ବିଶ୍ବ କିଡ୍‌ନି ଦିବସ: କିଡ୍‌ନି ରୋଗରେ ଆକ୍ରାନ୍ତ ୫୦ ହଜାର ଲୋକ, କରୋନା ସମୟରେ ଡାଏଲିସିସ୍‌ ସୁବିଧା ନପାଇ ଶତାଧିକ ମୃତ

ସୀମନ୍ତିକା ନନ୍ଦ

କଟକ : ଓଡିଶାରେ ଦିନକୁ ଦିନ ବଢୁଛି କିଡ୍‌ନି ରୋଗୀଙ୍କ ସଂଖ୍ୟା। ରୋଗର ସ୍ଥିତି ଉଦ୍‌ବେଗଜନକ ହେବାକୁ ଲାଗିଛି। ଏବେ ପୁଣି କିଡ୍‌ନି ରୋଗ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି କରୋନା ମହାମାରୀ। ଏହି ସମୟରେ ଡାଏଲିସିସ୍‌ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କିଡ୍‌ନି ରୋଗୀ। ଓଡ଼ିଶାରେ ବର୍ଷକୁ ହାରାହାରି ଭାବେ ୩/୪ହଜାର ଜଣ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥା’ନ୍ତି। ବିଗତ ୧୦ରୁ ୧୫ ବର୍ଷ ମଧ୍ୟରେ ପ୍ରାୟ ୫୦ ହଜାରରୁ ଅଧିକ ରୋଗୀ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିବା ଏକ ବେସରକାରୀ ସର୍ଭେ ରିପୋର୍ଟରୁ ଜଣାପଡିଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ପାଖରେ ଏ ନେଇ କୌଣସି ସଠିକ୍‌ ତଥ୍ୟ ନାହିଁ କି ଏହାର ଆକଳନ ମଧ୍ୟ ଆଜି ପର୍ଯ୍ୟନ୍ତ କରାଯାଇପାରିନି।

କେବଳ କଟକ ବଡ଼ ଡାକ୍ତରଖାନାର ତଥ୍ୟକୁ ଆକଳନ କଲେ ଜଣାଯାଏ ଯେ, ଗଲା ୨୦୧୧ରେ ୨୧୯୫ ଜଣ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଡାଏଲିସିସ୍‌ କରିଛନ୍ତି। କିନ୍ତୁ ୧୦ ବର୍ଷ ଭିତରେ ୨୦୨୧‌ରେ ଏହି ସଂଖ୍ୟା ପାଖାପାଖି ୧୯ହଜାରରେ ପହଞ୍ଚିଛି। ଅର୍ଥାତ୍‌ ବର୍ଷକୁ ୧୫ରୁ ୧୭ ଶହ ରୋଗୀ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଏସ୍‌ସିବିରେ ଡାଏଲିସିସ୍‌ କରୁଥିବା ତଥ୍ୟରୁ ଜଣାପଡିଛି। ସେହିପରି କ୍ରୋନିକାଲ କିଡନି ରୋଗରେ ୧୦ ହଜାର ୧୫୪ ଜଣ ରୋଗୀ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଏସ୍‌ସିବିରେ। ଏସ୍‌ସିବିରେ ଗଲା ଦୁଇବର୍ଷ ଭିତରେ ତିନିଶହ ମୃତ୍ୟୁ ଘଟିଛି। ହେଲେ ସବୁଠାରୁ ଉଦ୍‌ବେଗର ବିଷୟ ହେଲା କରୋନାଜନିତ୍‌ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ରେ ଉପଯୁକ୍ତ ଚିକିତ୍ସା ବିଶେଷ କରି ଡାଏଲିସିସ୍‌ ସୁବିଧା ନ ପାଇ ଅନେକ କିଡ୍‌ନି ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାର ସଂଖ୍ୟା ଯଦିଓ ସରକାରୀ ହିସାବ‌ ଖାତାରେ ନାହିଁ ତଥାପି ଶତାଧିକ କିଡ୍‌ନି ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ୨୦୦୬ ମସିହାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାର୍ଚ୍ଚ ମାସର ୨ୟ ଗୁରୁବାରକୁ ‘ବିଶ୍ବ କିଡ୍‌ନି ଦିବସ’ ଭାବେ ପାଳନ କରୁଛନ୍ତି। ଚଳିତବର୍ଷ ଏହି ଦିବସ ପାଳନର ଥିମ୍‌ ରହିଛି ‘ଆମକୁ କିଡ୍‌ନି ରୋଗ ସହିତ ଭଲରେ ବଂଚିବାକୁ ହେବ’ । ‌ସରକାରୀ ତଥ୍ୟ ଅନୁସାରେ କଟକ ଜିଲ୍ଲାର ବଡମ୍ବା, ନରସିଂହପୁର ବ୍ଲକ୍‌ରେ କିଡ୍‌ନି ରୋଗରେ ୨୨୦୧ଜଣ ଆକ୍ରାନ୍ତ ହୋଇଥିବା ଓ ୬୭୪ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ କରିଥିବା ସର୍ଭେରୁ ଜଣାପଡିଛି।

