ଆଜି ବିଶ୍ୱ କିଡ୍‌ନି ଦିବସ : ବର୍ଷକୁ ୩ ହଜାରରୁ ଅଧିକ ଆକ୍ରାନ୍ତ

୧୧ଟି ଜିଲ୍ଲାକୁ ବ୍ୟାପିଲାଣି କିଡ୍‌ନି ରୋଗ ଆତଙ୍କ, ଏସ୍‌ସିବିରେ ଦୁଇବର୍ଷରେ ୨୯୭ ଜଣଙ୍କ ମୃତ୍ୟୁ

କଟକ, (ସୀମନ୍ତିକା ନନ୍ଦ): ଓଡିଶାରେ ଦିନକୁ ଦିନ ବଢୁଛି କିଡ୍‌ନି ରୋଗୀଙ୍କ ସଂଖ୍ୟା। ରୋଗର ସ୍ଥିତି ଉଦ୍‌ବେଗଜନକ ହେବାକୁ ଲାଗିଛି। ଓଡ଼ିଶାରେ ବର୍ଷକୁ ହାରାହାରି ଭାବେ ୩ହଜାରରୁ ଅଧିକ ରୋଗୀ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ହଜାର ରୋଗୀ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିବା ଏକ ବେସରକାରୀ ସର୍ଭେ ରିପୋର୍ଟରୁ ଜଣାପଡିଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ପାଖରେ ଏ ସଂପର୍କରେ ଠିକ୍‌ ତଥ୍ୟ ନାହିଁ କି ଏହାର ଆକଳନ ମଧ୍ୟ ଆଜି ପର୍ଯ୍ୟନ୍ତ କରାଯାଇପାରିନି।

କେବଳ କଟକ ବଡ ଡାକ୍ତରଖାନାର ତଥ୍ୟକୁ ଆକଳନ କଲେ ଜଣାଯାଏ, ଗଲା ୨୦୧୧ରେ ୨୧୯୫ ଜଣ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଡାଏଲିସିସ୍‌ କରିଛନ୍ତି। କିନ୍ତୁ ୯ ବର୍ଷ ଭିତରେ ଏବେ ୨୦୧୯‌ରେ ଏହି ସଂଖ୍ୟା ୧୬ ହଜାରରେ ପହଞ୍ଚିଛି। ଅର୍ଥାତ୍‌ ବର୍ଷକୁ ୧୫ ଶହ ରୋଗୀ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଏସସିବିରେ ଡାଏଲିସିସ୍‌ କରୁଥିବା ତଥ୍ୟରୁ ଜଣାପଡିଛି। ସେହିପରି କ୍ରୋନିକାଲ କିଡ୍‌ନି ରୋଗରେ ୧୦ ହଜାର ୧୫୪ ଜଣ ରୋଗୀ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଏସ୍‌ସିବିରେ। ଏସ୍‌ସିବିରେ ଗଲା ଦୁଇବର୍ଷ ଭିତରେ ୨୯୭ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ସବୁଠାରୁ ଉଦ୍‌ବେଗର ବିଷୟ ହେଲା କଟକ ଜିଲ୍ଲାର ନରସିଂହପୁର ବ୍ଲକ୍‌ରେ ଗୋଟିଏ ବର୍ଷରେ ୧୪୫ଜଣଙ୍କର କିଡ୍‌ନି ରୋଗରେ ମୃତ୍ୟୁ ଘଟିଲାଣି। ୨୦୦୬ ମସିହାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାର୍ଚ୍ଚ ମାସର ୨ୟ ଗୁରୁବାରକୁ ‘ବିଶ୍ବ କିଡ୍‌ନି ଦିବସ’ ଭାବେ ପାଳନ କରୁଛନ୍ତି। ୧୪ ବର୍ଷ ହେଲା ଏହି ଦିବସ ପାଳନ ହୋଇ ଆସୁଥିବା ବେଳେ ଓଡ଼ିଶାରେ ରୋଗ ବଢିବା ଘଟଣା ଉଦବେଗର କାରଣ ହୋଇଛି।

