ରଥ-ପଥ-ଭକ୍ତ ପ୍ରସ୍ତୁତ; ରାତି ପାହିଲେ ରଥଯାତ୍ରା, ଭାଇ-ଭଉଣୀଙ୍କୁ ନେଇ ୯ ଦିନିଆ ଯାତ୍ରାରେ ବାହାରିବେ ମହାପ୍ରଭୁ

ପୁରୀ ସହରରେ ୧୮୦ ପ୍ଲାଟୁନ ପୁଲିସ ମୁତୟନ, ସୁରକ୍ଷା ଉପରେ ନଜର ରଖିଛି ସିସିଟିଭି

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥି ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ସକାଳୁ ସକାଳୁ ପୁରୀରେ ଲକ୍ଷ ଲକ୍ଷ ‌ଭକ୍ତ ରୁଣ୍ଡ ହୋଇସାରିଥିବେ। ବଡ଼ଦାଣ୍ଡ ଜନମାନସରେ ପରିପୂର୍ଣ୍ଣ ହୋଇଯିବ। ମହାପ୍ରଭୁଙ୍କ ୯ ଦିନିଆ ରଥଯାତ୍ରା ପାଇଁ ଗୁରୁବାର ରଥ-ପଥ ଓ ଭକ୍ତ ପ୍ରସ୍ତୁତ ଅଛନ୍ତି। ତିନି ରଥକୁ ଆଜି ଆଜ୍ଞମାଳ ବିଜେ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ନୀତିନିର୍ଘଣ୍ଟ ଅନୁସାରେ ଜୁଲାଇ ୧ ତାରିଖ ପବିତ୍ର ରଥଯାତ୍ରା ଅବସରରେ ଅପରାହ୍ନ ୪ଟାରେ ତିନି ରଥ (ନନ୍ଦିଘୋଷ, ‌ଦର୍ପଦଳନ ଓ ତାଳଧ୍ବଜ) ଶରଧାବାଲି ଅଭିମୁଖେ ଗଡ଼ିବ। ସନ୍ଧ୍ୟା ସୁଦ୍ଧା ତିନି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।

ତେବେ ରଥଯାତ୍ରା ପୂର୍ବରୁ ସେବାୟତମାନେ ଅନ୍ୟ ନୀତି ସଂପୂର୍ଣ୍ଣ କରିବେ। ଜୁଲାଇ ୧ ତାରିଖ ଦିନ ସକାଳ ୬ଟାରେ ମଙ୍ଗଳ ଆଳତି, ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷ ହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ୭ଟା ୩୦ରେ ଦ୍ବାରପାଳ ପୂଜା, ବେଶଶେଷ (ଗୋପାଳ ବଲ୍ଲଭ ଓ ସକାଳ ଧୂପ), ୮ଟାରୁ ୯ଟା ମଧ୍ୟରେ ଖେଚୁଡ଼ି ଭୋଗ ଓ ୯ଟାରେ ରଥ ପ୍ରତିଷ୍ଠା ହେବ। ସେହିପରି ୯ଟା ୧୫ରେ ମଙ୍ଗଳାର୍ପଣ, ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯାଇ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ପରେ ଶ୍ରୀଶ୍ରୀ ମଦନମୋହନ, ଶ୍ରୀଶ୍ରୀ ରାମ ଓ ଶ୍ରୀଶ୍ରୀ କଷ୍ଣ ବିଜେ ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୧ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଚିତା ଲାଗି, ବେଶ ଶେଷ ପରେ ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ଅନୁଷ୍ଠିତ ହେବ। ଏହା ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା କାମ ୪ଟା ସୁଦ୍ଧା ଶେଷ ହେବ। ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ଅନୁଷ୍ଠିତ ହେବ।

india.com

କରୋନା ସଂକ୍ରମଣ ଯୋଗୁଁ ୨୦୨୦ ଓ ୨୦୨୧ ମସିହାରେ ଅନୁଷ୍ଠିତ ଘୋଷଯାତ୍ରାରେ ସାଧାରଣ ଭକ୍ତ ସାମିଲ ହୋଇପାରି ନଥିଲେ। ଏଥର କିନ୍ତୁ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରଥଯାତ୍ରାରେ ଅଂଶଗ୍ରହଣ କରିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୁରୀ ବଡ଼ଦାଣ୍ଡ ସମେତ ସହରର ଅନ୍ୟ ସ୍ଥାନରେ ୧୦୦୦ ଅଧିକାରୀଙ୍କ ବ୍ୟତୀତ ୧୮୦ ପ୍ଲାଟୁନ୍‌ ପୁଲିସ ମୁତୟନ ହୋଇଛନ୍ତି। ବଡ଼ଦାଣ୍ଡ ସମେତ ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ସିସିଟିଭି ନଜର ରଖିଛି। ସେହିପରି ଗୁଇନ୍ଦା ବିଭାଗ ମଧ୍ୟ ରଥଯାତ୍ରା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ତଟରକ୍ଷୀ ବାହିନୀ, ଦମକଳ ବାହିନୀ, ଏନଡିଆରଏଫର ଯବାନମାନେ ମୁତୟନ ହୋଇଛନ୍ତି । ରେଳବାଇ, ବିଦ୍ୟୁତ, ପରିମଳ, ଟେଲିଫୋନ୍‌ ବିଭାଗ, ସ୍ବାସ୍ଥ୍ୟ, ସୂଚନା ଓ ଲୋକସଂପର୍କ ବିଭାଗ ମଧ୍ୟ ନିଜକୁ ସୂଚାରୁ ରୂପେ ପରିଚାଳନା କରିବାକୁ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧିତ ଖବର