ସମ୍ବଲପୁର : ବରିଷ୍ଠ ନାଗରିକମାନଙ୍କୁ ଉଭୟ ଘର ଓ ବାହାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ନିର୍ଯ୍ୟାତନା ଭୋଗିବାକୁ ପଡ଼ୁଛି। ସେମାନଙ୍କୁ ସମ୍ମାନର ସହିତ ବଞ୍ଚିବାକୁ ଦିଆଯାଉ ବୋଲି ଆଜି ବରିଷ୍ଠ ନାଗରିକ ଅବମାନନା ସଚେତନତା ଦିବସ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

Advertisment

ଗୁରୁବାର ସନ୍ଧ୍ୟାରେ ସାକ୍ଷୀପଡ଼ା ସମ୍ବାଦ ଭବନରେ ହୀରାଖଣ୍ଡ ନାଗରିକ ପରିଷଦ ପକ୍ଷରୁ ଆୟୋଜିତ ବରିଷ୍ଠ ନାଗରିକ ଅବମାନନା ସଚେତନତା ଦିବସ କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ପ୍ରଫେସର କାମଦେବ ସାହୁ କହିଲେ, ବର୍ତ୍ତମାନ ୪୦ ବର୍ଷ ବୟସ ପରେ ଜଣେ ବ୍ୟକ୍ତି ବିଭିନ୍ନ କାରଣରୁ ପ୍ରାୟତଃ ଅନ୍ୟ ଉପରେ ନିର୍ଭର କରିବା ଆରମ୍ଭ କରୁଥିବା ତଥ୍ୟ କହୁଛି। ଏବେ ସ୍ଥିତି ଏମିତି ହୋଇଛି ଯେ ପରିବାର ବି ଭିତ‌ରେ ବରିଷ୍ଠ ନାଗରିକ ଓ ପିଲାମାନେ ଅଲଗା ଅଲଗା ଦିନୁଆରେ ବଞ୍ଚୁଛନ୍ତି। ଏକଲାପଣିଆ ହେଉଛି ବରିଷ୍ଠ ନାଗରିକମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା। ବରିଷ୍ଠ ନାଗରିକମାନଙ୍କୁ ସବୁକ୍ଷେତ୍ରରେ ଅବହେଳା କରାଯାଉଛି। ସହର ହେଉକି ଗାଁ, ସବୁଠି ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ବତନ୍ତ୍ର ଉଦ୍ୟାନ ତଥା ଭାବ ବିନିମୟ ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ କରାଗଲେ ସେମାନଙ୍କ ଏକଲାପଣିଆ ଦୂର ହୋଇପାରନ୍ତା। ଡାକ୍ତରଖାନାରେ ଶିଶୁ ବିଭାଗ ଭଳି ବରିଷ୍ଠ ନାଗରିକମାନଙ୍କ ସ୍ବତନ୍ତ୍ର ୱାର୍ଡ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି।

ଯୁବକରୁ ବୃଦ୍ଧ ହେବା ପର୍ଯ୍ୟନ୍ତ ଜୀବନରେ ଯାହା କିଛି ସମାଜ ପାଇଁ ଦେଇଥାନ୍ତି, ତାହା ପରିଶୋଧ କରିବା ନିମନ୍ତେ କେତେକ ଦେଶରେ ସ୍ବତନ୍ତ୍ର ବ୍ୟବସ୍ଥା କରାଗଲାଣି। ଆମ ଦେଶରେ ବି ସେଭଳି ବ୍ୟବସ୍ଥା ଦରକାର ହେଉଛି। ବୟସ ବଢ଼ିଗଲା ପରେ କେତେକ କ୍ଷେତ୍ରରେ କଥାରେ ଟିକିଏ ଏପଟସେପଟେ ବି ହୋଇଯାଇଥାଏ। ପୁଅଝିଅମାନେ ତାହା ବୁଝିବା ଉଚିତ। ସ୍ବାସ୍ଥ୍ୟମେଳା, ନିଯୁକ୍ତି ମେଳା ଭଳି ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ନିମନ୍ତେ ବରିଷ୍ଠ ନାଗରିକ ମେଳା ଆୟୋଜନ କରାଗଲେ ସେମାନେ ବିଶେଷ ଉପକୃତ ହୋଇପାରନ୍ତେ ବୋଲି ପ୍ରଫେସର ସାହୁ କହିଥିଲେ।

