ମଥୁରା ନଗରୀ: ବିଶ୍ୱର ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ଶୁକ୍ରବାର ଉଦ୍‌ଘାଟିତ ହୋଇଛି ୭୭ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ମଥୁରାନଗରୀରେ ଆରମ୍ଭ ହୋଇଛି ମହାରାଜ କଂସଙ୍କ ରାଜୁତି। ତ୍ରିପୁର ବିଜୟୀ ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ମଥୁରାନଗରୀ ହୋଇଛି ଥରହର। କଳାକାରମାନେ ପୌରାଣିକ କଥାବସ୍ତୁର ପ୍ରତ୍ୟେକ ଚରିତ୍ରକୁ ଜୀବନ୍ତ ଅଭିନୟ କରି ପୁଣି ଲୋକଙ୍କୁ ଫେରାଇ ନେଇଛନ୍ତି ସେହି ଦ୍ୱାପର ଯୁଗକୁ। 

Advertisment

ଆଜି ଅପରାହ୍‌ଣରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ସମଲେଶ୍ୱରୀ ମନ୍ଦିରକୁ ପହଞ୍ଚିଥିଲା। ସେଠାରେ ଅପେକ୍ଷାରତ ମହାରାଜ ଉଗ୍ରସେନ, ମନ୍ତ୍ରୀ ପାରିଷଦ ବର୍ଗ ସମେତ ଅତିଥିମାନଙ୍କୁ ନେଇ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଶୋଭାଯାତ୍ରା ହାଟପଦା ପଡ଼ିଆ ରାଜ ଦରବାରକୁ ପହଞ୍ଚିବା ପରେ ଉଦ୍‌ଘାଟିତ ହୋଇଥିଲା ଧନୁଯାତ୍ରା ମହୋତ୍ସବ। ସମିତିର ସଂପାଦକ ସୁରେଶ୍ୱର ଶତପଥୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନୀହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତ୍ୟା, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ ଯୋଗ ଦେଇଥିଲେ। ସାଂସଦ ଶ୍ରୀ ପୁରୋହିତ ତାଙ୍କ ବକ୍ତବ୍ୟରେ କହିଥିଲେ, ଆମ ପରମ୍ପରା ଓ ସଂସ୍କୃତିକୁ ଆଗକୁ ନେବାକୁ ବର୍ତ୍ତମାନର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଧନୁଯାତ୍ରାକୁ ଏଥର ୧ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବା ସହ ଯାତ୍ରାକୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଗଣ ଆସିବେ ବୋଲି ସେ କହିଥିଲେ।  ସେହିପରି ବିଧାୟକ ଶ୍ରୀ ଷଡ଼ଙ୍ଗୀ ଏ ଯାତ୍ରା ବରଗଡ଼ର ଅସ୍ମିତାର ଯାତ୍ରା, କୃଷକ ଓ ବୁଣାକାରଙ୍କ ଯାତ୍ରା। ଯାତ୍ରାକୁ ମାନ୍ୟତା ଦେବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ଓ ସ୍ଥାୟୀ ଗେଟ୍‌ ନିର୍ମାଣ ହୋଇଛି। ଆଗକୁ ସ୍ଥାୟୀ ରାଜ ଦରବାର କରିବାକୁ ଯୋଜନା ଥିବା କହିଥିଲେ। ବିଧାୟକ ଶ୍ରୀ ମହାନନ୍ଦ ଧାନରେ ସରକାର ୮୦୦ ଟଙ୍କା ବୋନସ୍‌ ଦେଇଛନ୍ତି ଓ ଧନୁଯାତ୍ରାରେ ମଧ୍ୟ ସହାୟତା କରିଛନ୍ତି। କଳାକାରଙ୍କଠାରୁ ନେଇ ସମସ୍ତଙ୍କ ପାଇଁ ଏ ସରକାର ଏଥର ପଦକ୍ଷେପ ନେଇଥିବା କହିଥିଲେ। ବିଧାୟକ ଶ୍ରୀ ଗଡ଼ତ୍ୟା ସରକାର ପରିବର୍ତ୍ତନ ହେବାପରେ ଏଥର ଯାତ୍ରାରେ ଅନେକ ପରିବର୍ତ୍ତନ ହୋଇଛି ବୋଲି କହିଥିଲେ। ମହୋତ୍ସବ ସମିତି ସଭାପତି ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସ୍ୱାଗତ ଭାଷଣ ଦେବା ସହ ଏହା ଏକତାର ଯାତ୍ରା ବୋଲି କହିଥିଲେ।

