ଶେରଗଡ଼ରେ ବିଶ୍ବସ୍ତରୀୟ ଆଇଟିଆଇ ଉଦ୍‌ଘାଟିତ

ସରକାର ଓ ଲୋକଙ୍କୁ ଯୋଡ଼ିଛି ‘ଆମ ଗାଁ ଆମ ବିକାଶ’

ଶେରଗଡ଼/ହିଞ୍ଜିଳିକାଟୁ : ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ ଆମ ସରକାରଙ୍କ ସବୁଠୁ ଲୋକପ୍ରିୟ କାର୍ଯ୍ୟକ୍ରମ। ଏହା ମାଧୢମରେ ରାଜ୍ୟର ୨୪୦ ବ୍ଲକର ଜନସାଧାରଣଙ୍କ ସହ ଯୋଡ଼ି ହେବାର ସୁଯୋଗ ପାଇଛି। ଗାଁର ବିକାଶରେ ଲୋକଙ୍କ ପ୍ରତ୍ୟକ୍ଷ ଯୋଗଦାନରୁ ଅଧିକ ସନ୍ତୋଷ ବି ମିଳୁଛି। ଆଉ ଏହି ଯୋଜନା ମାଧୢମରେ ଆପଣ ମାନେ ଯେଉଁ ପ୍ରକଳ୍ପ ପାଇଁ ନିବେଦନ କରିଥିଲେ ତାହାକୁ ବିଚାରରେ ନିଆଯାଇ ଅନୁଦାନ ମ˚ଜୁର କରାଯାଇଛି। ଖୁବ୍‌ ଶୀଘ୍ର ଉନ୍ନୟନ କାମ ଶେଷ ହେବା ନେଇ ମୁଁ ଆଶାବାଦୀ। କାରଣ ଆପଣ ମାନଙ୍କ ଟଙ୍କା ଓଡ଼ିଶାର ଟଙ୍କା। ଏଥିରେ ସଭିଙ୍କ ମିଳିତ ସହଯୋଗ କାମନା କରୁଛି’। ଯଦ୍ବାରା ଗାଁର ବିକାଶ ହୋଇପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନମଣ୍ତଳୀ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ ପାଇଁ ଆୟୋଜିତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି। ଶେରଗଡ଼ ବ୍ଲକର ୨୨ ପଞ୍ଚାୟତର ୧୩୪ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଆଜି ୫କୋଟି ୫୦ ଲକ୍ଷ ଅନୁଦାନ ଘୋଷଣା କରିଥିବା ବେଳେ ହିଞ୍ଜିଳିକାଟୁ ବ୍ଲକର ୨୦ ପଞ୍ଚାୟତ ପାଇଁ ୫ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ।

ସମସ୍ତ ବ୍ଲକରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫ‌େରନସି˚ ମାଧୢମରେ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଥିବା ବେଳେ ପ୍ରଥମ ଥର ପାଇଁ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକରେ ନିଜେ ଯୋଗ ଦେଇଥିଲେ। ଆଉ ପୁରପଲ୍ଲୀର ବିକାଶ ସହ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ତାଙ୍କ ସରକାର ସଦାସର୍ବଦା ଚେଷ୍ଟିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଶେରଗଡ଼ ହେଲିପ୍ୟାଡ଼ରେ ସହ ଅବତରଣ କରିଥିଲେ। ଏହା ପରେ ସେଠାରୁ ବିଜୁ ପଟ୍ଟନାୟକ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ଶେରଗଡ଼ ଷ୍ଟାଡିୟମରେ ଏନ୍‌ଟିପିସିର ବିଶ୍ବସ୍ତରୀୟ ଆଇଟିଆଇ, ଶେରଗଡ଼ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସ, ନବନିର୍ମିତ ଦକ୍ଷତା ବିକାଶ କେନ୍ଦ୍ର, କରଡ଼ାକଣାସ୍ଥିତ ନନ୍ଦିନୀନାଳ ସେତୁ, ଶେରଗଡ଼ ପଞ୍ଚାୟତ ସମିତି ଭବନ, ଶେରଗଡ଼ ମୁଖ୍ୟରାସ୍ତା ଆଲୋକୀକରଣ, ଝଗଡେ଼ଇ-ଜାହାଡ଼ା ରାସ୍ତାରେ ଋଷିକୁଲ୍ୟା ନଦୀ ହାଇଲେବଲ୍‌ ସେତୁ ଉଦ୍‌ଘାଟନ କରିଥିଲେ। ଏହା ସହ ଶେରଗଡ଼ ଷ୍ଟାଡିୟମରେ ଅନୁଷ୍ଠିତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଉଷା ଦେବୀ, ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ତିଆନ, ଗ˚ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ ମଞ୍ଚାସୀନ ଥିଲେ। ବିଡିଓ ସୁରଞ୍ଜନ କୁମାର ସାହୁ ସ˚ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର