ସୁନ୍ଦରଗଡ଼ରେ ବିଶ୍ବକପ୍‌ କ୍ରିକେଟ୍‌ ଜୁଆ : ରାଉରକେଲାରୁ ମୁମ୍ବାଇ ଲମ୍ବିଛି ନେଟ୍‌ଵର୍କ, ଲାଗୁଛି ଲକ୍ଷ ଲକ୍ଷ ଟଙ୍କାର ବାଜି, ‘କୋଡ୍‌ୱାର୍ଡ’ରେ ଚାଲିଛି ବେପାର

ରାଉରକେଲା/ ରାଜଗାଙ୍ଗପୁର : ଇଂଲଣ୍ଡରେ ଚା‌ଲିଥିବା କ୍ରିକେଟ ବିଶ୍ବକପକୁ ‌େନଇ ସ‌ାରା ଦେଶ‌େର କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏବେ ନାହିଁ ନ ଥିବା ଉତ୍ସାହ। କିନ୍ତୁ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସହରରେ ଏହି ଉତ୍ସାହ ଏକ ଭିନ୍ନ ରୂପ ନେଇଛି। ବିଶ୍ବକପ୍ କ୍ରିକେଟ ‌େଖଳକୁ ନେଇ ଚାଲିଛି ବେଟିଂ ବା ଜୁଆ। ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗୁଛି। ତେବେ ପୂର୍ବର ଜୁଆଖେଳଠାରୁ ଏଥର ଖେଳର ତରିକା ଓ କୋଡ୍‌ଵାର୍ଡରେ ପରିବର୍ତନ କରି ଜୁଆଡିମାନେ ଘରେ ବସି ଜୁଆ ଖେଳୁଛନ୍ତି। ଆଉ ଏଥିରେ ଅସଂଖ୍ୟ ଲୋକ ବରବାଦ ମଧ୍ୟ ହେଉଛନ୍ତି। ଏଭଳି ଜୁଆ ଖେଳରେ ମାଫିଆଙ୍କ ଚେର ରାଉରକେଲାରୁ ମୁମ୍ବାଇ, ଦିଲ୍ଲୀ, ନାଗପୁର, କୋଲକତା ଓ ଗୁଜୁରାଟ ପର୍ଯ୍ୟନ୍ତ ଲମ୍ବିଛି। ମୋବାଇଲ୍‌ ମେସେଜ ମାଧୢମରେ ସେମାନେ କୋଟି କୋଟି ଟଙ୍କାର ଖେଳ ପରିଚାଳନା କରୁଛନ୍ତି।

କୌଣସି ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍‌ ପ୍ରତିଯୋଗିତା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ କ୍ରିକେଟ୍‌ ଜୁଆ ଖେଳ ଜମି ଉଠେ। ଏବେ ଚାଲିଥିବା ବିଶ୍ବକପ୍ ମ୍ୟାଚରେ ମଧ୍ୟ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବାଜି ଲାଗୁଛି। ଏକ ଗୁପ୍ତ ସୂଚନା ମୁତାବକ, ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୨୮ଟି ସ୍ଥାନରେ କ୍ରିକେଟ୍‌ ବେଟିଂ ଚାଲୁଛି। ସେଥିମଧୢରୁ ରାଉରକେଲା ସହରର ୧୦ଟି ସ୍ଥାନ ରହିଛି। ସହରର ଡେଲି ମାର୍କେଟ୍‌ ଓ ଟ୍ରାଫିକ୍‌ ଛକ ନିକଟସ୍ଥ ଦୁଇଟି ଦୋକାନ କ୍ରିକେଟ୍‌ ଜୁଆ ଖେଳର ମୁଖ୍ୟ ଆଡ୍ଡା ବୋଲି କୁହା ଯାଉଛି। ଗୋଟିଏ ଦୋକାନ ବାହାରୁ ଦେଖିବାକୁ ସାଧାରଣ ହୋଟେଲ୍‌ ଏବ˚ ଅନ୍ୟଟି ଏକ ହୋଲ୍‌ସେଲ୍‌ ଗୋଦାମ। କିନ୍ତୁ ଭିତରେ ଚ‌ାଲିଛି କୋଟି କୋଟି ଟଙ୍କାର ଜୁଆ କାରବାର। କୋଡ୍‌ଵାର୍ଡରେ ଟେଲିଫୋନ୍‌ କଲ୍‌ ଆସେ। ଜୁଆଡିଙ୍କ କୋଡ୍‌ଵାର୍ଡ ଅନୁସାରେ କ୍ରିକେଟ୍‌ରେ ବାଜି ଲଗାଯାଏ। କୌଣସି ମ୍ୟାଚରେ ଲଢ଼େଇର ଗଭୀରତା ଉପରେ ବାଜି ଅର୍ଥ କମ୍‌ ବେଶି ହୁଏ। ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ଖେଳର ଶେଷ ଓଭର୍‌ ତଥା ବଲ୍‌ ଅନୁସାରେ ବି ବାଜି ଲଗାଯାଏ। ଖେଳାଳିଙ୍କ ଉପରେ ମଧ୍ୟ ବାଜି ଲଗାଯାଏ।

