ବରଗଡ଼: ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆୟୋଜନ ପାଇଁ ବୁଧବାର ପ୍ରଥମ ପ୍ରସ୍ତୁତି ବୈଠକ ବସିଛି। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଛି। ବୈଠକରେ ଧନୁଯାତ୍ରା ପାଇଁ କଳାକାର ଚୟନ ପାଇଁ ପ୍ରସ୍ତାବ ପଡ଼ିଛି। ଏହିକ୍ରମରେ ଉଭୟ ମଥୁରା ଏବଂ ଗୋପପୁର (କଂସ ସମେତ) ସବୁ କଳାକାର ନୂତନ ଭାବେ ଚୟନ କରିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଛି। ଆଗାମୀ ବୈଠକଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ସ୍ଥିର ହୋଇଛି। ଅନ୍ୟପକ୍ଷରେ ବୈଠକରେ ବିଧାୟକ ଦେବେଶ ଆଚାର୍ଯ୍ୟ ଗାନ୍ଧୀଛକଠାରେ ଧନୁଯାତ୍ରାର ମାନବର୍ଦ୍ଧନ କରିବା ସକାଶେ ଏକ ଭବ୍ୟ ତୋରଣ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ। ଯାହାକୁ ବୈଠକରେ ସମର୍ଥନ ଦିଆଯାଇଛି। ତେବେ ଧନୁଯାତ୍ରାର ମାନବୃଦ୍ଧି ସକାଶେ ଗଠନମୂଳକ ପଦକ୍ଷେପ ନେବାକୁ ଗୁରୁତ୍ବ ଦିଆଯାଇଛି।
କଳାକାରଙ୍କ ପୋଷାକ, ଉଚ୍ଚକୋଟୀର ସଂଳାପ, ଯାତ୍ରାବେଳେ ଉନ୍ନତ ମାଇକ୍/ସାଉଣ୍ଡ ସିଷ୍ଟମ୍, କଳାକାରଙ୍କ ସୁବିଧାକୁ ଆହୁରି ବ୍ୟବସ୍ଥିତ କରିବାକୁ ଗୁରୁତ୍ବାରୋପ କରାଯାଇଛି। କଳାକାରଙ୍କ ଅଭ୍ୟାସ ପାଇଁ ଉଚ୍ଚକୋଟୀର ନିର୍ଦ୍ଦେଶନା ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। ଆଲୋଚନାରେ ଭାଗ ନେଇ ବିଧାୟିକା ସ୍ନେହାଂଗିନୀ ଛୁରିଆ ଉଭୟ ଜାତୀୟ ଏବଂ ରାଜ୍ୟସ୍ତରୀୟ କଳାକାର, ମଂଚଅଭିନେତା କିମ୍ବା ସିନେ କଳାକାରଙ୍କୁ ଧନୁଯାତ୍ରାକୁ ନିମନ୍ତ୍ରଣ କରିବାକୁ ପ୍ରସ୍ତାବ ଦେଇଥିଲେ। ବୈଠକରେ ମିନାବଜାର ସମେତ ଅନ୍ୟ ବଜାର ପାଇଁ ଜମି ଆବଣ୍ଟନକୁ ବ୍ୟବସ୍ଥିତ ଏବଂ ଦଲାଲମୁକ୍ତ କରିବାକୁ ଗୁରୁତ୍ବ ଦେବାକୁ ଦାବି ହୋଇଛି। ବାହାର ରାଜ୍ୟର ଆସୁଥିବା ବେପାରୀମାନେ ଏହା ଦ୍ବାରା ଶୋଷଣର ଶିକାର ହେଉଛନ୍ତି। ଏଥିସକାଶେ ଜମି ଆବଣ୍ଟନ ପ୍ରକ୍ରିୟାକୁ ଜାତୀୟସ୍ତରର ଅନ୍ଲାଇନ୍ ଟେଣ୍ଡର ବ୍ୟବସ୍ଥା କରିବାକୁ ଦାବି ହେଉଛି।
ବୈଠକରେ ଗୋପପୁର କମିଟିର କର୍ମକର୍ତାମାନେ ରୋଷ ଜାହିର କରିଛନ୍ତି। ଗୋପପୁରରେ ମଂଚଗୁଡ଼ିକର ଉଚ୍ଚତା ବୃଦ୍ଧି ସହ କଳାକାର ଚୟନରେ ସ୍ବଚ୍ଛତା ଆଣିବାକୁ ଦାବି ହୋଇଛି। ସେହିପରି ଗୋପପୁରରେ ସ୍ଥାୟୀ ପଡ଼ିଆ ବ୍ୟବସ୍ଥା ଏବଂ କଳୀୟ ଦଳନ ପାଇଁ ସରକାରୀ ଜଳାଶୟ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ବୈଠକରେ ମନ୍ତ୍ରୀ ରୀତା ସାହୁ, ଏସ୍ପି ସ୍ମିଥ ପି. ପାରମାର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଏଡିଏମ୍ ମିର୍ଦ୍ଧା ଟପ୍ପୋ, ପିଡିଡିଆର୍ଡିଏ କୃତ୍ତିବାସ ରାଉତ, ମହୋତ୍ସବ ସମିତିର ଆବାହକ ସୁରେଶ୍ବର ଶତପଥୀଙ୍କ ସମେତ ମଥୁରା ଓ ଗୋପପୁର କମିଟିର କର୍ମକର୍ତା, ବିଭିନ୍ନ ଉପକମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୨୬ ତାରିଖରୁ ଧନୁଯାତ୍ରା ଆରମ୍ଭ ତିଥି ରହିଛି।