ବରଗଡ଼: ଆସନ୍ତାକାଲିଠାରୁ ୧୧ ଦିନ ଧରି ଚାଲିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ ପାଲଟିବ ମଥୁରାନଗରୀ। ଚାଲିବ କଂସରାଜ। କଂସଙ୍କ ଅଟ୍ଟହାସ୍ୟ ଓ ଆଦେଶରେ ଥରହର ହେବ ମଥୁରାନଗରୀ। ପ୍ରସ୍ତୁତ ହୋଇଗଲାଣି ରାଜଦରବାର। ମହାରାଜ କଂସଙ୍କ ପାଇଁ ରାଜମୁକୁଟ ବି ପ୍ରସ୍ତୁତ ହୋଇସାରିଛି। ଏଥିସହ ମହାରାଜାଙ୍କ ହସ୍ତୀ ଓ ମହାମନ୍ତ୍ରୀଙ୍କ ସହ ଅନ୍ୟ ପାରିଷଦଙ୍କ ପାଇଁ ଓଟ, ଘୋଡ଼ାଗାଡ଼ି ଆଦି ସବୁ ସେବାରେ ଲାଗିବାକୁ ପ୍ରସ୍ତୁତ ହୋଇଯାଇଛି। ଜାନୁଆରି ୩ରୁ ୧୩ ତାରିଖ ଯାଏଁ ବରଗଡ଼ ପାଲଟିଯିବ ମଥୁରାନଗରୀ ଏବଂ ଅମ୍ବାପାଲି ହୋଇଯିବ ଗୋପପୁର। ସମସ୍ତେ ଫେରିଯିବେ ସେହି ଦ୍ୱାପର ଯୁଗକୁ। ୮ କିମି ପରିଧି ମଧ୍ୟରେ ୩ଟି ଦରବାର (ରାଜଦରବାର, ରଙ୍ଗମହଲ, ନନ୍ଦରାଜାଙ୍କ ଦରବାର) ଓ ୧୮ଟି ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅଭିନୀତ ହେବ। ବହୁଦିନ ଧରି ଯାତ୍ରା ପାଇଁ ଚାଲିଥିବା ମଞ୍ଚ, ତୋରଣ ସହ କଳାକାରମାନଙ୍କ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏଥର ଯାତ୍ରାକୁ ଖୁବ ଆକର୍ଷଣୀୟ କରାଯିବାକୁ ନିଷ୍ପତ୍ତି ହୋଇଛି।
ଆଜି ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଏସ୍ପି ପ୍ରହଲ୍ଲାଦ ସାହାଇ ମୀନା, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ମଞ୍ଚଗୁଡ଼ିକର କାମ କିଭଳି ହୋଇଛି ତାହାର କ୍ଷେତ୍ର ପରିଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ ଜାଗାରେ ପୁଲିସ ଫୋର୍ସ ମୁତୟନ ରହିବେ। ଏହାସହ ସାରା ସହର ସିସିଟିଭି ନଜରରେ ରହିବ ବୋଲି ଏସ୍ପି ଶ୍ରୀ ମୀନା ସୂଚନା ଦେଇଛନ୍ତି। ଉଦ୍ଘାଟନୀ ଦିବସରେ ଅପରାହ୍ଣ ୨ଟାରେ ଗାନ୍ଧୀଛକରୁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ସୂଚନା ଦେଇଛନ୍ତି। ଉଦ୍ଘାଟନୀ ଦିବସରେ ଅତିଥି ରୂପେ ସ୍ଥାନୀୟ ସାଂସଦ ଓ ବିଧାୟକଗଣ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ସଂଧ୍ୟା ୭ଟାରେ ହାଟପଦା ରାଜଦରବାରରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। ରାମଜୀମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜ କଂସଙ୍କ ସିଂହାସନ ଆରୋହଣ ସହ ଆରମ୍ଭ ହେବ ୧୧ ଦିନିଆ କଂସ ରାଜୁତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/03/kQmf9s6jomqV3hVUb6K4.jpg)