ଅଫିସରଙ୍କ ମନମାନି ପାଇଁ ‘ବେଦାନ୍ତ’, ‘ଶାମୁକା’ ବି ଅଟକିଛି
୧୦୦ କୋଟିର ସମ୍ପତ୍ତି ପାଇଁ ଟଙ୍କାଟିଏ ପାଇନି ପୌରସଂସ୍ଥା
ଜମି ନ କିଣି ଜମି ବିକିଛନ୍ତି ଜିଲ୍ଲାପାଳ,ଅସନ୍ତୋଷ ବଢୁଛି
ଜମି ବିକ୍ରି ରଦ୍ଦ କରିବା ଲାଗି ହାଇକୋର୍ଟରେ ମାମଲା
ପୁରୀ : ପୁରୀକୁ ବିଗତ ବର୍ଷରେ ଅନେକ ପ୍ରକଳ୍ପ ଆସିଛି। ବେଦାନ୍ତ ହେଉ କି ଶାମୁକା ପ୍ରକଳ୍ପ, ଗୋଟିଏ ବି ପ୍ରକଳ୍ପ ଆଗକୁ ବଢି ପାରିନି। ସବୁ ପ୍ରକଳ୍ପକୁ ଜାଣିଶୁଣି ବିବାଦ ଭିତରେ ଛନ୍ଦି ଦିଆଯାଇଛି। ଏବେ ପୁଣି ଥରେ ବଗଲା ଧର୍ମଶାଳା ଜମି ବିକ୍ରି ଖିଅରୁ ବିଶ୍ବ ଐତିହ୍ୟନଗରୀ ପ୍ରକଳ୍ପ ଯୋଜନା ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି। କିଛି ଅଧିକାରୀଙ୍କ ମନମାନି ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏମିତି ଘଟୁଥିବା ଅଭିଯୋଗ ହେଲାଣି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବିତୀୟ ପାଳି ସରକାର ସମୟରେ ପୁରୀକୁ ବେଦାନ୍ତ ପ୍ରକଳ୍ପ ଆସିଥିଲା। ଯାହା ହୋଇଥିଲେ ପୁରୀ ଭାଗ୍ୟ ବଦଳିଥାନ୍ତା। ମାତ୍ର କିଛି ଅଧିକାରୀ ମହାପ୍ରଭୁଙ୍କ ଅମୃତମଣୋହି ଜମିକୁ ବେଦାନ୍ତକୁ ଦେବାରୁ ବିବାଦର ସୂତ୍ରପାତ ହୋଇଥିଲା। ଏଯାଏ ଏହି ପ୍ରସଙ୍ଗଟି ସୁପ୍ରିମକୋର୍ଟରେ ଝୁଲୁଛି।
ସରକାର ଅପଦସ୍ତ ହେଲେ, ଲୋକପାଳ ସରକାରଙ୍କ ବିରୋଧରେ କଡ଼ା ଟିପ୍ପଣୀ ରଖିଲେ। ଏମିତି କେତେ କଣ ଘଟିଲା।
ଶାମୁକା ପ୍ରକଳ୍ପରେ ମଧ୍ୟ ସମାନ ଅବସ୍ଥା ଉପୁଜିଥିଲା। ୨୦୦୫ରୁ ଏହି ପ୍ରକଳ୍ପ ଶୀତଳ ଭଣ୍ଡାରକୁ ଯାଇଛି। ଜଂଗଲ, ପରିବେଶ, ଉଲଂଘନ ପାଇ୍ଁ ଏହି ପ୍ରକଳ୍ପ ବନ୍ଦ ରହିଛି। ସିଆରଜେଡ ପରିଧି ଭିତରେ ଆସୁଥିବା ଏ ପ୍ରକଳ୍ପକୁ ନେଇ ଆଶଙ୍କା ଏବେ ଯାଏ ଦୂର ହୋଇନାହିଁ। ଏହି ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି। ପ୍ରାୟ ୩୫୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ଲାଗି ୯୭୫ ଏକର ଜମି ଅଧିଗ୍ରହଣ କରିଛି।
/sambad/media/post_attachments/wp-content/uploads/2020/08/Odisha-project-300x195.jpg)
ପୁରୀର ବିକାଶକୁ ବାଟବଣା କରିବା ଲାଗି ଚାଲିଥିବା ଷଡ୍ଯନ୍ତ୍ର ବିରୋଧରେ ଜନମତ କୁହୁଳୁଥିବା ବେଳେ ଏବେ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ବ ଐତିହ୍ୟ ନଗରୀରେ ପରିଣତ କରିବା ଲାଗି ସ୍ବପ୍ନ ଦେଖାଇଥିଲେ। ହେଲେ ଏବେ ପୁଣି କିଛି ପ୍ରଶାସନିକ ଅଧିକାରୀଙ୍କ ମନମାନି ସରକାରଙ୍କ ବିଶାଳ ଯୋଜନା ପଛରେ ବଡ଼ କଣ୍ଟା ଭାବେ ଉଭା ହେଲାଣି। ମୁଖ୍ୟମନ୍ତ୍ରୀଙ୍କ ପୁରୀ ବିକାଶ ସ୍ବପ୍ନକୁ ବିବାଦ ଭିତରକୁ ଠେଲି ଦିଆଯାଇଛି। ଏବେ ବଗଲା ଧର୍ମଶାଳାକୁ ନେଇ ଯେଉଁ ବିବାଦ ଉପୁଜିଛି ତାକୁ ନେଇ ପୁରୀରେ ଏମିତି ଚର୍ଚ୍ଚା ଜୋର ଧରିଲାଣି। ବାରମ୍ବାର ପୁରୀ ପ୍ରକଳ୍ପକୁ ନେଇ କିଏ ଏ ଅଡୁଆ ତିଆରି କରୁଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବଗଲା ଜମି ବିକ୍ରିରେ ଜିଲ୍ଲାପାଳ ମନମାନି କରିଥିବା ଅଭିଯୋଗ ଉଠିଛି। ଜମି ନ କିଣି ଜିଲ୍ଲାପାଳ ପୌର ପରିଷଦ ଓଡ଼ିଶା ଆଇନର ଧାରା ୧୨୭ର ଉଲଂଘନ କରି ଏହି ଜମି ବିକ୍ରି କରିଛନ୍ତି ବୋଲି କୁହାଯାଉଛି। ପୌର ପରିଷଦ ଏହି ଜମି ବିକ୍ରି କରିଛି କି? ଏଥିପାଇଁ ନଗର ଉନ୍ନୟନ ବିଭାଗର ଅନୁମତି ପତ୍ର ଅଛି କି? ପୌର ସଂସ୍ଥା ଏ ଜମି ବାବଦରେ କେତେ କ୍ଷତିପୂରଣ ପାଇଛି ସେ ତଥ୍ୟ ମଧ୍ୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ। ଜିଲ୍ଲାପାଳ ନିଜେ ପୌର ପରିଷଦର ମୁଖ୍ୟ ଥିବା ସହିତ ରାଜସ୍ବ ମୁଖ୍ୟ ଥିବା ଦୃଷ୍ଟିରୁ ସେ ତାଙ୍କ କ୍ଷମତାର ଅପବ୍ୟବହାର କରି ପୌରସଂସ୍ଥା ନାମରେ ଥିବା ଜମିକୁ ରାଜସ୍ବ ବିଭାଗକୁ ବେଆଇନ ଭାବେ ହସ୍ତାନ୍ତର କରି ଏହାକୁ ବିକ୍ରି କରିଛନ୍ତି। ବଗଲା ସଂମ୍ପତ୍ତିର ମୂଲ୍ୟ ଆନୁମାନିକ ଶହେ କୋଟି ଟଙ୍କା ହୋଇଥିବା ଦୃଷ୍ଟିରୁ ପୌରସଂସ୍ଥା ଏ ଅର୍ଥ ମଧ୍ୟ ହରାଇଛି। ଏଥିପାଇଁ ପୌରସଂସ୍ଥାକୁ ଟଙ୍କାଟିଏ ଦିଆଯାଇନାହିଁ। ଏପରିକି ନୋଟିସ ଅବଜେକସନ ଜାରି କରାଯାଇନାହିଁ।
ସୂଚନାଯୋଗ୍ୟ ଯେ ଗତ ୨/୧୧/୨୦୧୮ ଓଡ଼ିଶା ବିହାର ପିଲିଗ୍ରିମେଜ ଆକ୍ଟ-୧୯୨୦ରେ ରଦ୍ଦ କରିଯାଇ ପୁରୀ ଲଜିଂ ହାଉସ ଫଣ୍ଡର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି, କର୍ମଚାରୀ, କୋଠା, ବଗଲା ଧର୍ମଶାଳା, ମହାବୀର ଧର୍ମଶାଳାକୁ ପୁରୀ ପୌରସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ପୌର ପରିଷଦ ନଥିବା ବେଳେ ଜିଲ୍ଲାପାଳ ଏତେବଡ ନିଷ୍ପତ୍ତି କେମତି ନେଲେ? ତାକୁ ନେଇ କିଛି ପୂର୍ବତନ ପୌର ପରିଷଦ ସଦସ୍ୟ ଆପତ୍ତି ଉଠାଇଛନ୍ତି।
ଏଭଳି ପରିସ୍ଥିତିରେ ଆଜି ବଗଲା ଜମି ମାମଲା ପୁଣି ଥରେ କୋର୍ଟକୁ ଯାଇଛି। ଜଗନ୍ନାଥ ବସ୍ତିଆ ହାଇକୋର୍ଟରେ ଏହାର ପୁନଃବିଚାର କରିବା ସହିତ ଜମି ବିକ୍ରିକୁ ରଦ୍ଦ କରିବାକୁ ଆବେଦନ କରିଛନ୍ତି।