ମଥୁରାନଗରୀ: ବିଶ୍ୱର ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ବୁଧବାର ଉଦ୍‌ଘାଟିତ ହୋଇଛି ୭୮ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ। ମଥୁରାନଗରୀରେ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଛି। ତ୍ରିପୁରାବିଜୟୀ ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ମଥୁରାନଗରୀ ହୋଇଛି ଥରହର। କଳାକାରମାନେ ପୌରାଣିକ କଥାବସ୍ତୁର ପ୍ରତ୍ୟେକ ଚରିତ୍ରକୁ ଜୀବନ୍ତ ଭାବେ ଅଭିନୟ କରି ପୁଣି ଲୋକଙ୍କୁ ସେହି ଦ୍ୱାପର ଯୁଗକୁ ଫେରାଇ ନେଇଛନ୍ତି। ବୁଧବାର ସନ୍ଧ୍ୟାରେ ସାଂସ୍କୃତିକ ଶୋଭାଯାତ୍ରାରେ ମହାରାଜ ଉଗ୍ରସେନ, ମନ୍ତ୍ରୀ ପାରିଷଦବର୍ଗ ହାଟପଦା ପଡ଼ିଆରେ ହୋଇଥିବା ରାଜ ଦରବାରରେ ପହଞ୍ଚିଥିଲେ। ଏହା ପରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଉଦ୍‌ଘାଟିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ସଂପାଦକ ସୁରେଶ୍ୱର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅତାବିରା ବିଧାୟକ ନିହାରରଞ୍ଜନ ମହାନନ୍ଦ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୌରାଧ୍ୟକ୍ଷା କଳ୍ପନା ମାଝୀ, ସମିତିର କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା ଯୋଗ ଦେଇଥିଲେ।

Advertisment

Government Scheme: ସରକାରୀ ଯୋଜନାର ପ୍ରଚାରପ୍ରସାରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ରାଜଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ ଧନ୍ୟବାଦ ଦେଇଥିଲେ। ପରେ ଆରମ୍ଭ ହୋଇଥିଲା ଧନୁଯାତ୍ରାର ନାଟ୍ୟାଭିନୟ। ଏହିକ୍ରମରେ ମଥୁରାନଗରୀ ଭୋଜବଂଶ ସମ୍ରାଟ ମହାରାଜ ଉଗ୍ରସେନ, ପାଟରାଣୀ, ମହାମନ୍ତ୍ରୀ ଅକ୍ରୁର, ସେନାପତିମାନଙ୍କ ସହ ରାଜଦରବାରରେ ପଦାର୍ପଣ କରିଥିଲେ। ମହାରାଜ ଉଗ୍ରସେନ ମହାମନ୍ତ୍ରୀ ଅକ୍ରୁର ଓ ମନ୍ତ୍ରୀ ଶକ୍ରାଜିତ ମଥୁରା ରାଜ୍ୟର କୁଶଳ ମଙ୍ଗଳ ସଂପର୍କରେ ପଚାରି ବୁଝିଥିଲେ। ଅକ୍ରୁର ଓ ଶକ୍ରାଜିତ ମଥୁରାନଗରୀ ପରିସ୍ଥିତି ସଂପର୍କରେ ବଖାଣି ସାଂପ୍ରତିକ ସାମାଜିକ ସ୍ଥିତିର ବର୍ଣ୍ଣନା କରିଥିଲେ। ଏହାପରେ ମହାରାଜ ଉଗ୍ରସେନ ଅଲିଅଳ କନ୍ୟା ଦେବକୀର ବିବାହ ପାଇଁ ଚିନ୍ତିତ ଥିବା ଅକ୍ରୁରଙ୍କୁ ଜଣାଇଥିଲେ। ଅକ୍ରୁରଙ୍କ ପରାମର୍ଶକ୍ରମେ ଝିଅର ବିବାହ ପାଇଁ ବସୁଦେବଙ୍କୁ ଚୟନ କରିଥିଲେ। ରାଜକୀୟ ଶୈଳୀରେ ବିବାହ ସଂପନ୍ନ ହୋଇଥିଲା। ବିବାହରେ ଅନୁପସ୍ଥିତ କଂସ ଫେରି ରାଗିଥିଲେ। ବସୁଦେବଙ୍କ ସହ ବିବାହ କଥା ଶୁଣିବା ପରେ ଖୁସି ହୋଇଥିଲେ।ପରେ ନବବଧୂ ଦେବକୀ-ବସୁଦେବଙ୍କୁ ଛାଡ଼ିଯିବାକୁ ବାହାରିଥିଲେ। ହେଲେ ଯାଉଥିବା ସମୟରେ ଦୈବୀବାଣୀ ହୋଇଥିଲା ଯେ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ ତାଙ୍କ ମୃତ୍ୟୁର କାରଣ ହେବ। ବ୍ୟସ୍ତବିବ୍ରତ ହୋଇ ଉଠିଥିଲେ ଯୁବରାଜ କଂସ। ଅବିଳମ୍ବେ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ମଥୁରା ସିଂହାସନ ଆରୋହଣ କରିଥିଲେ। କାରାଗାରରେ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରିଥିଲେ। ନିଜକୁ ମଥୁରାନଗରୀର ସମ୍ରାଟ ଭାବେ ଘୋଷଣା କରିବା ପରେ ନୃତ୍ୟଗୀତର ଆସର ଭିତରେ ମହରାଜ କଂସଙ୍କ ରାଜ୍ୟାଭିଷେକ ସଂପନ୍ନ ହୋଇଛି। ହେଲେ କର୍ଣ୍ଣରେ ବାରମ୍ବାର ପ୍ରତିଧ୍ବନିତ ହେଉଛି ସେହି ଦୈବୀବାଣୀ।

Humane Sagar Death Case: ହ୍ୟୁମାନ ମୃତ୍ୟୁ ମାମଲାରେ ବଡ଼ ଖବର: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୋମେଶ ଶତପଥୀ