ଭାଷା ପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ଓଡ଼ିଆ ଭାଷା ପାଇଁ ଚଳିତ ବଜେଟ୍‌ରେ ଅନେକ ଘୋଷଣା କରାଯାଇଛି। ଅର୍ଥ ମନ୍ତ୍ରୀ କହିଛନ୍ତି, ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି’ ନାମରେ ନୂଆ ବିଭାଗ ସୃଷ୍ଟି ହେଲା ପରେ ତାହାକୁ ପରିଚାଳନାଗତ ସ୍ୱାଧୀନତା ଓ ଦକ୍ଷତା ପ୍ରଦାନ କରିବା ନିମନ୍ତେ ବଜେଟ୍‌ରେ ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା କରାଯାଇଛି। ପ୍ରତି ପାଞ୍ଚ ବର୍ଷରେ ଏକ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ। ଆସନ୍ତା ବର୍ଷ ପ୍ରଥମ ଥର ପାଇଁ ହେବାକୁ ଥିବା ଏହି ସମ୍ମିଳନୀ ନିମନ୍ତେ ୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ନିମନ୍ତେ ଏକ ଓଡ଼ିଆ ଭାଷା କମିସନ୍‌ ଗଠନ କରାଯିବ। ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ଓଡ଼ିଆ ଅଧ୍ୟୟନକୁ ଦେୟମୁକ୍ତ କରାଯିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିଆଯାଉଥିବା ବ୍ୟାସକବି ଫକୀରମୋହନ ବୃତ୍ତିର ସର୍ତ୍ତାବଳୀ କୋହଳ କରାଯିବ। ଓଡ଼ିଆ ଭାଷା ଓ ସାହିତ୍ୟରେ ଗବେଷଣାକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିସନ୍‌ ଢାଞ୍ଚାରେ ପ୍ରୋତ୍ସାହିତ କରାଯିବ। ଓଡ଼ିଆ ଭର୍ଚୁଆଲ୍‌ ଏକାଡେମି ଓଡ଼ିଆ ଭାଷାରେ ରଚିତ ପୁସ୍ତକଗୁଡ଼ିକର ଡିଜିଟାଇଜେସନ୍‌ କରି ତାହାକୁ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଇବ। ଅତିବଡ଼ି ଜଗନ୍ନାଥ ଦାସଙ୍କର ଜନ୍ମଦିବସ ପାଳନ ଏବଂ କପିଳେଶ୍ୱରପୁର ଓ ସାତଲହଡ଼ି ମଠର ପୁନରୁଦ୍ଧାର ନିମନ୍ତେ ୧ କୋଟି ଟଙ୍କାର ବ୍ୟୟବରାଦ କରାଯିବ।

ବଜେଟ୍‌ରେ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ପାଇଁ ୬୦ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ଏଥିରେ ୪୫ ବର୍ଷରୁ ଅଧିକ ମହିଳା କଳାକାର ଓ ୬୦ ବର୍ଷରୁ ଅଧିକ ପୁରୁଷ କଳାକାରଙ୍କ ନିମନ୍ତେ ମାସିକ ୧,୨୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। ଏହି ଯୋଜନାରେ ୫୦ ହଜାର ହିତାଧିକାରୀ ଉପକୃତ ହେବେ। ସେହିପରି ପ୍ରସ୍ତାବିତ କଳାମଣ୍ଡଳ ପ୍ରତିଷ୍ଠା ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ବାଲୁକା କଳା ସଂଗ୍ରହାଳୟ ପାଇଁ ୨ କୋଟି

ପୁରୀରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରତିଷ୍ଠା କରିବ ବାଲୁକା କଳା ସଂଗ୍ରହାଳୟ। ଏଥି ପାଇଁ ଚଳିତ ବଜେଟ୍‌ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି। ଏହା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୨୧୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସମ୍ବନ୍ଧିତ ଖବର