publive-image

ହୀରାଖଣ୍ଡ ନାଗରିକ ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟତମ ସମ୍ମାନିତ ବକ୍ତା ବରିଷ୍ଠ ସାମ୍ବାଦିକ ଶିବଶଙ୍କର ନନ୍ଦ କହିଲେ, ଦେଶର ସରକାରୀ କାର୍ଯ୍ୟାଳୟଗୁଡ଼ିକ‌ରେ ଏବେ ଯେମିତି ଅବସ୍ଥା ରହିଛି, ସରକାରଙ୍କ ବି ଠିକ୍ ସେମିତି ଅବସ୍ଥାରେ ପରିଚାଳିତ ହେଉଛି। ସମାଜରେ ଏବେ ଦିଗଦର୍ଶନ ଦେବା ଲୋକଙ୍କ ଅଭାବ ପରିଲକ୍ଷିତ ହେଉଛି। ପ୍ରତ୍ୟେକ ମଣିଷର ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି। ଯିଏ କୌଣସି କ୍ଷମତାରେ ରହୁଛି, ସେ ବ୍ୟବସ୍ଥା ପରିବର୍ତ୍ତନ ନିମନ୍ତେ ପ୍ରୟାସ କରିବାର ଆବଶ୍ୟକତା ରହିଛି। କିନ୍ତୁ, ବାସ୍ତବ କ୍ଷେତ୍ରରେ ସେଭଳି ହେଉ ନାହିଁ। ବରିଷ୍ଠ ନାଗରିକଙ୍କ ପ୍ରତି ସମବେଦନା ଓ ସହଭାଗିତାର ଅଭାବ ପରିଲକ୍ଷିତ ହୋଇଛି। ବରିଷ୍ଠ ନାଗରିକମାନଙ୍କ ସ୍ବାସ୍ଥ୍ୟ, ଆର୍ଥିକ ଓ ସୁରକ୍ଷା ନିମନ୍ତେ ଆଇନ ପ୍ରଣୟନ ସହିତ ଏହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଛି। ଜାତୀୟ ମାନବ ଅଧିକାର ଆୟୋଗ ଭଳି ବରିଷ୍ଠ ନାଗରିକ ଆୟୋଗ ଗଠନ ଏବଂ ଏହାର ଢାଞ୍ଚା ତଳସ୍ତର ପର୍ଯ୍ୟନ୍ତ ରହିବା ଉପରେ ଶ୍ରୀ ନନ୍ଦ ଗୁରୁ୍ତ୍ବାରୋପ କରିଥିଲେ। ଅପରପକ୍ଷରେ ବରିଷ୍ଠ ନାଗରିକମାନେ ନିଜକୁ ବୟସ୍କ ହୋଇଯାଇଛନ୍ତି ବୋଲି କଦାପି ନଭାବି ଖୁସିର ସହିତ ରହିବାକୁ ଶ୍ରୀ ନନ୍ଦ ମତବ୍ୟକ୍ତ କରିଥି‌ଲେ।

ସମ୍ମାନିତ ଅତିଥି ‘ସମ୍ବାଦ’ର ସମ୍ବଲପୁର ସଂସ୍କରଣ ଉପମହାପ୍ରବନ୍ଧକ ସୁବ୍ରତ ନାୟକ ଘର ଏବଂ ବାହାରେ ହେଉଥିବା ଅବମାନନା ତଥା ନିର୍ଯାତନାର ଶିକାର ହେବାରୁ ଦୂରେଇ ରହିବା ପାଇଁ ନିଜେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ‌ଅନେକ ସମୟରେ ନିଜ ପିଲାମାନଙ୍କ ପସନ୍ଦ ଆମକୁ ଭଲ ଲାଗିନପାରେ। ତଥାପି, ସେମାନଙ୍କ ମାନସିକତା ସହିତ ଖାପଖୁଆଇ ଚଳିଲେ ବରିଷ୍ଠ ନାଗରିକମାନଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ। ହୀରାଖଣ୍ଡ ନାଗରିକ ପରିଷଦ ସଭାରେ ଶ୍ରୀ ହୋତା ବରିଷ୍ଠ ନାଗରିକ ଅବମାନନା ସଚେତନତା ଦିବସ ପାଳନର ଆବଶ୍ୟକତା ଉପରେ ଗୁରୁ୍ତ୍ବାରୋପ କରିଥିବା ସଂପାଦକ ନିର୍ମଳ କୁମାର ମାଇତି ପ୍ରାରମ୍ଭିକ ସୂଚନା ଦେଇଥିଲେ। ‘ସମ୍ବାଦ’ର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ସ୍ବାଗତ ଭାଷଣ ଦେଇଥିବା ବେଳେ ପରିଷଦର ଯୁଗ୍ମ ସଂପାଦକ ଧନେଶ୍ବର ମେହେର ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ ଏବଂ ଉପସଭାପତି ନନ୍ଦକିଶୋର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।