ଏସ୍‌ପି ପ୍ରହଲ୍ଲାଦ ସାହାଇ ମୀନା ଏହି ଅଞ୍ଚଳର ପରମ୍ପରା ମହାନ୍‌ ବୋଲି ମତ ରଖିଥିଲେ। ରାଜ ଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ ଧନ୍ୟବାଦ ଦେଇଥିଲେ। ପରେ ଆରମ୍ଭ ହୋଇଥିଲା ଧନୁଯାତ୍ରାର ନାଟ୍ୟାଭିନୟ। ମଥୁରାନଗରୀରେ ଭୋଜବଂଶ ସମ୍ରାଟ ମହାରାଜ ଉଗ୍ରସେନ, ପାଟରାଣୀ, ମହାମନ୍ତ୍ରୀ ଅକ୍ରୂର ଓ ସେନାପତିମାନଙ୍କ ସହ ରାଜ ଦରବାରରେ ପଦାର୍ପଣ କରିଥିଲେ। ମହାରାଜ ଉଗ୍ରସେନ ମଥୁରା ରାଜ୍ୟର କୁଶଳ ମଙ୍ଗଳ ସଂପର୍କରେ ପଚାରିବାରେ ମହାମନ୍ତ୍ରୀ ଅକ୍ରୂର ଓ ମନ୍ତ୍ରୀ ଶକ୍ରାଜିତ ପରିସ୍ଥିତି ବାବଦରେ ସୂଚନା ପ୍ରଦାନ କରିଥିଲେ। ପରେ ମହାରାଜ ଉଗ୍ରସେନ ତାଙ୍କ ଅଲିଅଳ କନ୍ୟା ଦେବକୀଙ୍କ ବିବାହ ପାଇଁ ଚିନ୍ତିତ ରହିଥିବା ମହାମନ୍ତ୍ରୀ ଅକ୍ରୂରଙ୍କୁ ଜଣାଇଥିଲେ। ଅକ୍ରୂରଙ୍କ ପରାମର୍ଶକ୍ରମେ ଝିଅର ବିବାହ ପାଇଁ ବସୁଦେବଙ୍କୁ ଚୟନ କରି ରାଜ ପୁରୋହିତଙ୍କୁ ଡକାଇ ବିବାହ ଲଗ୍ନ ଧାର୍ଯ୍ୟ କରାଯାଇଥିଲା। ରାଜକୀୟ ଶୈଳୀରେ ବିବାହ ସଂପନ୍ନ ହୋଇଥିଲା। ମାତ୍ର ଯୁବରାଜ କଂସ ପହଞ୍ଚି ବିବାହ କଥା ଶୁଣି ରାଗି ଯାଇଥିଲେ। ପରେ ବସୁଦେବଙ୍କ ସହ ବିବାହ ହୋଇଥିବା ଶୁଣି ଖୁସି ହବା ସହ ନବଦମ୍ପତିଙ୍କୁ ବିଦାୟ କରିବାକୁ ସେ ବାହାରିଥିଲେ। କିନ୍ତୁ ଯିବା ବାଟରେ ଦୈବବାଣୀ ହୋଇଥିଲା ଯେ କଂସଙ୍କ ମୃତ୍ୟୁର କାରଣ ହେବ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ। ଏହା ଶୁଣି ବ୍ୟସ୍ତ ବିବ୍ରତ ହୋଇ ଉଠିଥିଲେ କଂସ। ରାଜବାଟୀକୁ ଫେରିଯାଇ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ତାଙ୍କ ମୁକୁଟ ଛଡ଼ାଇ ନେଇ ମଥୁରା ସିଂହାସନ ଆରୋହଣ କରି ନିଜକୁ ସମ୍ରାଟ ଘୋଷଣା କରିଥିଲେ। ଏହାପରେ ଦେବକୀ ଓ ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିଥିଲେ। ନୃତ୍ୟଗୀତର ଆସର ଭିତରେ କଂସଙ୍କ ରାଜ୍ୟାଭିଷେକ ସଂପନ୍ନ ହୋଇଛି। ତେବେ, ନିଷ୍କଣ୍ଟକ ହୋଇ ମଧ୍ୟ ମହାରାଜ ଚିନ୍ତାମୁକ୍ତ ହୋଇ ପାରୁନାହାନ୍ତି। କର୍ଣ୍ଣରେ ବାରମ୍ବାର ପ୍ରତିଧ୍ବନିତ ହେଉଛି ସେହି ଦୈବବାଣୀ।