ରେଳ ମନ୍ତ୍ରଣାଳୟ ବୟାନବାଜିରେ ମାତିଛି, ରାଜ୍ୟ ଚୁପ୍
ଏବେ କେବଳ ଗୋଟିଏ ନୂଆ ପ୍ଲାଟଫର୍ମ ହେବ
ଭୁବନେଶ୍ବର,(ବିଶ୍ୱଜିତ ଦାଶ): ଦୀର୍ଘ ୧୦ବର୍ଷରୁ ଅଧିକ ସମୟ ହେଲାଣି ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ କରିବା ପାଇଁ ରାଜ୍ୟବାସୀ ଯେଉଁ ସ୍ବପ୍ନ ଦେଖୁଥିଲେ ତାହା ଏବେ ଭାଙ୍ଗି ଚୂରମାର୍ ହେବା ନେଇ ଆଶଙ୍କା ସୃଷ୍ଟି ହେଇଛି। ରାଜ୍ୟ ସରକାର ବିଶ୍ବସ୍ତରୀୟ ରେଳ ଷ୍ଟେସନ୍ ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଇବେନାହିଁ କି ରେଲୱେକୁ ଜମି ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଠିକ୍ ସେମିତି ରେଳ ମନ୍ତ୍ରଣାଳୟ ଭୁବନେଶ୍ବରରେ ଏଥିପାଇଁ ଅର୍ଥ ବ୍ୟୟ କରିବନି ବୋଲି ନିଷ୍ପତ୍ତି କରିଛି। ଯେଉଁଥିପାଇଁ ଚଳିତ ବଜେଟ୍ରେ ଭୁବନେଶ୍ବର ରେଳ ଷ୍ଟେସନରେ ଗୋଟିଏ ନୂଆ ପ୍ଲାଟଫର୍ମ ଏବଂ ଏବେ ଥିବା ଫୁଟ୍ ଓଭରବ୍ରିଜ୍କୁ ସମ୍ପ୍ରସାରଣ ପାଇଁ ମାତ୍ର ୨.୫୩କୋଟି ଟଙ୍କା ଆବଣ୍ଟନ କରାଯାଇଛି। ବିଶ୍ବସ୍ତରୀୟ ରେଳ ଷ୍ଟେସନ ପାଇଁ ୪୫୫କୋଟି ଟଙ୍କାର ଏକ ବଡ ବଜେଟ ଆକଳନ କରାଯାଇଥିଲା। ଆସନ୍ତା ଆର୍ଥିକ ବର୍ଷ ଲାଗି ହୋଇଥିବା ବ୍ୟୟବରାଦ ସୂଚାଇ ଦେଉଛି ଯେ ସ୍ବପ୍ନର ଏହି ପ୍ରକଳ୍ପ ଏବେ ସବୁଦିନ ପାଇଁ ସ୍ବପ୍ନରେ ହିଁ ରହିଯିବ।
ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ କେନ୍ଦ୍ରରେ ରେଳ ବିଭାଗର ମନ୍ତ୍ରୀ ଦାୟିତ୍ବ ଦିଆଯିବା ପରେ ଏହି ପ୍ରକଳ୍ପକୁ ନେଇ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ବଢ଼ିଯାଇଥିଲା। ଯେହେତୁ ବିଜେଡି-ବିଜେପି ମିଳିତ ଭାେବ ଅଶ୍ବିନୀଙ୍କୁ ରାଜ୍ୟସଭା ପଠାଇଥିଲେ, ବିଭିନ୍ନ ମହଲ ଏକଥା ଆଶା କରୁଥିଲେ ଯେ ଅଶ୍ବିନୀ ଦୁଇ ପକ୍ଷଙ୍କୁ ସୁହାଇଲା ଭଳି କାମ କରିବେ। ବହୁ ଦିନର ପ୍ରତୀକ୍ଷିତ ପ୍ରକଳ୍ପ ପାଇଁ ଏକ ବଡ଼ ଅର୍ଥରାଶି ମିଳିବ ଓ ଏହା ତାଙ୍କରି ସମୟରେ ପୂର୍ଣ୍ଣାଙ୍ଗ ରୂପ ନେବ। ହେଲେ ଫଳ ଶୂନ।
ଚଳିତ ବଜେଟ୍ରେ ଓଡ଼ିଶାରେ ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୯୭୩୪ କୋଟି ମିଳିଥିବାରୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀ କରି ଏହା ଓଡ଼ିଶା ପାଇଁ ଐତିହାସିକ ବଜେଟ୍ ବୋଲି କହୁଛନ୍ତି। ବହୁ ରେଳ ପ୍ରକଳ୍ପ ପାଇଁ ଅନୁଦାନ ମିଳିଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ହେଲେ ଯେଉଁ ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବାକୁ କୁହାଯାଉଥିଲା ସେଥିରେ ରେଲୱେର ମୋଟ୍ ୧ଲକ୍ଷ ୪୦ହଜାର କୋଟିର ବଜେଟ୍ରୁ ଭାଗ ପଡ଼ିଛି ମାତ୍ର ଅଢେଇ କୋଟି। ତିନି ବର୍ଷ ତଳେ ଯେଉଁ ୭୦କୋଟି ଟଙ୍କା ମିଳିଥିଲା ତାହା ଖର୍ଚ୍ଚ ହୋଇପାରିନଥିବାରୁ ମାର୍ଚ୍ଚ ୩୧ ପରେ ଫେରିଯିବ। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏହି ୭୦କୋଟି ତିନିବର୍ଷ ହେଲା ଧରିବସିବା ସତ୍ତ୍ବେ ପ୍ରକଳ୍ପ ଆରମ୍ଭ ହୋଇନପାରିବାରୁ ଟଙ୍କା ଫେରସ୍ତ କରିବାକୁ ଯାଉଛନ୍ତି।
ନୂଆ ଯୋଜନା ଅନୁଯାୟୀ, ଭୁବନେଶ୍ବର ରେଳ ଷ୍ଟେସନରେ ଆଉ ଦୁଇଟି ନୂଆ ପ୍ଲାଟଫର୍ମ ହେବନି। ବରଂ ଗୋଟିଏ ପ୍ଲାଟ୍ଫର୍ମ ହେବ। ଏହାର ନାମ ପ୍ଲାଟଫର୍ମ ୧-ଏ ରହିବ। ଏହା ବର୍ତ୍ତମାନ ବିଭିନ୍ନ ଏଟିଏମ୍ ଯେଉଁ ପାର୍ଶ୍ବରେ ଅଛି (ପାର୍କିଂ ଅଞ୍ଚଳ) ସେହି ଅଞ୍ଚଳରେ ନିର୍ମାଣ କରାଯିବ। ଯାତ୍ରୀମାନେ ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ବରୁ ଫୁଟ୍ ଓଭରବ୍ରିଜ୍ରେ ପ୍ଲାଟଫର୍ମ-୧କୁ ଯିବେ। ସେଠାରୁ ୧-ଏ ପ୍ଲାଟଫର୍ମକୁ ଆସିବେ। ଏହା ହେଲେ ଷ୍ଟେସନ ବିଲଡିଂ, ଅନ୍ୟାନ୍ୟ କାର୍ଯ୍ୟାଳୟ ଭଙ୍ଗାଯିବନି।
ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏହି ପ୍ରକଳ୍ପ କରିଦେଲେ ରେଳ ଷ୍ଟେସନକୁ ନେଇ ଯେତେ ସବୁ ଯୋଜନା ହୋଇଛି ତାହା ଉପରେ ପୂର୍ଣ୍ଣଛେଦ ପଡ଼ିଯିବ। ଭବିଷ୍ୟତରେ ଚାହିଁଲେ ବି ରେଳ କର୍ତ୍ତୃପକ୍ଷ କିଛି ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ କି ସମ୍ପ୍ରସାରଣ କରିପାରିବେନି। ଏକ ସୁନ୍ଦର ଓ ବ୍ୟବସ୍ଥିତ ରେଳ ଷ୍ଟେସନ ଅସଜଡ଼ା ରେଳ ଷ୍ଟେସନ ଭଳି ହୋଇଯିବ। ପିପିପି ମୋଡରେ ଯେଉଁ କାମ ଆରମ୍ଭ କରିବାକୁ ରେଳ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ପ୍ରତିଶ୍ରୁତି ଦେଇ ଆସୁଛନ୍ତି ତାହା ବି ହୋଇପାରିବନାହିଁ।
/sambad/media/post_attachments/wp-content/uploads/2019/05/bhubaneswar-railway-station.jpg)
ପୂର୍ବତଟ ରେଳପଥର ଜଣେ ଅଧିକାରୀ କହିଛନ୍ତି ଯେ, ରାଜ୍ୟ ସରକାର ରେଳ ଷ୍ଟେସନ ମଲ୍ଟି ମୋଡାଲ୍ ହବ୍ ପାଇଁ ୨୦୧୯ ମସିହାରେ ଦିଲ୍ଲୀରେ ଯେଉଁ ଏମ୍ଓୟୁ ସ୍ବାକ୍ଷର କରିଥିଲେ ତାହାକୁ ପରବର୍ତ୍ତୀ ସମୟରେ ଫାଙ୍କିବାରୁ ଆମେ ଏମ୍ଓୟୁରୁ ଓହରିଯିବାକୁ ପ୍ରାୟ ୬ମାସ ତଳେ ଚିଠି ଲେଖିଥିଲୁ। ଏହାସହ ଜଣାଇଥିଲୁ ଯେ, ରେଲୱେ ପାଇଁ ଯାହା ଭିତ୍ତିଭୂମି ଦରକାର ତାହା ଆମେ କରିବୁ। ରାଜ୍ୟ ସରକାର ଯାହା ଯୋଜନା କରିଛନ୍ତି; ତାହା କରନ୍ତୁ। ହେଲେ ରାଜ୍ୟ ସରକାର ଆମକୁ କେବଳ ମୌଖିକ ଭାବେ ସହମତି ଦେଇଦେଲେ। ଏମ୍ଓୟୁରେ ସଂଶୋଧନ କି ଏମ୍ଓୟୁରୁ ଓହରିବା ନେଇ ଲିଖିତ ଭାବେ କିଛି ଜଣାଇଲେନି। ରେଳ ଷ୍ଟେସନର ସମ୍ପ୍ରସାରଣ ପାଇଁ ଯେଉଁ ଯୋଜନା କରିଛୁ ତାହା ରେଲୱେର କିଛି ଜମି ଏବଂ ରାଜ୍ୟ ସରକାରଙ୍କ ଅଧିକ ଜମିରେ ହେବ। ତେଣୁ ନୂଆ କୋଠାର ଫାଉଣ୍ଡେସନ କାମ ଦୁଇ ପକ୍ଷ ମିଳିତ ଭାବେ କରିବାକୁ ହେବ। ହେଲେ ରାଜ୍ୟ ସରକାର ଅର୍ଥ ଦେଉନାହାନ୍ତି କି ମିଳିତ ଭାବେ କାମ କରୁନାହାନ୍ତି। ବେସମେଣ୍ଟ, ଗ୍ରାଉଣ୍ଡଫ୍ଲୋର୍ ରାଜ୍ୟ ସରକାର ବ୍ୟବହାର କରିବାକୁ ଥିବାରୁ ସେମାନେ ତାଙ୍କ ଯୋଜନା ଅନୁଯାୟୀ ତାହା ନିର୍ମାଣ କରିବା ପରେ ଆମେ ଉପରକୁ ତିନି ମହଲା ନିର୍ମାଣ କରିବାକୁ କହିଛୁ। ଏହାପରେ ରାଜ୍ୟ ସରକାର ତାଙ୍କ ଆବଶ୍ୟକତା ଅନୁଯାୟୀ କୋଠା ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲୁ। ଏଥିରେ ରାଜି ହେଉନାହାନ୍ତି କି ଆମକୁ କାମ ଆରମ୍ଭ କରିବାକୁ ଦେଉନାହାନ୍ତି। ଷ୍ଟେସନ ବିଲଡିଂ ନଭାଙ୍ଗିଲେ ରେଳ ଷ୍ଟେସନ ସମ୍ପ୍ରସାରଣ ହୋଇପାରିବନି।
/sambad/media/post_attachments/wp-content/uploads/2021/07/railway-station.jpg)
ଏହି ଯୋଜନାରେ ରାଜ୍ୟ ସରକାର ରାଜି ନହେବାରୁ ଏବେ ନୂଆ ଡିଜାଇନ୍ ପ୍ରସ୍ତୁତ ହୋଇଛି। ତାହାକୁ ଆସନ୍ତା ଆର୍ଥିକ ବର୍ଷରେ କାର୍ଯ୍ୟକାରୀ କରାଯିବ। ଏହାପରେ ଦୁଇଟି ରେଳ ଲାଇନ୍ ବିଛାଇବା ନେଇ ଯୋଜନା ହେବ। ଏବେ ଗୋଟିଏ ପ୍ଲାଟଫର୍ମ ହେଲେ ପ୍ଲାଟଫର୍ମ-୧ରେ ଫୁଡ୍କୋର୍ଟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ।
ଏନେଇ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଶ୍ବସ୍ତରୀୟ ରେଳ ଷ୍ଟେସନ ନେଇ ମୁଖ୍ୟମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କ ଉପସ୍ଥିତିରେ ଏମ୍ଓୟୁ ହୋଇଥିଲା। ତେଣୁ ଏଥିରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କ ସହମତି ଦରକାର। ଏବେ କୋଭିଡ ପରିସ୍ଥିତି ଯୋଗୁଁ ରାଜ୍ୟ ସରକାର ରେଳ ଷ୍ଟେସନ ଉନ୍ନତୀକରଣରେ ପ୍ରାୟ ୫୦୦କୋଟି ଖର୍ଚ୍ଚ କରିବା ସ୍ଥିତିରେ ନାହାନ୍ତି। ତେଣୁ ରେଳ ମନ୍ତ୍ରଣାଳୟ କିଛି ଅର୍ଥ ଦେଉ ବୋଲି କୁହାଯାଇଥିଲା। ରାଜ୍ୟ ସରକାର ମାଗଣାରେ ଜମି ଦେଉଥିବାରୁ ରେଳ ମନ୍ତ୍ରଣାଳୟ ଅଧା ଅର୍ଥ ଦେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରନ୍ତା। କିନ୍ତୁ ରେଳ ମନ୍ତ୍ରଣାଳୟ ଅର୍ଥ ଦେଉନି। ତେଣୁ ଯେତେବେଳେ ସୁବିଧା ହେବ ରାଜ୍ୟ ସରକାର ସେତେବେଳେ ଏହି ପ୍ରକଳ୍ପ କରିବେ।
ଅପରପକ୍ଷେ ବିଶ୍ବସ୍ତରୀୟ ରେଳ ଷ୍ଟେସନ ନିର୍ମାଣ ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନମାନିରେ ଫସି ଯାଇଥିବାରୁ ଏନେଇ କେହି ମୁହଁ ଖୋଲୁନାହାନ୍ତି।