ରକ୍ତଦାନ କ୍ଷେତ୍ରରେ ଅଗ୍ରଣୀ ଓ ସଚେତନ ଜିଲ୍ଲା ବାଲେଶ୍ବର

ବାଲେଶ୍ବର: ବିଶ୍ବ ରକ୍ତଦାତା ଦିବସ ମଙ୍ଗଳବାର ପୂର୍ବାହ୍ନରେ ଓଡ଼ିଶା ରକ୍ତକେନ୍ଦ୍ର ଓ ବାଲେଶ୍ବର ଜିଲ୍ଲା ରକ୍ତଦାତା ସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବ୍ରିଟ୍ କଲ୍ୟାଣମଣ୍ତପ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଓ ବକ୍ତାଭାବେ ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ସଦର ବିଧାୟକ ସ୍ବରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ୍ ଜଗଦ୍ଦେବ, ଜିଲ୍ଲା ରକ୍ତଭଣ୍ତାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ, ନିଦାନ ବିଶେଷଜ୍ଞ ଡା. ମହେଶ କୁମାର ବିଶ୍ବାଳ, ଏଡିଏମ୍ଓ ଡା. ଶଶାଙ୍କ ଶେଖର ଚୌଧୁରୀ ଓ ରକ୍ତ ପରୀକ୍ଷଣ ଓ ନିରୀକ୍ଷଣ ସଂସ୍ଥା ନାଟ୍ ପିସିଆରର ଯୁବ ବୈଜ୍ଞାନିକ ସରୋଜ ଚଇନି ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ବାଲେଶ୍ବର ଜିଲ୍ଲା ରକ୍ତଦାନ କ୍ଷେତ୍ରରେ ଏକ ସଚେତନ ତଥା ଅଗ୍ରଣୀ ଜିଲ୍ଲା। ‌ଏହି ଜିଲ୍ଲାର ସ୍ବେଚ୍ଛାସେବୀ ରକ୍ତଦାତାଙ୍କ ଅକୁଣ୍ଠ ରକ୍ତଦାନ ପାଇଁ ବହୁ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରୁଛି ଏବଂ ବିଶେଷ କରି ଶହଶହ ଥାଲାସେମିଆ ଶିଶୁ ରକ୍ତ ପାଇପାରୁଛନ୍ତି ବୋଲି କହିଥିଲେ।

ସାଧାରଣ ସଂପାଦକ ଇଂ. ହୃଷୀକେଶ ସାହୁ ସଂଘର ୧୯ତମ ବାର୍ଷିକ ବିବରଣୀ ପାଠ କରି ଗତ ୨୦୦୪ ମସିହାରେ ଜନ୍ମ ନେଇଥିବା ଜିଲ୍ଲା ରକ୍ତଦାତା ସଂଘର କାର୍ଯ୍ୟାବଳୀର ବିବରଣୀ ପାଠ କରିଥିଲେ। ଗତବର୍ଷ ବାଲେଶ୍ବର ଜିଲ୍ଲାରେ ୪୧୭ଟି ରକ୍ତଦାନ ଶିବିରରୁ ୨୬ ହଜାରରୁ ଊର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଶ୍ରୀ ସାହୁ ପ୍ରକାଶ କରିଥିଲେ। ନୀଳଗିରି ରକ୍ତ ଭଣ୍ତାରରେ ଚାରିଚକିଆ ଯାନ ନଥିବାରୁ ଅଧିକ ଶିବିର ଆୟୋଜନ ହୋଇପାରୁନଥିବା ସମସ୍ୟାର ସମାଧାନ ପାଇଁ ବିଧାୟକ ଓ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ରକ୍ତଦାନ ଓ ରକ୍ତଦାତାମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ସଂଗଠନ ପକ୍ଷରୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆସିଥିବା ନୃତ୍ୟଶିଳ୍ପୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ରାଜେଶ କୁମାର ଗିରି ମ‌ଂଚ ଆହ୍ବାନ କରିବା ପରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ସ୍ପନ୍ଦନ-୨୦୨୨’କୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଉନ୍ମୋଚନ କରିଥିଲେ। ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ଅକ୍ଷୟ କୁମାର ତ୍ରିପାଠୀ, ପ୍ରଫୁଲ୍ଲ କୁମାର ଦାସ, ଶ୍ୟାମସୁନ୍ଦର ଜେନା, ଲକ୍ଷ୍ମୀଧର ବାରିକ, ବିଜୟ ପାତ୍ର, ରବି ରାଉତ, ପଦ୍ମଚରଣ ଦତ୍ତ, ଯଶୋଦାନନ୍ଦନ ଆସ, କୁମୁଦ ରଂଜନ ଗିରି, ସନ୍ତୋଷ ପଟ୍ଟନାୟକ, ସେକ୍ ଜନତ୍ ହୁସେନ୍ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର