ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା ଆଜିଠାରୁ

0

ଯୋରନ୍ଦା : ମହିମା ଧର୍ମର ପୂଣ୍ୟପୀଠ ଯୋରନ୍ଦା ମହିମାଗାଦିରେ ଆସନ୍ତାକାଲିଠାରୁ ମାଘ ମେଳା ଆରମ୍ଭ ହେବ। ଏଥି ପାଇଁ ଜିଲ୍ଲା ପ୍ରଶାସନ ଓ ସାଧୁ ସମାଜ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ସନ୍ଧ୍ୟା ୫ଟା ୧୫ ମିନିଟ୍‌ରେ ଝାଡ଼ ଜଳିବ। ୩୧ ତାରିଖରେ ଚନ୍ଦ୍ରଗ୍ରହଣ ପଡୁଥିଲେ ବି ମହିମା ଧର୍ମନୀତି ଅନୁସାରେ ଝାଡ଼ବତୀ ଜଳିବାରେ କୌଣସି ବାଧା ନାହିଁ ବୋଲି ବରିଷ୍ଠ ମହିମା ସନ୍ନ୍ୟାସୀ ନିତ୍ୟାନନ୍ଦ ବାବା ଓ ଅବିନାଶୀ ବାବା କହିଛନ୍ତି। ଭକ୍ତମାନଙ୍କ ଅନୁରୋଧ କ୍ରମେ ତୃତୀୟ ଦିନରେ ମଧ୍ୟ ଝାଡ଼ ଜଳିବା ପାଇଁ ବ୍ୟବସ୍ଥା ହୋଇଛି। ଗାଦି ମନ୍ଦିରର ପଶ୍ଚିମ ମୁଖଶାଳାରେ ଅନାଦି ବାବା, ଡମ୍ବରୁ ବାବା, ନାରଣ ବାବା, ଶୁକଦେବ ବାବା, ସଦାନନ୍ଦ ବାବା, ପ୍ରଭାସ ବାବା, ବ୍ରହ୍ମଚାରୀ ବାବା, ପୂର୍ବ ମୁଖଶାଳାରେ ଅଭୟ ବାବା, ଜଟାଧାରୀ ବାବା, ବାବୁଲି ବାବା, ଶଙ୍କର ବାବା, ଅରୂପ ବାବା ଏବଂ ରବିବାବା, ଦକ୍ଷିଣ ଦ୍ୱାରରେ ନଟବର ବାବା, ସ୍ୱାଧୀନ ବାବା, ବାସୁଦେବ ବାବା, ବଳରାମ ବାବା, ଉତ୍ତର ଦ୍ୱାରରେ ଭୀମସେନ ବାବା, ଅନ୍ତର୍ଯ୍ୟାମୀ ବାବା, କାଶୀନାଥ ବାବା ଏବଂ ଶୁକଦେବ ବାବାଙ୍କୁ ନିଯୁକ୍ତି ଦିଆଯାଇଛି । ଧୂନି ମନ୍ଦିରରେ ନରୋତ୍ତମ ବାବା ଆହୁତି ପ୍ରଦାନ କରିବେ ଓ ବ୍ରଜକିଶୋର ବାବା, ଜୟରାମ ବାବା, ସାନ ବ୍ରଜବାବା ପ୍ରମୁଖ ତାଙ୍କୁ ସହାୟତା କରିବେ। ଧୂନି ମନ୍ଦିରର ଉତ୍ତର ଦ୍ୱାରରେ ଦିବାକର ବାବା, ଲମ୍ବୋଦର ବାବା, କପିଳ ବାବା, ପୂର୍ବଦ୍ୱାରରେ ମୁରଲୀ ବାବା, ଦାଶରଥୀ ବାବା, ଦକ୍ଷିଣଦ୍ୱାରରେ ବେଣୁଧର ବାବା ଏବଂ ଯୋଗୀ ବାବା, ପଶ୍ଚିମ ଦ୍ୱାରରେ ପ୍ରମୋଦ ବାବା ଏବଂ ବହ୍ଲବ ବାବାଙ୍କୁ ନିଯୁକ୍ତ କରାଯାଇଛି ।

ଆସନ୍ତାକାଲି ପ୍ରାତଃ ୩ଟା ୪୫ ମିନିଟ୍‌ ସମୟରେ ମହିମାଗାଦିରେ ଉପସ୍ଥିତ ସାଧୁ ସନ୍ଥମାନେ ବେଢା ପରିକ୍ରମା କରିବେ। ପ୍ରାତଃ ଧୂପ, ମଧ୍ୟାହ୍ଣ ଧୂପ ପରେ ଅପରାହ୍ଣ ୩ଟା ସମୟରୁ ସ୍ୱତନ୍ତ୍ର ଝାଡ ନୀତି ଆରମ୍ଭ କରାଯିବ। ପରେ ନୀତି କୂଅରୁ ରୁପା ଗରାରେ ପାଣି ଅଣାଯାଇ ଗାଦି ମନ୍ଦିରକୁ ଶୋଧନ କରାଯିବ। ବରିଷ୍ଠ ବକ୍କଳଧାରୀ ସନ୍ନ୍ୟାସୀ ମନ୍ଦରଧର ବାବା ଛେରାପହଁରା କରିବେ। ବକ୍କଳଧାରୀ ମହିମା ସମାଜ ସଭାପତି ପବିତ୍ର ମୋହନ ବାବା ସୁନା ଗିନାରେ ଚନ୍ଦନ, ଅଗୁର, ଭାସ୍କର, କର୍ପୁର ଦ୍ୱାରା ମନ୍ଦିରରେ ସିଞ୍ଚନ କରିବେ। ସନ୍ଧ୍ୟା ୫ଟା୧୫ ମିନିଟ୍‌ରେ ବରିଷ୍ଠ ବକ୍କଳଧାରୀ ସନ୍ନ୍ୟାସୀ ମନ୍ଦରଧର ବାବା ଗାଦି ମନ୍ଦିରର ପଶ୍ଚିମ ଦ୍ୱାରରେ ଥିବା ବୃହତ ପୀତଳ ଝାଡରେ ଅଗ୍ନି ସଂଯୋଗ କରିବା ପରେ ଅନ୍ୟ ଦ୍ୱାରରେ ନୀତି ନିଯୁକ୍ତ ବରିଷ୍ଠ ବକ୍କଳଧାରୀ ସନ୍ନ୍ୟାସୀମାନେ ଝାଡରେ ଅଗ୍ନି ସଂଯୋଗ କରିବେ । ଶୂନ୍ୟ ମନ୍ଦିର, ଏକୋଇଶ ହାତିଆ ମନ୍ଦିରରେ ଝାଡ ଜଳିବା ସହ ଧୂନି ମନ୍ଦିରରେ ଘୃତାହୁତି ହେବ।

ବିଶ୍ୱପ୍ରସିଦ୍ଧ ମହିମା ମେଳା ପାଇଁ ଚଳିତ ବର୍ଷ ବହୁସଂଖ୍ୟାରେ ସାଧୁ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି। ଏ ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ୨ ଜଣ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପିି, ୮ ଜଣ ଇନ୍‌ସପେକ୍ଟର, ୭୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୧୪୦ ଜଣ ହୋମ୍‌ଗାର୍ଡ, ୭୮ ଜଣ କନେଷ୍ଟବଳଙ୍କ ସମେତ ୧୧ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ହେବେ। ଏଥିସହ ମେଳା ପରିସରରେ ୪ଟି ଅସ୍ଥାୟୀ ଫାଣ୍ଡି, ୧୧ଟି ମୋବାଇଲ୍‌ ପାଟ୍ରୋଲିଂ ସ୍କ୍ଵାଡ୍‌ର ବ୍ୟବସ୍ଥା କରାଯାଇଛି। ଗାଦି ମନ୍ଦିରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସିସି କ୍ୟାମେରା ଲଗାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.