ସ୍ବପ୍ନରେ ରହିଗଲା ବିଶ୍ବସ୍ତରୀୟ ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟ

ଭିତ୍ତିପ୍ରସ୍ତରରେ ବିତିଗଲାଣି ୧୧ ବର୍ଷ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅଣଦେଖା, ସରକାରୀ ତହବିଲରୁ ୨୫ ଲକ୍ଷ ବରବାଦ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ପ୍ରସାର ସହ ଭବିଷ୍ୟତ ପିଢ଼ିଙ୍କୁ ମାର୍ଗଦର୍ଶନ ପାଇଁ ୧୩ ବର୍ଷ ତଳେ ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟର ପରିକଳ୍ପନା କରାଯାଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଏହି ବିଶ୍ବସ୍ତରୀୟ ପ୍ରକଳ୍ପକୁ ପୂର୍ଣ୍ଣ ରୂପ ଦେବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସେହି ଅନୁଯାୟୀ ଆଲୋଚନା ପର୍ଯ୍ୟାଲୋଚନା ପରେ ସଂଗ୍ରହାଳୟକୁ ଗୁଜରାଟର ପ୍ରସିଦ୍ଧ ଅକ୍ଷରଧାମ ଶୈଳୀରେ ନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତ ହେଲା। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏ ବାବଦକୁ ପ୍ରାଥମିକ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ବ୍ୟୟ ପରେ ତତ୍କାଳୀନ ବାଚସ୍ପତି ତଥା ପୁରୀ ବିଧାୟକ ମହେଶ୍ବର ମହାନ୍ତି ବର୍ତମାନର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଏହାର ଭିତ୍ତିପ୍ରସ୍ତର ପକାଇଥିଲେ। ଭିତ୍ତିପ୍ରସ୍ତରକୁ ଏହା ଭିତରେ ୧୧ ବର୍ଷ ବିତିଗଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ କାଣିଚାଏ ବି କାମ ଆଗେଇନି। ଓଲଟା ୨୫ ଲକ୍ଷ ଟଙ୍କା ବ୍ୟୟରେ ଯେଉଁ ନିର୍ମାଣ କାର୍ଯ୍ୟ କରାଯାଇଥିଲା ତାହା ମାଟିରେ ମିଶିବାକୁ ବସିଲାଣି।

ମୁଖ୍ୟମନ୍ତ୍ରୀଙ୍କ ବହୁ ପ୍ରତୀକ୍ଷିତ ଏହି ବିଶ୍ବସ୍ତରୀୟ ପ୍ରକଳ୍ପ ଆଜି ସରକାରୀ ଫାଇଲ୍ ଭିତରେ ହଜିଯାଇଛି। ଫଳସ୍ବରୂପ ଏହି ପ୍ରକଳ୍ପ ପାଇଁ ଚିହ୍ନଟ ସରକାରୀ ଜାଗା ସଂପୂର୍ଣ୍ଣ ଜବରଦଖଲକୁ ଚାଲିଗଲାଣି। ନିକଟରେ ନାଲ୍‌କୋ ‘ଆଇକନ୍ ସିଟି’ ପ୍ରକଳ୍ପ ଜରିଆରେ ଉନ୍ନତିକରଣ କାର୍ଯ୍ୟ କରି ଏହି ପ୍ରକଳ୍ପକୁ ପୂର୍ଣ୍ଣ ରୂପ ଦେବ ବୋଲି ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ଯୋଜନା ବି ଆଲୋଚନା ଭିତରେ ସୀମିତ ରହିଛି।

ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ରକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ଶୈଳୀରେ ଶ୍ରୀଜଗନ୍ନାଥ ସଂସ୍କୃତିର ଜ୍ଞାନ ଦେବା ଓ ଏହା ଉପରେ ଅଧିକ ଗବେଷଣା ଲକ୍ଷ୍ୟରେ ୨୦୦୪-୦୫ ଆର୍ଥିକ ବର୍ଷରେ ଶ୍ରୀ‌କ୍ଷେତ୍ର ସଂସ୍କୃତି ସଂଗ୍ରହାଳୟର ପରିକଳ୍ପନା କରାଯାଇଥିଲା। ୨୦୦୬ ମସିହାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏ ସଂପର୍କରେ ବିସ୍ତୃତ ଆଲୋଚନା ପରେ ସେହି ବର୍ଷ ତତ୍କାଳୀନ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ଅଶୋକ ତ୍ରିପାଠୀ ଏ ନେଇ ପୁରୀ ଜିଲ୍ଲା ପ୍ରଶାସନକୁ ପ୍ରକଳ୍ପ ସଂପର୍କିତ ଚିଠି କରିଥିଲେ। ପର୍ଯ୍ୟଟନ ବିଭାଗ ଅଧୀନରେ ଏପରି ଏକ ବିଶ୍ୱସ୍ତରୀୟ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ଓ ଦ୍ୱାଦଶ ଅର୍ଥ କମିସନ୍ ଜରିଆରେ ଏଥି ପାଇଁ ଆବଶ୍ୟକ ଅନୁଦାନ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ଏଥି ପାଇଁ ପ୍ରାଥମିକ ପର୍ଯ୍ୟାୟରେ ବଳିଆପଣ୍ଡାଠାରେ ୪ ଏକର ୬ ଡେସିମିଲ୍ ପରିମିତ ସରକାରୀ ଜାଗା ଚିହ୍ନଟ ହେଲା। ପ୍ରାଥମିକ ପର୍ଯ୍ୟାୟରେ ଦ୍ୱାଦଶ ଅର୍ଥ କମିସନ୍‌ଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ପରବର୍ତୀ ସମୟରେ ଏହା ସଂସ୍କୃତି ବିଭାଗ ଅଧୀନକୁ ଅଣାଯାଇଥିଲା।