ସୂଚନା ଅନୁଯାୟୀ, କ୍ରୋନିକ୍‌ କିଡ୍‌ନି ରୋଗୀ (ସିକେଡି)ଙ୍କ ସଂଖ୍ୟା ୨୦୧୧ରେ ୯୭୩ ଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୧୦ ହଜାର ୧୫୪ରେ ପହଞ୍ଚି ସାରିଛି। ୨୦୧୨ରେ ୧୦୫୫ରୋଗୀ, ୨୦୧୩ରେ ୧୯୭୮, ୨୦୧୪ରେ ୨୧୫୭, ୨୦୧୫ରେ ୪୩୨୫, ୨୦୧୬ରେ ୬୨୯୦, ୨୦୧୭ରେ ୮୪୬୪ ସିକେଡି ରୋଗୀ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ସେହିପରି ୨୦୧୧ରେ ୨୧୯୫ ଜଣ ଡାଏଲିସିସ୍‌ କରିଥିବାବେଳେ ୨୦୧୨ରେ ୩୪୭୦, ୨୦୧୩ରେ ୩୭୩୨, ୨୦୧୪ରେ ୩୯୯୪, ୨୦୧୫ରେ ୫୭୯୮, ୨୦୧୬ରେ ୮୬୯୦, ୨୦୧୭ରେ ୧୨୪୮୭ ଓ ୨୦୧୮ରେ ୧୪୦୭୬ ଓ ୨୦୧୯ରେ ୧୬ହଜାର ରୋଗୀଙ୍କ ଡାଏଲିସିସ୍‌ ହୋଇଛି। ବର୍ତ୍ତମାନ ପ୍ରତି ସପ୍ତାହରେ ୪ ଶହରୁ ୫ଶହ ନୂଆ ରୋଗୀ ଆସୁଛନ୍ତି। ୧୦ ବର୍ଷ ତଳେ ଅଣସଂକ୍ରମଣ ରୋଗମାନଙ୍କ ତାଲିକାରେ ଏହାର ସ୍ଥାନ ୧୪ରେ ଥିବାବେଳେ ବର୍ତ୍ତମାନ ଏହା ୮ମ ସ୍ଥାନରେ ରହିଛି। ନେଫ୍ରୋଲୋଜି ବିଭାଗ ବରିଷ୍ଠ ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କ ତତ୍ତ୍ବାବଧାନରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଭାରତୀୟ ଭେଷଜ ଗବେଷଣା ପରିଷଦ ସହାୟତାରେ ଏକ ଗବେଷଣା କରାଯାଇ ଆଇସିଏମ୍‌ଆର ପାଖରେ ରିପୋର୍ଟ ଦାଖଲ କରାଯାଇଛି।

ପ୍ରଫେସର ଡାକ୍ତର କରଙ୍କ କହିବା ଅନୁସାରେ ଓଡ଼ିଶାର କଟକର ବଡ଼ମ୍ବା, ନରସିଂହପୁର, ଯାଜପୁରର ସୁକିନ୍ଦା, ନୟାଗଡ଼, ଝାରସୁଗୁଡ଼ା, ମନମୁଣ୍ଡା, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗୀର, ସୋନପୁର, ବଉଦ, ଫୁଲବାଣୀ ଓ ମାଲକାନାଗିରିର ବିଭିନ୍ନ ଅଞ୍ଚଳରେ ଏକ ବିଚିତ୍ର ପ୍ରକାରର କିଡ୍‌ନି ରୋଗ ଦେଖାଦେଉଛି। କେଉଁ କାରଣରୁ ଏହି ସବୁ ଅଞ୍ଚଳରେ କିଡ୍‌ନି ରୋଗର ଭୟାବହତା ବୃଦ୍ଧି ପାଉଛି, ତାର ଠିକ୍‌ କାରଣ ମଧ୍ୟ ଜଣାପଡୁନାହିଁ।

ଅନ୍ୟପକ୍ଷରେ, ୧୪ ବର୍ଷ ହେଲା କଡନି ଦିବସ ପାଳନ ହେଉଥିଲେ ବି ରୋଗ ମୁକାବିଲା ପାଇଁ ଏଯାଏ ସରକାରୀସ୍ତରରେ ଏହାକୁ ନେଇ ଉଦାସୀନତା ଜାରି ରହିବା ଘଟଣା ଉଦ୍‌ବେଗର କାରଣ ହୋଇଛି।

ସମ୍ବନ୍ଧିତ ଖବର