ବିଶ୍ୱ ଉପଭୋକ୍ତା ଅଧିକାର ଦିବସ : ଅନ୍‌ଲାଇନ ଠକେଇ ପାଇଁ ଆସିବ ଆଇନ

ବ୍ରହ୍ମପୁର ଓ ସମ୍ବଲପୁରରେ ଖୋଲିବ ଖାଉଟି ଅଦାଲତ

ଭୁବନେଶ୍ୱର : ରାଜ୍ୟରେ ବଢ଼ିଚାଲିଛି ଅନ୍‌ଲାଇନ ଠକେଇ। ଅନ୍‌ଲାଇନ୍‌ରେ ସାମଗ୍ରୀ କିଣି ଗ୍ରାହକମାନେ ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୋକାନରୁ କୌଣସି ସାମଗ୍ରୀ କିଣିଲେ ଯଦି ଖରାପ ପଡ଼ୁଛି ତେବେ ଗ୍ରାହକମାନେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥାନ୍ତି। କିନ୍ତୁ ଅନ୍‌ଲାଇନ୍‌ରୁ ସାମଗ୍ରୀ କିଣି ଠକାମିରେ ପଡ଼ିଲେ ଅଭିଯୋଗ ଲାଗି କୌଣସି ପ୍ରକାର ଫୋରମ୍‌ ନାହିଁ। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ୍‌ଶୀଘ୍ର ଆଇନ ଆଣିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ଜୟଦେବ ଭବନଠାରେ ଆଜି ଆୟୋଜିତ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ନୂଆ ଆଇନ ଦ୍ୱାରା ଓଡ଼ିଶାରେ କୌଣସି ଅନ୍‌ଲାଇନ୍‌ ବିକ୍ରୟ ସଂସ୍ଥା ବ୍ୟବସାୟ କରିବାକୁ ଚାହିଁଲେ ପ୍ରଥମେ ନିଜ କମ୍ପାନିଙ୍କୁ ରାଜ୍ୟ ସରକାରଙ୍କ ଅଧୀନରେ ପଞ୍ଜୀକରଣ କରିବେ। ଫଳରେ ଅନ୍‌ଲାଇନ୍‌ରେ ସାମଗ୍ରୀ କିଣି ଠକାମିର ଶିକାର ହେଲେ ଗ୍ରାହକମାନେ ଉଚିତ ଫୋରମ୍‌ରେ ଅଭିଯୋଗ କରିପାରିବେ। ଏହାଦ୍ୱାରା ଗ୍ରାହକଙ୍କୁ ନ୍ୟାୟ ମିଳିବା ସହ ଆଇନ ଅନୁଯାୟୀ ବିକ୍ରୟ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ସେ କହିଥିଲେ। ଏବେ ରାଜ୍ୟରେ କେବଳ ଗୋଟିଏ ରାଜ୍ୟସ୍ତରୀୟ ଖାଉଟି ଅଦାଲତ ରହିଛି। ଉପଭୋକ୍ତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆଉ ଦୁଇଟି ଅଦାଲତ ଖୁବ୍‌ଶୀଘ୍ର ସମ୍ବଲପୁର ଓ ବ୍ରହ୍ମପୁରରେ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପଦବି ସୃଷ୍ଟି ହୋଇଛି। ଜାଗା ମଧ୍ୟ ଚିହ୍ନଟ ସରିଛି।

ବିଭାଗୀୟ କମିସନର ତଥା ଶାସନ ସଚିବ ବୀର ବିକ୍ରମ ଯାଦବ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ଖାଉଟି ବ୍ୟାପାର ନିର୍ଦେଶକ ଅନନ୍ତ କୁମାର ଭୂୟାଁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍ଥାନୀୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର