ଭୋକିଲାଙ୍କ ତ୍ରାଣକର୍ତ୍ତା ପାଲଟିଛି ‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’

ନୂଆଦିଲ୍ଲୀ : ଆଜି ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ର ନାମ ଘୋଷଣା କରାଯାଇଛି। ବିଶ୍ବରେ ଖାଦ୍ୟ ସଂକଟର ମୁକାବିଲା କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ୧୯୬୧ ଡିସେମ୍ବର ୧୯ରେ ଡବ୍‌ଲ୍ୟୁଏଫ୍‌ପି ପ୍ରତିଷ୍ଠା କରାଯାଇଥିଲା। ଏହାର ମୁଖ୍ୟାଳୟ ଇଟାଲିର ରୋମ୍‌ରେ ରହିଛି। ବିଶ୍ବର ବିଭିନ୍ନ ସରକାରୀ ଓ ଘ‌ରୋଇ ସଂସ୍ଥାମାନଙ୍କଠାରୁ ଆର୍ଥିକ ସହଯୋଗରେ ଜାତିସଂଘ ‘ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ’ ଚଳାଇ ଆସୁଛି। ୨୦୧୮ରେ ଡବ୍ଲ୍ୟୁଏଫ୍‌ପିକୁ ରେକର୍ଡ ପରିମାଣର ୭୨୦ କୋଟି ଡଲାର ଆର୍ଥିକ ସହାୟତା ମିଳିଥିଲା। ଡବ୍ଲ୍ୟୁଏଫ୍‌ପି ଜରୁରୀକାଳୀନ ପରିସ୍ଥିତିରେ ଖାଦ୍ୟ ସହାୟତା ଯୋଗେଇବା ଏବଂ ଖାଦ୍ୟ ନିରାପତ୍ତା ପାଇଁ ସ୍ଥିରତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛି। ଡବ୍ଲ୍ୟୁଏଫ୍‌ପି ଏକ ବିଶାଳ ସଂସ୍ଥା ହୋଇଥିବାବେଳେ ଏଥିରେ ୧୭,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହା ସମଗ୍ର ବିଶ୍ବରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବାକୁ ପ୍ରାୟାସ ଜାରି ରଖିଛି।। ବିଶେଷକରି ଏସିଆ ଓ ଆଫ୍ରିକୀୟ ଦେଶମାନଙ୍କରେ ଭୋକିଲାମାନଙ୍କୁ ଖାଦ୍ୟ ଯୋଗେଇ ଦେଇ ଡବ୍ଲ୍ୟୁଏଫ୍‌ପି ଏକ ମହାନ୍‌ କାର୍ଯ୍ୟ କରିଆସୁଛି। ଏହା ଭୋକିଲାଙ୍କ ପାଇଁ ତ୍ରାଣକର୍ତ୍ତା ସାଜିଛି। ୨୦୨୦ରେ ଡବ୍ଲ୍ୟୁଏଫ୍‌ପି କରୋନା ମହାମାରୀ ମୁକାବିଲା କରିବା ସହ କଙ୍ଗୋରେ ଅନାହାର ମୁକାବିଲା, ଉତ୍ତର-ପୂର୍ବ ନାଇଜେରିଆ, ସାହେଲ, ଦକ୍ଷିଣ ସୁଦାନ, ସିରିୟା, ୟେମେନ୍‌ ଆଦି ଦେଶରେ ଖାଦ୍ୟ ସଂକଟର ମୁକାବିଲା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି।

ସମ୍ବନ୍ଧିତ ଖବର