କିନ୍ତୁ ସରକାରୀ ରେକର୍ଡରେ ମୃତ୍ୟୁ ସଂଖ୍ୟା ନାହିଁ
ସରକାରୀ ତଥ୍ୟରେ ବଡମ୍ବା-ନରସିଂହପୁରରେ ଗଲାଣି ୬୨୭ଜଣଙ୍କ ଜୀବନ

ଏସ୍‌ସିବି ନେଫ୍ରୋଲୋଜି ବିଭାଗର ଡାକ୍ତର ରାଜେଶ କୁମାର ରାଉତ୍‌ରାୟଙ୍କ କହିବାନୁସାରେ, ଓଡ଼ିଶାର କଟକର ବଡ଼ମ୍ବା, ନରସିଂହପୁର, ଯାଜପୁରର ସୁକିନ୍ଦା, ନୟାଗଡ଼, ଝାରସୁଗୁଡ଼ା, ମନମୁଣ୍ଡା, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗୀର, ସୋନପୁର, ବଉଦ, ଫୁଲବାଣୀ ଓ ମାଲକାନାଗିରିର ବିଭିନ୍ନ ଅଞ୍ଚଳରେ ଏକ ବିଚିତ୍ର ପ୍ରକାରର କିଡ୍‌ନି ରୋଗ ଦେଖାଦେଉଛି। କେଉଁ କାରଣରୁ ଏହିସବୁ ଅଞ୍ଚଳରେ କିଡ୍‌ନି ରୋଗର ଭୟାବହତା ବୃଦ୍ଧି ପାଉଛି, ତା’ର ଠିକ୍‌ କାରଣ ମଧ୍ୟ ଜଣାପଡୁନାହିଁ। କ୍ରୋନିକ୍‌ କିଡ୍‌ନି ରୋଗୀ (ସିକେଡି)ଙ୍କ ସଂଖ୍ୟା ୨୦୧୧ରେ ୯୭୩ ଥିଲା। ୨୦୧୮ରେ ଏହି ସଂଖ୍ୟା ୧୦ ହଜାର ୧୫୪ରେ ପହଞ୍ଚିଥିବାବେଳେ ଏବେ ଏହା ପାଖାପାଖି ୧୨ହଜାର ଟପିସାରିଲାଣି। ୨୦୧୨ରେ ୧୦୫୫ରୋଗୀ, ୨୦୧୩ରେ ୧୯୭୮, ୨୦୧୪ରେ ୨୧୫୭, ୨୦୧୫ରେ ୪୩୨୫, ୨୦୧୬ରେ ୬୨୯୦, ୨୦୧୭ରେ ୮୪୬୪ ସିକେଡି ରୋଗୀ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ସେହିପରି ୨୦୧୧ରେ ୨୧୯୫ ଜଣ ଡାଏଲିସିସ୍‌ କରିଥିବାବେଳେ ୨୦୧୨ରେ ୩୪୭୦, ୨୦୧୩ରେ ୩୭୩୨, ୨୦୧୪ରେ ୩୯୯୪, ୨୦୧୫ରେ ୫୭୯୮, ୨୦୧୬ରେ ୮୬୯୦, ୨୦୧୭ରେ ୧୨୪୮୭ ଓ ୨୦୧୮ରେ ୧୪୦୭୬ ଓ ୨୦୧୯ରେ ୧୬ହଜାର, ୨୦୨୦ରେ ୧୭ହଜାର ରୋଗୀଙ୍କ ଡାଏଲିସିସ୍‌ ହୋଇଛି। ବର୍ତ୍ତମାନ ପ୍ରତି ସପ୍ତାହରେ ୪ ଶହରୁ ୫ଶହ ନୂଆ ରୋଗୀ ଆସୁଛନ୍ତି। ୧୦ ବର୍ଷ ତଳେ ଅଣସଂକ୍ରମଣ ରୋଗୀମାନଙ୍କ ତାଲିକାରେ ଏହାର ସ୍ଥାନ ୧୪ରେ ଥିବାବେଳେ ବର୍ତ୍ତମାନ ଏହା ୮ମ ସ୍ଥାନରେ ରହିଛି।


Version Weekly

ଅନ୍ୟପକ୍ଷରେ, ଆଇସିଏମ୍‌ଆର ମଧ୍ୟ ଏହାରି ଉପରେ ଗବେଷଣା କରୁଥିବା ସିକେଡିର ଜିଲ୍ଲା ନୋଡାଲ ଅଫିସର ଡାକ୍ତର ଉମେଶ ରାୟଙ୍କ ତଥ୍ୟ ଅନୁସାରେ, ନରସିଂହପୁର ଓ ବଡମ୍ବାରେ ଦୁଇମାସ ହେଲା ଘର ଘର ବୁଲି ସର୍ଭେ କରାଯାଉଛି। ‌ସର୍ଭେରେ ମିଳିଥିବା ତଥ୍ୟ ଅନୁସାରେ, ବର୍ତ୍ତମାନ ୧୬୪୩ଜଣ ସିକେଡି ରୋଗୀ ଅଛନ୍ତି ଓ ସେଥିରୁ ୬୨୭ଜଣଙ୍କ ମୃତ୍ୟୁ ହେଲାଣି। ସେହିପରି ବଡମ୍ବା ବ୍ଲକ୍‌ରେ ମଧ୍ୟ ୫୫୮ଜଣ ସିକେଡି ରୋଗୀଥିବାବେଳେ ୪୭ଜଣଙ୍କ ମୃତ୍ୟୁ ହେଲାଣି। ଅନ୍ୟପଟେ କେବଳ ନରସିଂହପୁରଠାରେ ଥିବା ଗ୍ରାମୀଣ ଡାଏଲିସିସ୍‌ କେନ୍ଦ୍ରରେ ୬୩ଜଣଙ୍କ ଡାଏଲିସିସ୍‌ ଚାଲିଥିବାବେଳେ ୪୭ଜଣ ଡାଏଲିସି୍ସ୍‌ ପାଇଁ ପଂଜୀକରଣ କରି ଅପେକ୍ଷା କରିଛନ୍ତି। ତେବେ ଡାଏଲିସିସ୍‌ କରାଯାଉଥିବା ରୋଗୀଙ୍କ ମଧ୍ୟରୁ ୩୩ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି। କିନ୍ତୁ କିଏ କଟକରେ, କିଏ ଭୁବନେଶ୍ବରରେ, କିଏ ରାଜ୍ୟ ବାହାରେ ଓ କିଏ ଘରୋଇ ହସ୍ପିଟାଲରେ ସେମାନେ ଚିକିତ୍ସିତ ହେଉଛନ୍ତି। ତେଣୁ ପ୍ରକୃତରେ କିଡ୍‌ନି ରୋଗୀଙ୍କ ସଂଖ୍ୟା କେତେ ସେ ନେଇ ସଠିକ୍‌ ତଥ୍ୟ ସରକାରୀ ସ୍ତରରେ ନାହିଁ।

ତେବେ, କରୋନା ସମୟରେ ମଧ୍ୟ ବହୁ ଲୋକ କିଡ୍‌ନି ରୋଗ‌ରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ପଲ୍‌ମ୍ୟୁନୋଲୋଜିଷ୍ଟ ଡାକ୍ତର ସମ୍ପତ ଦାସଙ୍କ କହିବା ଅନୁସାରେ, ଯେତେବେଳେ ପ୍ରଥମ କୋଭିଡ୍‌ ବାହାରିଲା ସେତେବେଳେ କିଡ୍‌ନି ରୋଗୀ କରୋନା ସଂକ୍ରମିତ ହେଲେ। ଫଳରେ ପୂର୍ବରୁ ଯେଉଁମାନଙ୍କ ଡାଏଲିସିସ୍ ହେଉଥିଲା ସେମାମନଙ୍କୁ କରୋନା ହେବା ପରେ ଡାଏଲିସିସ୍‌ ପାଇଁ ଆନେକ ଅସୁବିଧାର ସମ୍ମୁଖୀନ ହେଲେ। ଆଇସିୟୁରେ ଯେଉଁ କିଡ୍‌ନି ରୋଗୀ କରୋନା ପାଇଁ ଭର୍ତ୍ତି ହୋଇଥିଲେ ସେମାନଙ୍କ ମୃତ୍ୟୁହାର ଅନ୍ୟ ରୋଗୀଙ୍କ ଅପେକ୍ଷା ଅଧିକ।

ସମ୍ବନ୍ଧିତ ଖବର