ପର୍ଯ୍ୟଟକଙ୍କୁ ଆକର୍ଷଣ କରିବ କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର

ଭୁବନେଶ୍ୱର : ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ପରିଚୟ କୋଣାର୍କର ସୂର୍ଯ୍ୟମନ୍ଦିରରେ ଇଣ୍ଡିଆନ୍‌ ଅଏଲ୍‌ ଫାଉଣ୍ଡେସନ୍‌ ଦ୍ୱାରା ୪୫କୋଟି ଟଙ୍କା ଖର୍ଚ୍ଚରେ ବିକଶିତ ହୋଇଛି ବିଶ୍ୱମାନର ପର୍ଯ୍ୟଟନ ସୁବିଧା ଓ ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର। ଏହି ନୂତନ ବ୍ୟବସ୍ଥା ଫଳରେ କୋଣାର୍କକୁ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ଘଟିବ। କେନ୍ଦ୍ର ତୈଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପ୍ରିଲ୍‌ ୧ ଉତ୍କଳ ଦିବସରେ ଏହାକୁ ଉଦ୍‌ଘାଟନ କରିବେ। ନୂତନ ବ୍ୟାଖ୍ୟାନ କେନ୍ଦ୍ର ଓ ଉଚ୍ଚମାନର ପର୍ଯ୍ୟଟନ ସୁବିଧା ବିଶ୍ୱସ୍ତରରେ କୋଣାର୍କର ଗୌରବକୁ ବହୁଗୁଣିତ କରିବା ନେଇ ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେସନ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଏବଂ ସିଇଓ ସୁବ୍ରତ ବର୍ମା ପ୍ରକାଶ କରିଛନ୍ତି। ଏହି ନୂତନ ବ୍ୟବସ୍ଥା ଫଳରେ କୋଣାର୍କରେ ୫ଏକର ପରିମିତ ସ୍ଥାନରେ ଉନ୍ନତ ପାର୍କିଂ ବ୍ୟବସ୍ଥା, ସ୍ୱଚ୍ଛତାକୁ ଗୁରୁତ୍ୱ, ପ୍ରତୀକ୍ଷାଗୃହ, ପାନୀୟ ଜଳ ସୁବିଧା, ବର୍ଷା ଆଶ୍ରୟସ୍ଥଳ ଆଦି ନିର୍ମାଣ କରାଯାଇଛି । ଏହାସହିତ ସୁବ୍ୟବସ୍ଥିତ ଉଦ୍ୟାନ, ପାଣି ଫୁଆର, ଅତ୍ୟାଧୁନିକ ହାଇମାଷ୍ଟ ଲାଇଟ୍‌ ସ୍ଥାପନା କରାଯାଇଥିବା ଶ୍ରୀ ବର୍ମା ସୂଚନା ଦେଇଛନ୍ତି।

ବିଶ୍ୱ ଦରବାରରେ ରାଜ୍ୟର ମହାନ ସଂସ୍କୃତି ଓ ଐତିହ୍ୟକୁ ପରିଚିତ କରାଇବାରେ ପ୍ରଥମ ଥର ପାଇଁ କୋଣାର୍କରେ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ବିଶେଷ ସହାୟକ ହେବ। ଓଡ଼ିଶାର ଇତିହାସ, ସଂସ୍କୃତି ଏବଂ ସ୍ଥାପତ୍ୟକୁ ଦର୍ଶାଉଥିବା ୫ଟି ଗ୍ୟାଲେରି ନିର୍ମାଣ କରାଯାଇଛି, ଏହିସୁବିଧା କେନ୍ଦ୍ର ଭାରତ ତଥା ବିଶ୍ୱରେ ଥିବା ଅନ୍ୟାନ୍ୟ ସୂର୍ଯ୍ୟମନ୍ଦିରକୁ ସମର୍ପିତ କରାଯାଇଛି । ଏହି ୫ଟି ଗ୍ୟାଲେରିରେ ଥିବା ମୂର୍ତି, ମଡେଲଏବଂ କଳାକୃତିକୁ ଶୋଭନୀୟ କରିବା ପାଇଁ ଅତ୍ୟାଧୁନିକ ଟଚ୍‌-ସ୍କ୍ରିନ କିଓସ୍କଏବଂ ମଲ୍ଟିମିଡିଆ ଚିତ୍ରଣ ବ୍ୟବସ୍ଥା କରାଯାଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ନିନ୍ତେ ୬୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟରେ ଦୃଶ୍ୟ ଏବଂ ଧ୍ୱନିର ଫ୍ୟୁଜନ୍‌, କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରାଚୀନ ଇତିହାସକୁ ବ୍ୟାଖ୍ୟା କରିବା ଭଳି ଆନିମେଟେଡ୍‌ ଫିଲ୍ମ ବିଶେଷ ଆକର୍ଷଣ ସାଜିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଇଣ୍ଡିଆନ୍‌ ଅଏଲ ୍‌କର୍ପୋରେସନ୍‌ (ଆଇଓସିଏଲ୍‌) ଦ୍ୱାରା ଗଠିତ ହୋଇଥିବା ଇଣ୍ଡିଆନ୍‌ ଅଏଲ୍‌ ଫାଉଣ୍ଡେସନ୍‌ ତୈଳ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଇଂଜିନିୟରିଂ ଇଣ୍ଡିଆନ ଲିମିଟେଡ୍‌, ଓଡ଼ିଶା ପର୍ଯ୍ୟଟନ ଏବଂ ଏଏସ୍‌ଆଇ ସହଯୋଗରେ ଏହି ଅଭିନବ ବ୍ୟବସ୍ଥାର ସଂରଚନା କରାଯାଇଛି। ଏହା ରାଜ୍ୟରେ ପର୍ଯ୍ୟଟନକ୍ଷେତ୍ରକୁ ଏକ ବିଶେଷ ସୋପାନକୁ ନେବବୋଲି ଶ୍ରୀ ବର୍ମା ପ୍ରକାଶ କରିଛନ୍ତି। ଆଇଓସିଏଲ୍‌ର ଓଡ଼ିଶା ସିଜିଏମ୍‌ ପ୍ରୀତିଶ ଭରତ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର