ସମ୍ବଲପୁର : ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ବ କପ୍ର ଟ୍ରଫି ଏବେ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରୁଛି। ଏହିକ୍ରମରେ ଏହା ଆସନ୍ତା ୪ ତାରିଖରେ ସମ୍ବଲପୁର ଆସିବ। ଏଥି ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଠାରେ ବିଶ୍ବ କପ୍ ଟ୍ରଫିକୁ ସ୍ବାଗତ ସହ ମିନି ମାରାଥନ୍, ଫୁଟବଲ୍ ଖେଳ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ଯୋଜନା ରହିଛି। ଟ୍ରଫିକୁ କମିସନର୍ସ କଲୋନି ପଡ଼ିଆ ଜିଏମ୍ ବିଶ୍ବବିଦ୍ୟାଳୟଠାରେ ଲୋକଙ୍କ ପାଇଁ ପ୍ରଦର୍ଶିତ କରାଯିବ। ବରଗଡ଼ରୁ ଆସିଥିବା ଏହି ଟ୍ରଫିକୁ ଏକ ଶୋଭାଯାତ୍ରାରେ ନେଇ ଝାରସୁଗୁଡ଼ା ଜିଲ୍ଲାକୁ ହସ୍ତାନ୍ତର କରାଯିବ। ଏହି ଟ୍ରଫି ସଂପର୍କିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କ୍ରୀଡ଼ାବିତ୍, ସଂଗଠକ, ଖେଳ ସହ ଜଡ଼ିତ ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ, କ୍ଲବ୍, କ୍ରୀଡ଼ା ଅନୁଷ୍ଠାନ ଗୁଡ଼ିକୁ ସଂପୃକ୍ତ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ସମ୍ବଲପୁର ଜିଲ୍ଲାରେ ସବୁ କିଛି ପ୍ରଶାସନିକସ୍ତରରେ ସୀମିତ ରଖି କ୍ରୀଡ଼ାବିତ୍ମାନଙ୍କୁ ଅଣଦେଖା କରା ଯାଉଥିବା ଅଭିଯୋଗ ହୋଇଛି।
ସେହିପରି ସାରା ରାଜ୍ୟରେ ହକି ବିଶ୍ବ କପ୍ର ବ୍ୟାପକ ପ୍ରଚାରପ୍ରସାର ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେଥି ପାଇଁ ବିଭିନ୍ନ ଜିଲ୍ଲାରେ ଭିନ୍ନଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ସମ୍ବଲପୁର ଜିଲ୍ଲାେର ମହାନଗର ନିଗମ ପକ୍ଷରୁ ଆୟୋଜିତ ହକି, ଫୁଟବଲ୍, ଖୋଖୋ, କବାଡ଼ି ଆଦି ପ୍ରତିଯୋଗିତା ଦୋଷ ମେଣ୍ଟାଇବା ପାଇଁ ଅତ୍ୟନ୍ତ କାମଚଳା ଢଙ୍ଗରେ ଆୟୋଜିିତ ହୋଇଛି। ଏଥିରେ ସାମୂହିକ ସଂପୃକ୍ତି ଦେଖିବାକୁ ମିଳି ନାହିଁ। ଏ ସଂପର୍କରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ପଚାରିବାରୁ ସେ ବିଶ୍ବ କପ୍ ଟ୍ରଫିକୁ ସ୍ବାଗତ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରା ଯାଉଥିବା କହିଥିଲେ। ଏଥିରେ ସବୁ ଖେଳାଳି ଓ ଖେଳ ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ସାମିଲ କରିବାକୁ ପ୍ରୟାସ କରାଯାଉଛି। କେହି ରହି ଯାଇଥିଲେ ସୂଚନା ମିଳିଲେ ଆମେ ତାଙ୍କୁ ବି ନିମନ୍ତ୍ରଣ କରିବୁ ବୋଲି କହିଥିଲେ। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ହକି ବିଶ୍ବ କପ୍କୁ ସ୍ବାଗତ ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ୩ଟା ୩୦ରେ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ରଖାଯାଇଛି। ସମ୍ବଲପୁର ମହାନଗର ନିଗମ କମିସନର୍ ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସମସ୍ତ କ୍ରୀଡ଼ାବିତ୍, ସଂଗଠକ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସ୍ବେଚ୍ଛାସେବୀମାନେ ଭାଗ ନେବାକୁ ଅନୁରୋଧ କରାଯାଇଛି।