୨୦୦୭ ଜୁଲାଇ ୫ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଏହି ପ୍ରକଳ୍ପ ଉପରେ ଏକ ସମୀକ୍ଷା ବୈଠକ ଡାକିଥିଲେ। ୨୦୦୭ ଅଗଷ୍ଟ ୧୮ରେ ସଚିବାଳୟରେ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରକଳ୍ପ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ଉନ୍ନୟନ କମିସନରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ସଚିବ, ପ୍ରତ୍ନତତ୍ତ୍ୱ ବିଭାଗ ଓ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସଂଗ୍ରହାଳୟର ରୂପରେଖ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆର୍କିଟେକ୍ଚର ପ୍ଲାନ୍ ବି ଏହି ବୈଠକରେ ପ୍ରସ୍ତୁତ ହୋଇଥିଲା। ୨୦୦୭ ନଭେମ୍ୱର ୫ରେ ମୁଖ୍ୟ ଶାସନ ସଚିବ ସଂଗ୍ରହାଳୟ ପାଇଁ ଚିହ୍ନଟ ସ୍ଥାନ ପରିଦର୍ଶନ କରି କାର୍ଯ୍ୟରେ ତତ୍ପରତା ଦେଖାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ୨୦୦୮ ଫେବ୍ରୁଆରି ୨୯ରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଥିଲା। ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତି ଏହାର ଭିତ୍ତିପ୍ରସ୍ତର ପକାଇଥିଲେ। ୨୦୦୮ ମାର୍ଚ୍ଚ ୨୪ରେ ତତ୍କାଳୀନ କମିସନର୍ ତଥା ସଂସ୍କୃତି ସଚିବ ଇଡ୍‌କୋକୁ ଏହି ସଂଗ୍ରହାଳୟର ପାଚେରି ନିର୍ମାଣ ପାଇଁ ଟେଣ୍ଡର ଦେଇଥିଲେ। ଏହା ମଧ୍ୟରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଇଡ୍‌କୋ ପାଚେରି ବି ନିର୍ମାଣ କରିସାରିଛି। କେବଳ ସେତିକି ନୁହେଁ, ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହା ପରିସରରେ ଦୁଇ ଦୁଇଟି ପାନୀୟ ଜଳ ପ୍ରକଳ୍ପ କରାଯାଇଛି। କିନ୍ତୁ ପାଚେରି ନିର୍ମାଣ ପରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ଅଣଦେଖା କାରଣରୁ ଏହା ଜଙ୍ଗଲ ପାଲଟିଗଲାଣି। ପାନୀୟ ଜଳ ପ୍ରକଳ୍ପ ଭଗ୍ନ ଅବସ୍ଥାରେ ପଡ଼ିଛି। ପାଚେରି ନିର୍ମାଣରେ ସୀମିତ ରହିଛି ଏହି ବିଶ୍ୱସ୍ତରୀୟ ସଂଗ୍ରହାଳୟ। ନା ଜିଲ୍ଲା ପ୍ରଶାସନର ଏଥିପ୍ରତି ଦୃଷ୍ଟି ପଡ଼ୁଛି ନା ରାଜ୍ୟ ସରକାରଙ୍କର। ରକ୍ଷଣାବେକ୍ଷଣ ଓ ଜଗାରଖା ଅଭାବରୁ ଏହି ପ୍ରକଳ୍ପର ପାଚେରି ଭିତରେ ଏକ ଛୋଟିଆ ବସ୍ତି ଗଢ଼ି ଉଠିଛି। ମୁଖ୍ୟ ଫାଟକ ଗ୍ରିଲ୍ ବି ଭାଙ୍ଗି ପଡ଼ିଲାଣି।

ଏ ସଂପର୍କରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କହିଛନ୍ତି, ଏହି ବିଶ୍ବସ୍ତରୀୟ ପ୍ରକଳ୍ପର କାର୍ଯ୍ୟକାରିତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ନିକଟରେ ନାଲ୍‌କୋ ଏହାକୁ ଆଇକନ୍ ସିଟି ଯୋଜନାରେ ପୂର୍ଣ୍ଣ ରୂପ ଦେବ ବୋଲି ନିଷ୍ପତ୍ତି ହୋଇଥିଲା। କ’ଣ ହେଲା କେଜାଣି ନାଲ୍‌କୋ ଆଉ ଏହା ଉପରେ ଆଲୋଚନା କରୁନି କି ଗୁରୁତ୍ବ ଦେଉନି। ଯଦି ସରକାର ଚାହିଁବେ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ନିଶ୍ଚିତ ଭାବେ ପୂର୍ଣ୍ଣ ରୂପ ନେବ।

ସମ୍ବନ୍ଧିତ ଖବର