ମତ୍ସ୍ୟ ରପ୍ତାନିକୁ ୨୦ ହଜାର କୋଟିରେ ପହଞ୍ଚାଯିବ: ମନ୍ତ୍ରୀ

ବିଶ୍ୱ ମତ୍ସ୍ୟ ଦିବସ ପାଳନ

ଭୁବନେଶ୍ୱର : ମତ୍ସ୍ୟ ଚାଷ ରାଜ୍ୟ ଅର୍ଥନୀତିରେ ଏକ ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରିଥାଏ। ଏହା ଏକ ଗୁରୁତ୍ବପୂର୍ଣ୍ଣ ଜୀବନ ଜୀବିକାର ପନ୍ଥା ହୋଇଥିଲା ବେଳେ ଏଥିରେ ଆତ୍ମନିଯୁକ୍ତିରେ ଭରପୂର ସୁଯୋଗ ରହିଛି। ରାଜ୍ୟରେ ମତ୍ସ୍ୟ ଚାଷର ବିକାଶ କରି ମତ୍ସ୍ୟ ଉତ୍ପାଦନକୁ ଦ୍ବିଗୁଣିତ କରିବା ସହ ମତ୍ସ୍ୟ ରପ୍ତାନିକୁ ୨୦ ହଜାର କୋଟିରେ ପହଞ୍ଚାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର କହିଛନ୍ତି।

ଆଜି ପୂର୍ବାହ୍ନରେ କୃଷି ଭବନରେ ବିଶ୍ବ ମତ୍ସ୍ୟ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଲେ ଯେ ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ମାଛର ଆହରଣ, ଚାହିଦା, ଉତ୍ପାଦନ ଓ ରପ୍ତାନି ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷ ୨୦୧୯-୨୦ରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୮.୧୬ ଲକ୍ଷ ମେଟ୍ରିକ୍ ଟନ୍ ହୋଇପାରିଛି। ମାଛ ଚାଷ ନିମନ୍ତେ ନୂଆ ପୋଖରୀ ସୃଷ୍ଟି ପାଇଁ ସରକାରଙ୍କ ‘ମୋ ପୋଖରୀ ଯୋଜନା’ ଏକ ଯୁଗାନ୍ତକାରୀ ପଦକ୍ଷେପ। ଗ୍ରାମ ପଞ୍ଚାୟତ ପୋଖରୀଗୁଡ଼ିକୁ ଦୀର୍ଘମିଆଦି ସୂତ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଇ ମାଛ ଚା‌ଷ କରାଯିବା ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ, ଯାହା କି ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ମହିଳା ସଶକ୍ତୀକରଣ ଦିଗରେ ସହାୟକ ହୋଇପାରିବ। କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟକୁ ଫେରିଥିବା ପ୍ରବାସୀମାନେ କୃଷି ସହିତ ଆନୁଷଙ୍ଗିକ କୃଷି ଓ ମତ୍ସ୍ୟ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ପରିପ୍ରେକ୍ଷୀରେ ସେମାନେ ସରକାରଙ୍କ ଦ୍ବାରା ପ୍ରଣିତ ଯୋଜନା ଓ ରିହାତିର ଲାଭ ଉଠାଇ ଆତ୍ମନିଯୁକ୍ତି ଦେବା ସହି ନୀଳ ବିପ୍ଳବକୁ ସାକାର କରିବାକୁ ଆଗେଇ ଆସିବା ପାଇଁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଉତ୍ସବରେ କୃଷି ଉତ୍ପାଦନ କମିସନର୍‌ ରାଜକୁମାର ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ ମତ୍ସ୍ୟ ସମ୍ପଦ ବିକାଶ ପ୍ରଚୁର ସମ୍ଭାବନା ଉପରେ ଆଲୋଚନା କରିଥିଲେ। ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ରାଜ୍ୟରେ ମତ୍ସ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ମାଛ ଯାଆଁଳ ଉତ୍ପାଦନରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା କୌଶଲ୍ୟାଗଙ୍ଗ ମତ୍ସ୍ୟ ଫାର୍ମର ମତ୍ସ୍ୟ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭିଡିଓ କନ୍‌ଫରେନ୍ସିଂ ଓ ସୋସିଆଲ୍‌ ମିଡିଆ ମାଧ୍ୟମରେ ସମସ୍ତ ଜିଲ୍ଲା ଓ ବ୍ଲକ୍‌ ସ୍ତରୀୟ ମତ୍ସ୍ୟ ବିଭାଗର ଅଧିକାରୀ, ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀମାନେ ‌କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅତିରିକ୍ତ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର