟତମ ।
ଏହି ଋଣ ଚୁକ୍ତିରେ ଭାରତସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଶ୍ରୀ ଖାରେ, ଓଡ଼ିଶାସରକାରଙ୍କ ପକ୍ଷରୁ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ବିଶ୍ୱବ୍ୟାଙ୍କ ପକ୍ଷରୁ ଭାରତରେ ଅବସ୍ଥାପିତ ରାଷ୍ଟ୍ର ନିର୍ଦ୍ଦେଶକ ଜୁନୈଦ ଅହମ୍ମଦ ସ୍ୱାକ୍ଷର କରିଥିଲେ ।
ଗତ କିଛିବର୍ଷ ଧରି ପାଣିପାଗରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ଓଡ଼ିଶାରେ କୃଷିକ୍ଷେତ୍ର ବ୍ୟାପକଭାବେ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟରେ ମୁଖ୍ୟତଃ ଦୁଇ ହେକ୍ଟରରୁ କମ୍ ଚାଷଜମି ଥିବା ଚାଷୀମାନେ କୃଷି କାର୍ଯ୍ୟ କରିଥାନ୍ତି । ଦିନକୁ ଦିନ ଅଧିକରୁ ଅଧିକ କୃଷିକ୍ଷେତ୍ର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ପୂର୍ବରୁ ପ୍ରତି ୫ ବର୍ଷରେ ଥରେ ମରୁଡ଼ି ଦେଖାଦେଉଥିବାବେଳେ ୨୦୦୯ ପରଠାରୁ ଏହା ହାରାହାରି ପ୍ରତି ୨ ବର୍ଷରେ ଥରେ ଦେଖାଦେଉଛି । ୧୯୭୦ରେ ରାଜ୍ୟର ୪୦ ପ୍ରତିଶତ କୃଷିକ୍ଷେତ୍ର ମରୁଡ଼ି ପ୍ରବଣ ଥିବାବେଳେ ବର୍ତମାନ ୭୦ ପ୍ରତିଶତ କୃଷିକ୍ଷେତ୍ର ପ୍ରତି ମରୁଡ଼ିବିପଦ ରହିଛି । ଏପରିକି ୨୦୧୩ ପରଠାରୁ ପାରମ୍ପରିକ କ୍ଷେତ୍ରକୁ ବାଦ ଦେଲେ ଅନ୍ୟ ଅଂଚଳ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେଉଛି । ଶୁଷ୍କକ୍ଷେତ୍ର ଆହୁରି ଶୁଷ୍କ ହୋଇଚାଲିଥିବାବେଳେ ଆର୍ଦ୍ରକ୍ଷେତ୍ର ଆହୁରି ଆର୍ଦ୍ର ହେଉଛି । ଓଡ଼ିଶାରେ ଗ୍ରୀନହାଉସ ଗ୍ୟାସ ନିର୍ଗମନର ପ୍ରମୁଖ ଉତ୍ସ ହେଉଛି କୃଷିକ୍ଷେତ୍ର। ରାଜ୍ୟର ପାଖାପାଖି ୨୫ ପ୍ରତିଶତ ଗ୍ରୀନହାଉସ ଗ୍ୟାସ କୃଷିକ୍ଷେତ୍ରରୁ ହିଁ ନିର୍ଗମନ ହୋଇଥାଏ ।
ଏହି ପ୍ରକଳ୍ପ ଜରିଆରେ ୫୩୨ଟି ଜଳଭଣ୍ଡାରର ପୁନରୁଦ୍ଧାର କରାଯିବ । ଯାହାଦ୍ୱାରା ୯୧,୪୩୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏହାଦ୍ୱାରା ମଧ୍ୟ ଚାଷଜମିରେ ଉତ୍ପାଦକତା ବୃଦ୍ଧିକୁ ପ୍ରୋତ୍ସାହନ ଏବଂ ଚାଷୀଙ୍କୁ ଖାଦ୍ୟ ଶସ୍ୟ, ବିଶେଷକରି ଧାନ ଓ ଗହମ ଉପରେ ଅଧିକ ନିର୍ଭରଶୀଳତା ହ୍ରାସ ଦିଗରେ ସହାୟତା କରାଯିବ । ଉଚ୍ଚମୂଲ୍ୟର ଅଧିକ ପୋଷକ ଉତ୍ପାଦ ଯଥା ଫଳ ଓ ପରିବା ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରାଯିବ । ଚାଷୀଙ୍କୁ ବିପଣନ ସହାୟତା ଯୋଗା ଇଦିଆଯିବ ଯାହାଦ୍ବାରା ସେମାନେ ଅଧିକ ଲାଭ ପାଇପାରିବେ ।
ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକଳ୍ପର ନେତୃତ୍ୱ ନେଉଥିବା ବରିଷ୍ଠ କୃଷି ବିଶେଷଜ୍ଞ ରଞ୍ଜନ ସାମନ୍ତରାୟ କହିଛନ୍ତି ଯେ, ଜଳଭଣ୍ଡାରର ପୁନରୁଦ୍ଧାର ଦ୍ୱାରା ରାଜ୍ୟରେ କୃଷି ଅଧିକ ଉତ୍ପାଦନକ୍ଷମ ଏବଂ ଜଳବାୟୁ ଅନୁକୂଳ ହୋଇପାରିବ । ଏହି ପ୍ରକଳ୍ପ ଜରିଆରେ ଜଳବାୟୁ ଅନୁକୂଳ କୃଷି ପାଇଁ ସହାୟତା ଯୋଗାଇ ଦିଆଯିବା ସହିତ ସୁନିଶ୍ଚିତ ଜଳସେଚନ କ୍ଷେତ୍ରକୁ ଅଧିକ ଚାଷଜମି ଆସିପାରିବ । ଏହା ଜଳ ଉପଯୋଗ ଦକ୍ଷତା ମଧ୍ୟ ବୃଦ୍ଧିକରିବ ବୋଲି ସେ କହିଥିଲେ ।
ଏହି ୧୬ କୋଟି ୫୦ ଲକ୍ଷ ଡଲାର ଋଣ ଅନ୍ତର୍ଜାତୀୟ ପୁନଃନିର୍ମାଣ ଏବଂ ବିକାଶବ୍ୟାଙ୍କ (ଆଇବିଆରଡି) ଠାରୁ ନିଆଯାଇଛି। ଏହାର ମୋଟ ଅବଧି ୨୪ ବର୍ଷ ହୋଇଥିବାବେଳେ ୬ ବର୍ଷର ମହଲତ ଅବଧି ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/ag.jpeg)