ଭୁବନେଶ୍ବର : ବିଶ୍ବକପ୍ ହକି ପାଇଁ ଐତିହାସିକ ମୁହୂର୍ତ। ହକି ଇତିହାସରେ ଯାହା କେବେ ଦେଖିବାକୁ ମିଳିନଥିଲା ମଙ୍ଗଳବାର ତାହାର ସାକ୍ଷୀ ହେବ ସାରା ବିଶ୍ବ। ନୂଆ ଇତିହାସ ସୃଷ୍ଟି କରିବ ଓଡ଼ିଶା। ପ୍ରଥମଥର ଲାଗି ବିଶ୍ବକପ୍ ହକି ପାଇଁ ହେବ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ। ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। ଦୁଇ ଘଣ୍ଟା ଧରି ନୃତ୍ୟଗୀତରେ ବିଭୋର କରିବେ ନାମୀଦାମୀ କଳାକାର। ଷ୍ଟାଡିୟମର ମହାମଞ୍ଚରେ ଏକାଠି ଦିଶିବେ ବଲିଉଡ୍ର ନାମୀ ତାରକା। ବଲିଉଡ୍ର କିଙ୍ଗ୍ ଖାନ୍ ରୂପେ ପରିଚିତ ଶାହରୁଖ୍ ଖାନ୍ଙ୍କ ସମେତ ଧକ୍ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ୍ ନୃତ୍ୟରେ ତଲ୍ଲୀନ କରିବେ। ଭୂଦେବୀ ଭୂମିକାରେ ଅବତୀର୍ଣ୍ଣ ହୋଇ ଭୂମିତଳୁ ବାହାରିବେ ମାଧୁରୀ। ଶାହରୁଖ୍ଙ୍କ ଭୂମିକାକୁ େଗାପନୀୟ (ସର୍ପ୍ରାଇଜ୍) ରଖାଯାଇଥିବା ବେଳେ ସନ୍ଧ୍ୟାରେ କିଙ୍ଗ୍ଖାନ୍ଙ୍କ ନିଆରା ପ୍ରବେଶ ଉପଭୋଗ୍ୟ ହେବ। ଅନ୍ୟତମ ଆକର୍ଷଣ ସାଜିବେ ଓସ୍କାର ବିଜେତା ସଂଗୀତଜ୍ଞ ଏ.ଆର୍. ରହେମାନ୍। ‘ଦି ଆର୍ଥ ସଙ୍ଗ୍’ରେ ସାରା ଦୁନିଆ ଦେଖିବ ବିଶ୍ବ ଏକତାର କଥା। ଶେଖ୍ ଗୁଲ୍ଜାରଙ୍କ ରଚିତ ଜୟ ହିନ୍ଦ୍...ଗୀତରେ ବିଭୋର ହେବେ କୋଟିକୋଟି ଦର୍ଶକ।
ଏଥିସହ ମଞ୍ଚରେ ୧୯୭୫ ହକି ବିଶ୍ବକପ୍ ବିଜେତା ଭାରତୀୟ ଦଳ ଏକ ଭିନ୍ନ ଶୈଳୀରେ ପ୍ରବେଶ କରିବେ। ମଞ୍ଚ ଉପରେ ଡ୍ରୋନ୍ରେ ଉଡ଼ିବ ପତାକା। ଏହାସହିତ ଓଡ଼ିଶାର କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଯିବ ଆଉ ଏକ ସ୍ବର୍ଣ୍ଣିମ ଫର୍ଦ।
ସାଂସ୍କୃତିକ ଦଳ ସହ ତାରକାମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଭ୍ୟାସ କରିଛନ୍ତି। ମାଧୁରୀ ଆଜି ପହଞ୍ଚିବା ପରେ ସନ୍ଧ୍ୟାରେ କଳାକାରଙ୍କ ସହ ରିହର୍ସାଲ୍ କରିଛନ୍ତି। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଂରଚନା କରିଥିବା ନୁପୂର ମହାଜନଙ୍କ ସୂଚନା ମୁତାବକ, ସାଢ଼େ ୫ଟାରୁ ଆରମ୍ଭ ହୋଇଯିବ ସାଂସ୍କୃତିକ କାର୍ଯ୍ୟକ୍ରମ। ଆରମ୍ଭରୁ ଡିଜେରେ ଦୁଲୁକିବ ଷ୍ଟାଡିୟମ୍। ପରେ ମଞ୍ଚକୁ ଆସିବେ ଓଲିଉଡ୍ର ଗୁଡ୍ ବୟ ସବ୍ୟସାଚୀ ମିଶ୍ର ଓ ଚୁଲ୍ବୁଲି ନାୟିକା ଅର୍ଚିତା। ୪୦ ମିନିଟ୍ ମଞ୍ଚରେ ରହି କେବଳ ନୃତ୍ୟ ପ୍ରଦର୍ଶନ କରିବେ ନାହିଁ, ଦର୍ଶକଙ୍କ ସହ ବାର୍ତାଳାପ ଜରିଆରେ ମନୋରଂଜନର ଆସର ଭେଟିଦେବେ। ଏହି କାର୍ଯ୍ୟକ୍ରମ ମଧ୍ୟରେ ହକି ବିଶ୍ବକପ୍
ପାଇଁ ସରକାରଙ୍କ ପ୍ରସ୍ତୁତିର ସବିଶେଷ ବିବରଣୀକୁ ନୃତ୍ୟରେ ଭେଟିଦେବେ କଳାକାର। ଏ ଆର୍ ରହେମାନ୍ ଲାଇଭ୍ ସଂଗୀତ ପରିବେଷଣ କରିବେ। ଅନ୍ୟୂନ ୩୦ ମିନିଟ୍ ସେ ଦର୍ଶକଙ୍କ ମନୋରଂଜନ କରିବେ।
ସମୁଦାୟ ନୃତ୍ୟର ଅବଧି ମଧ୍ୟରେ ବିଶ୍ବ ଏକତାର ମନ୍ତ୍ର ବୁଣିବା ପାଇଁ ୫ଟି ପର୍ଯ୍ୟାୟରେ ୫ଟି ଥିମ୍ରେ ନୃତ୍ୟ ପରିବେଷଣ କରିବେ ୮ଶହ କଳାକାର।
ଉଦ୍ଘାଟନୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମନମୋହିବ ଆତସବାଜି। କିଛି ସମୟ ପାଇଁ ଅନ୍ଧାର ଷ୍ଟାଡିୟମ୍ ଉପରେ ଆତସବାଜି ଆଖି ଖୋସିଦେବ। ଉପସ୍ଥିତ ଦର୍ଶକଙ୍କ ସମେତ ଟିଭି ସାମ୍ନାରେ ଦୂରଦର୍ଶନରେ ଏବଂ ଷ୍ଟାର୍ ସ୍ପୋର୍ଟ୍ସରେ ସମ୍ପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବାକୁ ମିଳିବ।