ବିଭିନ୍ନ ନେଟ୍‌ଵର୍କରେ କ୍ରିକେଟ୍‌ ଜୁଆ ପାଇଁ ଭିନ୍ନ ଭିନ୍ନ କୋଡ୍‌ଵାର୍ଡ ବ୍ୟବହାର କରାଯାଉଛି। ଏହି ଖେଳ ବେଆଇନ ହେଲେ ବି ଏହାକୁ ପରିଚାଳନା କରୁଥିବା ଲୋକେ ନେଣ-ଦେଣରେ ବିଶ୍ବସନୀୟତାକୁ ସମ୍ପୂର୍ଣ୍ଣ ବଜାୟ ରଖୁଛନ୍ତି। ତେଣୁ ଲୋକେ ଖେଳୁଛନ୍ତି। ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ଆକାଉଣ୍ଟ ଟ୍ରାନ୍ସଫର ଜରିଆରେ ନେଣ ଦେଣ ହେଉଛି। ଅଧିକ ଟଙ୍କା ହେଲେ ଜୁଆ ନେଟଵର୍କ ସହିତ ଜଡିତ ଏଜେଣ୍ଟମାନେ ଟଙ୍କା ଗ୍ରହଣ କିମ୍ବା ଟଙ୍କା ପ୍ରଦାନ କରି ମୁଖ୍ୟଙ୍କୁ ଜଣାଇ ଦେଇଥାନ୍ତି। ରାଉରକେଲା ଓ ରାଜଗାଙ୍ଗପୁର ସହରକୁ ଦିଲ୍ଲୀ, ବମ୍ବେ, ନାଗପୁର ଓ କୋଲକତାରୁ ଏଜେଣ୍ଟମାନେ ଆସି ହୋଟେଲ୍‌ରେ ରହି ଜୁଆ ଖେଳ ଚଳାଉଥିବା ଜଣାପଡ଼ିଛି। ଚଳିତ ବର୍ଷ ମୋବାଇଲ୍‌ ମେସେଜ ଓ ଇଣ୍ଟରନେଟ୍‌ ଜରିଆରେ ଖେଳ ପରିଚାଳନା ହେଉଛି। ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଜୁଆଡ଼ିମାନେ ଗୁଜୁରାଟର ଏକ ନିର୍ଦିଷ୍ଟ ସ୍ଥାନକୁ ନିୟମିତ ଟେଲିଫୋନ କରି ଜୁଆ ଖେଳୁଛନ୍ତି। ରାଜଗାଙ୍ଗପୁରରେ ପ୍ରତିଦିନ ୧୫ରୁ ୨୫ ଲକ୍ଷ ଟଙ୍କାର କ୍ରିକେଟ୍‌ ସଟ୍ଟା କାରବାର ହେଉଥିବା କୁହାଯାଉଛି। କେତେକ ବ୍ୟକ୍ତି ଡାଲି ବେପାର ନାଁରେ କ୍ରିକେଟ୍‌ ଜୁଆ ଖେଳୁଛନ୍ତି। ହୋଟେଲରେ ବସିବା ବିପଦ ଥିବା ଜାଣି‌ କେତେକ ସଟ୍ଟା ମାଫିଆ ବାଇକ୍‌ ଓ କାର୍‌ରେ ବୁଲି ବୁଲି ଲୋକଙ୍କ ସହିତ ବାଜି ଲଗାଉଛନ୍ତି। ଗତବର୍ଷ ଆଇପିଏଲ୍‌ ମ୍ୟାଚ୍‌ ବେଳେ ରାଜଗାଙ୍ଗପୁରରେ ପୁଲିସ ଚଢଉ କରି କିଛି ଏଭଳି ମାଫିଆଙ୍କୁ ଧରିଥିଲା। ସେମାନଙ୍କ ମୋବାଇଲ୍‌ ଫୋନ ଯାଞ୍ଚ ବେଳେ ପୁଲିସ ବହୁ ଗୁରୁତ୍ବପୁର୍ଣ୍ଣ ହାସଲ କରିଥିଲା। ସଟ୍ଟା ମାଫିଆମାନେ କେଉଁ କୋଡ୍‌ ବ୍ୟବହାର କରି କ୍ରିକେଟ୍‌ ଜୁଆ ଖେଳୁଛନ୍ତି ତାହା ମଧ୍ୟ ପଦାକୁ ଆସିଥିଲା। ଏହାପରେ ସଟ୍ଟା ମାଫିଆ କୋଡ୍‌ୱାର୍ଡ ବଦଳାଇ ଜୁଆ ଖେଳୁଛନ୍ତି। ରାଜଗାଙ୍ଗପୁର ଭଳି ବୀରମିତ୍ରପୁର ଓ କୋଇଡ଼ାରେ ମଧ୍ୟ ବିଶ୍ବ କପ୍ କ୍ରିକେଟ୍‌ ବେଟିଂ ହେଉଛି। କ୍ରିକେଟ୍‌ ଜୁଆରେ ଅନେକ ଲୋକ ସର୍ବସ୍ବ ହରାଉଥିବାର ନଜିର ମଧ୍ୟ ରହିଛି। ଜିଲ୍ଲାରେ କ୍ରିକେଟ୍‌ ଜୁଆ ଖେଳର ଅନେକ ପ୍ରମାଣ ପୁଲିସ ପାଖରେ ରହିଥିଲେ ମଧୢ କାର୍ଯ୍ୟାନୁଷ୍ଠାନ ନହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର