ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ; ଆସନ୍ତାକାଲି ରଥଯାତ୍ରା, ଜାଣନ୍ତୁ ବିସ୍ତୃତ କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ-୧୯ କଟକଣା ମଧ୍ୟରେ ଚଳିତ ବର୍ଷ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ହେଉଛି । ରାତି ପାହିଲେ ଶ୍ରୀଜଉମାନଙ୍କର ବାର୍ଷିକ ‘ରଥଯାତ୍ରା’ର ଆୟୋଜନ ହେବ । ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଆଜି ସିଂହଦ୍ୱାର ସମ୍ମୁଖକୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ କାଳିଆ ଠାକୁରଙ୍କ ନନ୍ଦିଘୋଷକୁ ଅଣାଯାଇଛି । ସେବାୟତମାନେ ତିନି ରଥକୁ ଦକ୍ଷିଣ ମୋଡ଼ କରି ରଥଖଳାରୁ ସିଂହଦ୍ୱାର ଚକଡ଼ା ନିକଟକୁ ଟାଣି ଟାଣି ଆଣିଛନ୍ତି ।

ଶ୍ରୀକ୍ଷେତ୍ରରେ ରଥଯାତ୍ରା ପୂର୍ବରୁ ରବିବାର ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ଅନୁଷ୍ଠିତ ହୋଇଥିଲା । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହୋଇଛି । ଏହା ପରେ ତିନି ରଥକୁ ସେବାୟତମାନେ ଟାଣି ଟାଣି ସିଂହ ଦ୍ୱାର ସମ୍ମୁଖକୁ ନେଇଥିଲେ । ଏବେ ଅପେକ୍ଷା ସକାଳ (ଜୁଲାଇ ୧୨ ସୋମବାର)କୁ କରିବାକୁ ପଡ଼ିବ ।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ରଥଯାତ୍ରା ପାଇଁ ଜୁଲାଇ ୧୨ ତାରିଖ ସୋମବାର ଭୋର ୪ଟା ୩୦ରୁ ମଙ୍ଗଳ ଆଳତି, ୫ଟାରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ କାର୍ଯ୍ୟ ଅନୁଷ୍ଠିତ ହେବ । ଏହା ପରେ ସାଢ଼େ ୫ଟାରେ ଅବକାଶ, ୫ଟା ୪୦ରେ ସୂର୍ଯ୍ୟ ପୂଜା, ୬ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ । ସେହିପରି ସକାଳ ୬ଟା ୩୦ରୁ ୭ଟା ୩୦ଟା ୩୦ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ହେବ । ରଥ ପ୍ରତିଷ୍ଠା ନୀତି ସକାଳ ୮ଟାରେ ହେବାକୁ ଥବା ବେଳେ ୮ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢ଼େ ୮ଟାରେ ପହଣ୍ଡି ଆରମ୍ଭ ହୋଇ ଏହା ପୂର୍ବାହ୍ନ ୧୧ଟା ୩୦ ମଧ୍ୟରେ ଶେଷ ହେବ ।

ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ୩୦ ପର୍ଯ୍ୟନ୍ତ ମଦନ ମୋହନ ବିଜେ, ୧୨ଟା ୩୦ରେ ବେଶ ଶେଷ, ୧୨ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚିତା ଲାଗି, ୧୨ଟା ୪୫ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଛେରାପହଁରା, ୨ଟାରୁ ୩ଟା ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ନୀତି ହେବ । ଅପରାହ୍ନ ୩ଟାରୁ ରଥ ଟଣାଯିବ ।

ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ରଥଯାତ୍ରାର ଆୟୋଜନ ହେଉଥିବାରୁ କେବଳ ସୀମିତ ସେବାୟତଙ୍କ ଦ୍ୱାରା ରଥଯାତ୍ରା ହେଉଛି । ତେଣୁ ସାଧାରଣଭକ୍ତଙ୍କୁ ପୁରୀ ମନା ହୋଇଛି । ଜଗନ୍ନାଥ ଭକ୍ତଙ୍କୁ ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ପଡ଼ିବ । ରଥଯାତ୍ରା ପାଇଁ ପୁରୀ ସହରରେ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସହରକୁ ୧୨ଟି ଜୋନ କରାଯିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଚଳିତ ବର୍ଷ କରୋନା ଯୋଗୁଁ ଭକ୍ତଙ୍କୁ ପୁରୀ ମନା ହୋଇଥିବା ବେଳେ ସେବାୟତମାନେ ରଥ ଟାଣିବେ । ଘୋଷଯାତ୍ରା ପାଇଁ ପୁରୀରେ ଆଜି ରାତି ୮ଟାରୁ ଦୁଇ ଦିନିଆ କର୍ଫ୍ୟୁ ଲାଗୁ ହେବ । ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଂଟା କର୍ଫ୍ୟୁ କଟକଣା ବଳବତ୍ତର ରହିବ ।

ସମ୍ବନ୍ଧିତ ଖବର